pakka

ବଲାଙ୍ଗିର ସଦର ବ୍ଲକ୍‌ରେ କଂଗ୍ରେସର ନିର୍ବାଚନ ପ୍ରଚାର : ସ୍କୁଲରେ ଶିକ୍ଷକ, ଯୁବକଙ୍କୁ ରୋଜଗାର ଆମର ଲକ୍ଷ୍ୟ – ସମରେନ୍ଦ୍ର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ରେ କଂଗ୍ରେସର ଜୋର୍‌ସୋର୍‌ ନିର୍ବାଚନ ପ୍ରଚାର ଦେଖିବାକୁ ମିଳିଛି । ସ୍କୁଲରେ ଶିକ୍ଷକ, ଯୁବକଙ୍କୁ ରୋଜଗାର ଆମର ଲକ୍ଷ୍ୟ ବୋଲି ପ୍ରଚାର ସମୟରେ କହିଛନ୍ତି ସମରେନ୍ଦ୍ର । ଶିକ୍ଷା ପାଇଁ ଶିକ୍ଷକ ନଦେଇ ସ୍କୁଲ କୋଠାରେ ୫-ଟି ନାଁରେ ରଙ୍ଗବୋଳି ଦେଲେ ଛାତ୍ରଛାତ୍ରୀ ଉପକୃତ ହେବେ ନାହିଁ, ଓଲଟା ଶିକ୍ଷାର ମାନ ଅଧୋଗତି ହେବ ଓ ଏତେ ଲମ୍ବା ସମୟ ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ସରକାର ଥିଲେ ହେଁ ଆମ ଅଂଚଳରେ ଶିଳ୍ପ କାରଖାନା ପ୍ରତିଷ୍ଠାରେ ସରକାରଙ୍କ ବିଫଳତା ଯୋଗୁଁ ଆମ ଯୁବକ ଯୁବତୀମାନଙ୍କ ମଧ୍ୟରେ ବେକାରୀ ସମସ୍ୟା ଅନେକ ପରିମାଣରେ ବଢି ଚାଲିଛି । ତେଣୁ ଆଗାମୀ ନିର୍ବାଚନରେ କଂଗ୍ରେସ ଦଳକୁ ହାତ ଚିହ୍ନରେ ଆପଣମାନେ ଭୋଟ୍‌ ଦିଅନ୍ତୁ । ଆମେ ଜିତିଲେ ସ୍କୁଲ କଲେଜରେ ଶିକ୍ଷକ, ଯୁବକ ଯୁବତୀଙ୍କୁ ରୋଜଗାର ପ୍ରଦାନ ଆମର ମୂଳ ଲକ୍ଷ୍ୟ ହେବ ବୋଲି ଗତ କାଲି ସଦର ବ୍ଲକ୍‌ର ସାହାଜବାହାଲ, କର୍ଲାପିଟା ଓ ଶିବତଲା ଠାରେ ଅନୁଷ୍ଠିତ ନିର୍ବାଚନ ସଭାରେ ବଲାଙ୍ଗିର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ବ୍ଲକ୍‌ କଂଗ୍ରେସ ସଭାପତି ରାମପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଚେଷ୍ଟାରେ ହୋଇଥିବା ବିକାଶ ପ୍ରକଳ୍ପ ଗୁଡିକ ନିଜେ କରିଛନ୍ତି ବୋଲି କହୁଥିବା ତାଙ୍କ ପ୍ରତିଦ୍ୱନ୍ଦୀ ପ୍ରଥମେ ବଲାଙ୍ଗିରବାସୀଙ୍କୁ କୁହନ୍ତୁ ଯେ ରାଜ୍ୟ ଗୃହ ନିର୍ମାଣ ବୋର୍ଡର ଅଧ୍ୟକ୍ଷ ଭାବେ ବଲାଙ୍ଗିର ଗରିବ ଜନସାଧାରଣଙ୍କ ପାଇଁ ସେ କେଉଁ କେଉଁ ପ୍ରକଳ୍ପ ଆଣିଛନ୍ତି, ତେବେ ହିଁ ଜଣାପଡିବ ତାଙ୍କର ଦମ୍‌ କେତେ ବୋଲି ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ତାଙ୍କ ପ୍ରତିଦ୍ୱନ୍ଦୀଙ୍କୁ ଟାର୍ଗେଟ କରିଛନ୍ତି । ନିର୍ବାଚନୀ ସଭାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଗତ ୧୦ ବର୍ଷରେ ତାଙ୍କ ବିକାଶମୂଳକ କାର୍ଯ୍ୟ ଓ ଲୋକ ସମ୍ପର୍କକୁ ଲୋକେ ଠିକ୍ ଭାବରେ ତର୍ଜମା କରନ୍ତୁ ଏବଂ ବଲାଙ୍ଗିର ନିର୍ବାଚନ ମଣ୍ଡଳୀ ବିକାଶ ପାଇଁ କଂଗ୍ରେସ ଦଳର ସମର୍ଥିତ ବିଧାୟକ ଓ ସାଂସଦଙ୍କୁ ବିଜୟୀ କରନ୍ତୁ ବୋଲି ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । କଂଗ୍ରେସର ଗ୍ୟାରେଣ୍ଟି କାର୍ଡରେ ସବୁ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଥିବା ବ୍ୟବସ୍ଥା ଉପରେ ସମବେତ ଜନତାଙ୍କୁ ଅବଗତ କରାଇଥିଲେ ବିଧାୟକ ଶ୍ରୀ ମିଶ୍ର । ଅନୁଷ୍ଠିତ ଏହି ନିର୍ବାଚନୀ ସଭାମାନଙ୍କରେ ଅନ୍ୟମାନଙ୍କ ମଧ୍ୟରେ ଶଙ୍କର୍ଷଣ ପୁରୋହିତ, ନିରୁପମା ମହାନନ୍ଦ, କଲାକାହ୍ନୁ ବେହେରା, ଗୋପ ମେହେର, ଜଗନ୍ନାଥ ସାହୁ, ଜୟକୃଷ୍ଣ ମିଶ୍ର, ଚଗଲା ପରିଚ୍ଛା, ସରୋଜ ରଥ, ଗଗନ ନାଥ, ରିିଙ୍କୁ ଦିକ୍ଷିତ ପ୍ରମୁଖ ସଭା ଗୁଡିକର ସଫଳ ଆୟୋଜନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.

one × three =