ବାସନ୍ତିକ ରାମଚଣ୍ଡୀ ମହୋତ୍ସବ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗନ୍ଧମାର୍ଦ୍ଦନ ପର୍ବତ ପାଦ ଦେଶରେ ଥିବା ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ମନ୍ଦିର ନିକଟରେ ବିଷା ଶହେ କୁଳ କୁଲତା ସମାଜର ଇଷ୍ଟ ଦେବୀ ମା’ ରଣେଶ୍ୱରୀ ରାମଚଣ୍ଡୀ ମନ୍ଦିର ଅବସ୍ଥିତ । ଏହି ପ୍ରସିଦ୍ଧ ମନ୍ଦିର ପରିସରରେ ବୁଧବାର ବାସନ୍ତିକ ଚଣ୍ଡୀ ମହୋତ୍ସବ ଧୁମ୍‌ଧାମ୍‌ରେ ପାଳିତ ହୋଇଯାଇଛି । ଦେଉଳି ଗ୍ରାମରୁ ମା’ଙ୍କ ମନ୍ଦିର ଝଣ୍ଡା ଆସିବା ପରେ ଏକ ଶୋଭାଯାତ୍ରାରେ ମା’ ଓ ଭଉଣୀମାନେ କଳସ ଧରି ନୃସିଂହନାଥ ଝରଣାରୁ ୨୫୧ ଗୋଟି କଲସିରେ ପବିତ୍ର ପାଣି ଆଣି ପୂଜା ମଣ୍ଡପରେ ସ୍ଥାପନ କରିଥିଲେ । କର୍ତ୍ତା ଭାବରେ ବୃନ୍ଦାବନ ସାହୁ ଓ ତାଙ୍କ ଧର୍ମପତ୍ନୀ ଦୀପିକା ସାହୁ ଦାୟିତ୍ୱ ତୁଲାଇ ଥିବା ବେଳେ ମିତ୍ରଭାନୁ ଦେବତା ଓ ମନ୍ଦିର ପୂଜକ ଉଦ୍ଧବ ପଧାନ ପୂଜା ପାଠ ନୀତି ନିୟମ ଅନୁସାରେ କରିଥିଲେ । ଜାତି ସମାଜର ହଜାର ହଜାର ମା’ ଭଉଣୀ ତଥା ଚଣ୍ଡୀ ଭକ୍ତ ଏଥିରେ ଅଂଶଗ୍ରହଣ କରିଛନ୍ତି । ଏନେଇ କାର୍ଯ୍ୟକାରିଣୀ ସଭାପତି ଯୋଗେନ୍ଦ୍ର ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅତିଥି ଭାବରେ ଟେକଚାନ୍ଦ ଦୁଆନ, ଉମା ପ୍ରଧାନ, ମହେନ୍ଦ୍ର ବଢ଼େଇ, ସନାତନ ଭୋଇ ପ୍ରମୁଖ ଯୋଗଦେଇ କୁଲତା ଜାତିର ଉନ୍ନତି ପାଇଁ ନିଜସ୍ୱ ମତାମତ ରଖିଥିଲେ । ଓଡିଶା ସରକାରଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ପାଇକମାଲ ହାଇସ୍କୁଲର ପ୍ରଧାନ ଶିକ୍ଷକ ଦ୍ୱାଦଶ କୁମାର ପଧାନ ଓ ପାଇକମାଲ ଥାନା ଅଧିକାରୀ ସୁଶାନ୍ତ କୁମାର ବଢ଼େଇଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ମଞ୍ଚରେ ବରଗଡ ଜିଲ୍ଲା କୁଲତା ସମାଜର ଉପସଭାପତି ହେମସାଗର ସାହୁଙ୍କ ସହିତ ଝାରବନ୍ଧ, ପାଇକମାଲ, ପଦ୍ମପୁର, ଗାଇସିଲେଟ ବ୍ଲକର ୨୧ଗୋଟି କେନ୍ଦ୍ରର ସଭାପତି ଓ ଯୁବ ସଂଗଠନର ସଭାପତିମାନେ ମଞ୍ଚରେ ଆସୀନ ଥିଲେ । ଶିଶୁ କଳାକାରମାନଙ୍କୁ ନେଇ ସୁରେନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ସଂସ୍କୃତିକ କାର୍ଯ୍ୟ ହୋଇଥିଲା ସାମ୍ବାଦିକ ବଡ ଶତପଥି ଓ ଚେୟାରମ୍ୟାନ ପ୍ରଣୟ କୁମାର ସାହୁଙ୍କୁ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା । ସମସ୍ତ ଭକ୍ତଙ୍କ ପାଇଁ ଅନ୍ନ ଭୋଗ ବଣ୍ଟନ ହୋଇଥିଲା । ବିଭିନ୍ନ କାମରେ ଡ଼ା. ବୁଲୁ ବାରିକ, ଭୁବନେଶ୍ୱର ସା, ଯୋଗେନ୍ଦ୍ର ଭୋଇ, ଟାଇଲ ଭୋଇ, ଜଗଦୀଶ ପ୍ରଧାନ, ଦିବାକର ଗଡତିଆ, କେଶବ ସାହୁ, ଚିତ୍ତ ପଧାନ ପ୍ରମୁଖ କୁଲତା ଯୁବ ସଂଗଠନର ସମସ୍ତ କର୍ମକର୍ତ୍ତାମାନେ ସାହାଯ୍ୟ କରିଥିଲେ । ଶେଷରେ ବାସୁଦେବ ପଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.