ଫାଣ୍ଡି ଅଧିକାରୀଙ୍କ ଗାଡ଼ି ଧକ୍କାରେ କର୍ମଚାରୀ ମୃତ୍ୟୁ ଘଟଣା : କ୍ଷତି ପୂରଣ ଦାବୀରେ ଜାତୀୟ ରାଜପଥ ଅବରୋଧ, ୩ ଘଣ୍ଟା ଧରି ଗାଡି ଚଳାଚଳ ବନ୍ଦ, ପ୍ରଶାସନର ପ୍ରତିଶ୍ରୁତି ପରେ ହଟିଲା ରାସ୍ତା ଅବରୋଧ

csstore

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ଥାନା ଅନ୍ତର୍ଗତ ଗୋଏଲଭାଡ଼ି ଛକରେ ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁଙ୍କ ଗାଡି ଧକ୍କାରେ ଗତକାଲି ବଡ଼ମାଲ ଗୋଲାବାରୁଦ କାରଖାନାର କର୍ମଚାରୀ ରମେଶ ନାଗଙ୍କ ମୃତ୍ୟୁ ହୋଇଥିଲା । ଯାହାକୁ ନେଇ ପରିବାର ଲୋକେ ଆଜି କ୍ଷତିପୂରଣ ଦାବୀରେ ସ୍ଥାନୀୟ ଥାନା ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜାତୀୟ ରାଜପଥ ୨୬କୁ ଅବରୋଧ କରିଥିଲେ । ଏହା ଫଳରେ ଗାଡି ଚଳାଚଳ ୩ ଘଣ୍ଟା ପର୍ଯ୍ୟନ୍ତ ଠପ ହୋଇ ପଡ଼ିଥିଲା ।ଅନ୍ୟପଟେ ପରିବାର ଲୋକେ ୨୫ ଲକ୍ଷ ଟଙ୍କା ସହ ପରିବାର ଲୋକଙ୍କୁ ଚାକିରୀ ଦେବା ପାଇଁ ଦାବୀ କରିଥିଲେ । ଖବର ପାଇବା ପରେ ଘଟଣା ସ୍ଥାନରେ ସ୍ଥାନୀୟ ତହସିଲଦାର ସୁରେନ୍ଦ୍ର ମେହେର, ଟିଟିଲାଗଡ଼ ଏସଡିପିଓ ସୁରେନ୍ଦ୍ର ନାଥ ଶତପଥୀ, ଥାନା ଅଧିକାରୀ ଅବନୀ ସାହୁ ପହଁଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା । ସୂଚନା ଯୋଗ୍ୟ ଯେ, ବଡ଼ମାଲ ଫାଣ୍ଡି ଅଧିକାରୀ ସର୍ବେଶ୍ୱର ସାହୁ ନିଜ ଚାରିଚକିଆ କାର ଯୋଗେ ଟିଟିଲାଗଡ଼ ପଟୁ ଆସୁଥିବା ବେଳେ ବଡ଼ମାଲ କର୍ମଚାରୀ ରମେଶ ନାଗ ତାଙ୍କ ବ୍ୟକ୍ତିଗତ କାର୍ଯ୍ୟପାଇଁ ଟିଟଲାଗଡ଼ ଯାଉଥିବା ବେଳେ ଗୋଏଲଭାଡ଼ି ଛକରେ ଉଭୟ ଗାଡି ଆମନାସାମ୍ନା ହୋଇଥିଲା । କାରଟି ବାଇକ୍‌କୁ ଧକ୍କା ଦେବା ଫଳରେ ବାଇକ ଆରୋହି ରମେଶ ନାଗଙ୍କ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ଅନ୍ୟପଟେ ଯୁବ ନେତା ସିମ୍ରନ ସିଂ ଭୋଇ ମଧ୍ୟ ପରିବାର ଲୋକଙ୍କୁ ବୁଝାସୁଝା କରିବା ସହ ଆନ୍ଦୋଳନରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.