ଶୋଚନୀୟ ଅବସ୍ଥାରେ ୨ ନମ୍ବର ୱାର୍ଡର ରାସ୍ତାଘାଟ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନ୍‌ଏସି ୨ ନମ୍ବର ୱାର୍ଡର ମୁଖ୍ୟ ରାସ୍ତା ଟିକିଏ ବର୍ଷାରେ ପାଲଟୁଛି ପୋଖରୀ । ସେହିରାସ୍ତା ଦେଇ ସାହିବାସିନ୍ଦା, ସ୍କୁଲ କଲେଜର ଛାତ୍ରଛାତ୍ରୀ ଯାତାୟାତ କରୁଥିବା ବେଳେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରାଞ୍ଚଳରେ ସରକାରଙ୍କ ପାଖରୁ ରାସ୍ତାଘାଟ ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଠି ତାହାର ବେତିକ୍ରମ ଦେଖିବାକୁ ମିଳିଛି । ନିର୍ବାଚିତ ପ୍ରତିନିଧିଙ୍କ ଦାୟିତ୍ୱହୀନତା ଏବଂ ପ୍ରଶାସନିକ ଅଧିକାରୀଙ୍କ ଅବହେଳା ଯୋଗୁଁ ଏହି ଅବସ୍ଥା ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି । ସୂଚନାଯୋଗ୍ୟ ଯେ, ଏହି ରାସ୍ତା ଦେଇ ଗଞ୍ଜାମ ମହାବିଦ୍ୟାଳୟ, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ଗ୍ରାମର ମା ବୁଢ଼ୀ ଠାକୁରାଣୀ ମନ୍ଦିରକୁ ଲୋକେ ଯାଇଥାନ୍ତି । ପ୍ରତ୍ୟେକ ଦିନ ଶତାଧିକ ଛାତ୍ରଛାତ୍ରୀ ତଥା ଗ୍ରାମବାସୀମାନେ ବିଶେଷ କରି ବର୍ଷା ଦିନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ତେଣୁ ଏନ୍‌ଏସି କର୍ତ୍ତୃପକ୍ଷ ଏ ରାସ୍ତାର ସମସ୍ୟା ପ୍ରତି ଦୃଷ୍ଟି ଦେଇ ସମାଧାନ କରିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି ।

Leave A Reply

Your email address will not be published.