ଆରଓବି ପକ୍ଷରୁ ସ୍ୱତନ୍ତ୍ର କୋଭିଡ-୧୯ ସଚେତନତା ଅଭିଯାନ

ଭୁବନେଶ୍ୱର, (ପିଆଇବି) : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ପାର୍ବଣ ଋତୁରେ କରୋନା ମହାମାରୀକୁ ପ୍ରତିହତ କରିବା ଲାଗି ‘କୋଭିଡ-୧୯ ଉପଯୁକ୍ତ ବ୍ୟବହାର ଜନ ଆନ୍ଦୋଳନ’ର ଶୁଭାରମ୍ଭ କରିଥିଲେ । ଏହି ଆନ୍ଦୋଳନକୁ ପ୍ରୋତ୍ସାହିତ କରିବା ଲାଗି ସେ ଦେଶବାସୀଙ୍କୁ ଆହ୍ୱାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ଆଂଚଳିକ ଜନସମ୍ପର୍କ କାର୍ୟ୍ୟାଳୟ (ଆରଓବି) ପକ୍ଷରୁ ସ୍ୱତନ୍ତ୍ର ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ରାଜ୍ୟରେ ସର୍ବାଧିକ କରୋନା ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମରେ ଏହି ଅଭିଯାନ ମାଧ୍ୟମରେ କୋଭିଡ-୧୯ ସଂକ୍ରାନ୍ତରେ ବ୍ୟାପକ ସଚେତନତା ସୃଷ୍ଟି କରିବା ଲାଗି ଲକ୍ଷ୍ୟ ରଖାଯାଇଛି ।
କରୋନା ଭାଇରସର କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ପଦ୍ଧତି, ଔଷଧ କିମ୍ବା ଟୀକା ନଥିବାରୁ ସତର୍କ ଓ ସଚେତନ ରହିବା ଦ୍ୱାରା ହିଁ ଏଥିରୁ ସୁରକ୍ଷିତ ରହିବା ସମ୍ଭବ । ଏହି ଉଦ୍ଦେଶ୍ୟ ନେଇ ଆରଓବି ପକ୍ଷରୁ ବିଭିନ୍ନ ସଚେତନତା ବାର୍ତା ଥିବା ଏକ ପ୍ରଚାର ଗାଡ଼ି ସମ୍ପୂର୍ଣ୍ଣ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ୱର ମହାନଗର ନିଗମ କ୍ଷେତ୍ରରେ ବୁଲିବା ଆରମ୍ଭ କରିଛି । ଏହି ପ୍ରଚାର ଗାଡ଼ିରେ କୋଭିଡ-୧୯ ଉପଯୁକ୍ତ ବ୍ୟବହାର ସମ୍ପର୍କରେ ବିଭିନ୍ନ ସଚେତନତା ବାର୍ତା ଥିବା ପୋଷ୍ଟର ଲଗାଯାଇଛି । ଏହି ଗାଡ଼ି ବିଭିନ୍ନ ସ୍ଥାନ ବୁଲି ଜନସାଧାରଣଙ୍କ ମଧ୍ୟରେ କରୋନା ଭୂତାଣୁ ଠାରୁ ସୁରକ୍ଷିତ ରହିବାର ବିଭିନ୍ନ ଉପାୟ ଯଥା: ନିୟମିତ ସାବୁନରେ ହାତ ଧୋଇବା, ଦୁଇ ଗଜ ସାମାଜିକ ଦୂରତା ରକ୍ଷା କରିବା, ଜନଗହଳି ପୂର୍ଣ୍ଣ ସ୍ଥାନ ଠାରୁ ନିଜକୁ ଦୂରେଇ ରଖିବା, ମାସ୍କ ଓ ଫେସ କଭର ପିନ୍ଧିବା, ଛିଙ୍କିବା କିମ୍ବା କାଶିବା ସମୟରେ ମୁହଁ ଘୋଡ଼ାଇବା, ଅସୁସ୍ଥ ଅନୁଭବ କରୁଥିଲେ ତୁରନ୍ତ ନିଜକୁ ପୃଥକବାସରେ ରଖି ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା, ବ୍ୟକ୍ତିଗତ ସ୍ୱଚ୍ଛତା ରକ୍ଷା କରିବା ଆଦି ସମ୍ପର୍କରେ ସଚେତନତା ସୃଷ୍ଟି କରିବ । ପ୍ରଚାର ଗାଡ଼ି ବୁଲିବା ସହିତ କରୋନା ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ସର୍ବସାଧାରଣ ସ୍ଥାନରେ ପୋଷ୍ଟର ଲଗାଯିବ ।
ଗତକାଲି ପ୍ରଥମ ଦିନରେ ରାଜଧାନୀର ବିଭିନ୍ନ ପେଟ୍ରୋଲ ପମ୍ପରେ ସଚେତନତା ବାର୍ତା ଥିବା ପୋଷ୍ଟରଗୁଡ଼ିକୁ ରଖାଯାଇଛି । ଏହି ସଚେତନତା ଅଭିଯାନ ସପ୍ତାହବ୍ୟାପୀ ଜାରି ରହିବ ।

Leave A Reply

Your email address will not be published.