
- ମାଲବାହୀ ଟ୍ରେନ୍ ଧକ୍କାରେ ମୃତ୍ୟୁ ସନ୍ଦେହ, ହତ୍ୟା ଅଭିଯୋଗ ଆଣିଲେ ପରିବାର
କଣ୍ଟାବାଞ୍ଜି, (ଯୁଗଳ କିଶୋର ଶବର) : ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ । ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରୁ ତୁରେକେଲା ଯିବା ରାସ୍ତାରେ ଦାବରୀ ଗାଁ ନିକଟସ୍ଥ ୧୬୬/୩୪ ନମ୍ବର ରେଳ ଖୁଣ୍ଟ ପାଖରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ତୁରେକେଲା ଗ୍ରାମର ଜନ୍ମଞ୍ଜୟ ସିନ୍ଦୁର ବୋଲି ଚିହ୍ନଟ କରାଯାଇଛି । ସେ ଗତ କିଛିବର୍ଷ ଧରି କଣ୍ଟାବାଞ୍ଜି ସହରରେ ରହୁଥିଲେ । ସୂଚନା ଅନୁସାରେ, ଏକ ମାଲବାହୀ ଟ୍ରେନ୍ ଧକ୍କାରେ ଜନ୍ମଞ୍ଜୟଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି । ଖବର ପାଇ କଣ୍ଟାବାଞ୍ଜି ଜିଆର୍ପି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଷ୍ଟେସନ ମାଷ୍ଟରଙ୍କ ମେମୋ ପାଇବା ପରେ ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଏହା ଏକ ଦୁର୍ଘଟଣା ନା ଏହା ପଛରେ ରହିଛି ଅନ୍ୟ କିଛି ରହସ୍ୟ, ତାହାକୁ ନେଇ ସନ୍ଦେହ ଦେଖାଦେଇଛି । ଅନ୍ୟପଟେ ଜନ୍ମଞ୍ଜୟଙ୍କୁ କେହି ହତ୍ୟା କରି ରେଳ ଧାରଣାରେ ଫିଙ୍ଗି ଦେଇଥିବା ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି । ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଥିବା ବେଳେ ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ।