
- ଓଏସ୍ଏଲ୍ଏ ପକ୍ଷରୁ କଲେଜ ଅଧ୍ୟକ୍ଷଙ୍କୁ ଦାବିପତ୍ର
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଏସ୍ଏସ୍ବି ଆଧ୍ୟାପକ ମାନଙ୍କ ଗ୍ରେଡ୍ ପେ’ର ସଂଶୋଧନ ଓ ସମୟୋଚିତ ପଦୋନ୍ନତି ଦାବି ଜୋର ଧରିଛି । ଓଡ଼ିଶା ଏସ୍ଏସ୍ବି ଲେକଚର ଆସୋସିଏସନ୍ର ଆହ୍ଵାନ କ୍ରମେ ଆଜି ସୋନପୁର କଲେଜର ଏସ୍ଏସ୍ବି ଅଧ୍ୟାପକ-ଅଧ୍ୟାପିକାମାନେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର କଲେଜର ଅଧ୍ୟକ୍ଷ ରାଧାକାନ୍ତ ନାଏକଙ୍କୁ ପ୍ରଦାନ କରାଯାଇଥିଲା । ସେମାନଙ୍କ ଦାବି ଅନୁଯାୟୀ, ଦୀର୍ଘ ୧୦ ବର୍ଷ ଧରି ରାଜ୍ୟର ବିଭିନ୍ନ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ସେମାନେ ଶିକ୍ଷାଦାନ କରିଆସୁଛନ୍ତି । ହେଲେ ତାଙ୍କ ଗ୍ରେଡ୍ ପେ’ରେ ସଂଶୋଧନ ଓ ସମୟୋଚିତ ପଦୋନ୍ନତି ମିଳୁନାହିଁ । ଏନେଇ ସଂଘ ପକ୍ଷରୁ ଆସନ୍ତା ୧୭ ନଭେମ୍ବରଠାରୁ ଭୁବନେଶ୍ଵରରେ ରାଜ୍ୟସ୍ତରୀୟ ଆନ୍ଦୋଳନ ଡାକରା ଦିଆଯାଇଛି । ସରକାର ଦାବି ଗୁଡ଼ିକୁ ଯଥାଶୀଘ୍ର ପୂରଣ ନକଲେ ଏସ୍ଏସ୍ବି ଅଧ୍ୟାପକ- ଅଧ୍ୟାପିକାମାନେ ଶିକ୍ଷାଦାନ ଓ ଅନ୍ୟାନ୍ୟ କାର୍ୟ୍ୟରେ ଅସହଯୋଗ କରିବେ ବୋଲି ଚେତାବନୀ ଦେଇଛନ୍ତି । ଦାବିପତ୍ର ପ୍ରଦାନ ବେଳେ ସୁବର୍ଣ୍ଣପୁର ଜିଲ୍ଲା ଶାଖାର ସଭାପତି ଡ.ନରେନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ଧୀରେନ କୁମାର ମିଶ୍ର, ଡ. ମହେନ୍ଦ୍ର କୁମାର ଦାସ, ଡ. କ୍ଷମାସାଗର ସାହୁ, ସଂଘମିତ୍ରା ନାଗଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଏସ୍ଏସ୍ବି ଅଧ୍ୟାପକ ଓ ଅଧ୍ୟାପିକାମାନେ ଉପସ୍ଥିତ ଥିଲେ ।