କଳାହାଣ୍ଡି, (କେପିଏନ୍ଏସ୍) : ଜୁନାଗଡ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପିଏମ ଶ୍ରୀ ହାଇସ୍କୁଲ ଜୁନାଗଡର ଛାତ୍ରଛାତ୍ରୀମାନେ ଉଚ୍ଚକୋଟୀର ଲାଇଭ ନୃତ୍ୟ ଗୀତ ପ୍ରଦର୍ଶନ କରି ଦର୍ଶକଙ୍କ ମନକୁ ମୋହି ନେଇଥିଲେ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଘଟୁଥିବା ଘଟଣାବଳୀଙ୍କୁ “ଜୀବନ ଗୀତ” ନାମକ ଗୀତିନୃତ୍ୟ ମାଧ୍ୟମରେ ଦର୍ଶକଙ୍କ ଆଗରେ ଚମତ୍କାର ଢଙ୍ଗରେ ପରସି ଦେଇଥିଲେ । ଆଞ୍ଚଳିକ ଭାଷା, ସଂସ୍କୃତି ଓ ପରମ୍ପରାକୁ ନିଖୁଣ ଅଭିନୟ ଓ ନିଆରା ଢଙ୍ଗରେ ପ୍ରଦର୍ଶନ କରିଥିଲେ । ପାରମ୍ପରିକ ରୀତିରେ ପ୍ରଚଳିତ ଜନ୍ମଦିନ, ବିବାହ ତଥା ଶ୍ମଶାନ ଯାତ୍ରା ଉତ୍ସବ ଗୁଡିକୁ କଳାହାଣ୍ଡିଆ ଭାଷା ସମ୍ବିଳିତ ଗୀତ ନୃତ୍ୟ ଓ ବାଦ୍ୟକୁ ଦର୍ଶକ ମନଭରି ଉପଭୋଗ କରିଥିଲେ । ମାତ୍ର ତିନୋଟି ଦୃଶ୍ୟ ଥିବା ଉକ୍ତ ନାଟକର ଶ୍ମଶାନ ଦୃଶ୍ୟଟି ସମସ୍ତଙ୍କ ମନରେ ଗଭୀର ପ୍ରଭାବ ପକାଇପାରିଥିଲା । ପ୍ରଧାନ ଶିକ୍ଷକ ନେପାଲ ଚନ୍ଦ୍ର ବାଗ ରଚନା ଓ ନିର୍ଦ୍ଦେଶନା ଦେଇଥିବାବେଳେ ବରିଷ୍ଠ ଶିକ୍ଷକ ମଳୟ ମୁଣ୍ଡ ସଂଯୋଜନା କରିଥିଲେ ଓ ଅନିତା, ପ୍ରଦୀପ୍ତା, ଦେବାଶିଷ, ଭୀଷ୍ମ, ପ୍ରଦୀପ, ଉମେଶ ପ୍ରମୁଖ ଶିକ୍ଷକବୃନ୍ଦ ସହଯୋଗ କରିଥିଲେ ।