csstore

ମହୁଲପାଲିରେ ସବୁଜ ସାଥୀ ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ଅନ୍ତର୍ଗତ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତର ମହୁଲପାଲି ଗ୍ରାମରେ ପ୍ରକୃତିବନ୍ଧୁ ମୀନକେତନ ସାହୁଙ୍କ ଆହ୍ୱାନ କ୍ରମେ ପ୍ରକୃତି ବନ୍ଧୁ ଅଭୟ କୁମାର ଦେବତାଙ୍କ ସଭାପତିତ୍ୱରେ ଗ୍ରାମର ଯୁବକମାନଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଅଂଶଗ୍ରହଣ କରି ବ୍ୟାପକ ଜଙ୍ଗଲ ଧ୍ୱଂସ, ଗାଡି ମଟର କଳ କାରଖାନାରେ ଅହେତୁକ ବୃଦ୍ଧି ହି ପ୍ରାକୃତିକ ବିପର୍ଯ୍ୟୟର ମୁଖ୍ୟ କାରଣ ବୋଲି କହିବା ସହିତ ଏହାର ପ୍ରତିକାର ନିମନ୍ତେ ମଣିଷ ସମାଜ ବିଳାସ ବ୍ୟସନ ସଂଯମତା ଅବଲମ୍ବନ ସହିତ ବୃକ୍ଷ ରୋପଣ, ସଂରକ୍ଷଣ ଓ ଜଙ୍ଗଲ ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର ବୋଲି ଯୁବକମାନଙ୍କୁ ଆହ୍ବାନ କରିଥିଲେ । ଉପସ୍ଥିତ ଯୁବକଙ୍କୁ ନେଇ ମହୁଲପାଲିରେ ସବୁଜ ସାଥୀ ଗଠିତ ହେଲା । ସବୁଜ ସାଥୀ ଯୁବ ସମାଜକୁ ସଂଗଠିତ କରି ପରିବେଶ ସୁରକ୍ଷା ସହିତ ସର୍ବପ୍ରଥମେ ନିଜର ଓ ପରିବାରର, ଗ୍ରାମ ଓ ଅଞ୍ଚଳର ଉନ୍ନତି ପାଇଁ କାର୍ଯ୍ୟ କରିବ ବୋଲି ସ୍ଥିର ହୋଇଥିଲା । ଆଶିଷ ପଧାନଙ୍କୁ ସବୁଜ ସାଥୀର ଟିମ୍ ଲିଡର ଓ ଲୋକନାଥ ସାହୁଙ୍କୁ ପ୍ରବକ୍ତା ଭାବରେ ବର୍ତ୍ତମାନ ପାଇଁ ମନୋନୀତ କରାଯାଇଛି । ପ୍ରକୃତିବନ୍ଧୁ ଅଭୟ କୁମାର ଦେବତା ସବୁଜ ସାଥୀ ମୋ ଗାଆଁ ମୋ ସ୍ୱାଭିମାନ ଉପଲକ୍ଷେ ମଧ୍ୟ ସ୍ୱତନ୍ତ୍ର ଗୁରୁତ୍ୱ ଦେବ ବୋଲି ମତ ଦେଇଥିଲେ । ରାଜିବ ପ୍ରଧାନ, ପପୁ ପ୍ରଧାନ, ସୁଜିତ ପଧାନ, ବିକାଶ ପଧାନ, ଆକାଶ ବରିହା, ଦୀପକ ବରିହା, ବିକାଶ ବରିହା, ରୁପାନନ୍ଦ ବରିହା, ନରେଶ କୁମାର ପ୍ରଧାନ ପ୍ରମୁଖ ସଭ୍ୟ ଭାବେ ମନୋନୀତ ହୋଇଛନ୍ତି । ବନ ସୁରକ୍ଷା ସମିତି ସଭାପତି କବିରାଜ ସାହୁ, ଯୋଗେଶ୍ୱର ପଧାନ ଓ ତୁଳ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଯୁବକମାନଙ୍କୁ ମଣିଷ କୃତ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷା ପାଇଁ ଆଗେଇ ଆସିବା ଦରକାର ବୋଲି କହିଥିଲେ ।

jayashree
Leave A Reply

Your email address will not be published.