om academy

ସୁବର୍ଣ୍ଣରେଖାର ରଜତ ଜୟନ୍ତୀ ଆସନ୍ତା ଜାନୁଆରୀ ୧୪ରେ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀ ରାଉରକେଲାର ଅନ୍ୟତମ ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ‘ସୁବର୍ଣ୍ଣରେଖା’ର ରଜତ ଜୟନ୍ତୀ ଉପଲକ୍ଷେ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ବ୍ୟାସଭବନଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣରେଖାର ସଭାପତି ମନୋରଞ୍ଜନ ଦାସଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନିତ୍ୟାନନ୍ଦ ବେହେରାଙ୍କ ଆବାହକତ୍ୱରେ ଆୟୋଜିତ ଏହି ବୈଠକରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅନୁଷ୍ଠାନର ବାର୍ଷିକ କ୍ରୀଡାକୁ ଉଦ୍‌ଘାଟନ କରିବା ସହ ରଜତ ଜୟନ୍ତୀ ଉପଲକ୍ଷେ ଲୋଗୋ ଓ ୱେବ୍‌ସାଇଟ୍‌କୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ଭାଷା, ସାହିତ୍ୟ, ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟର ପ୍ରତିବଦ୍ଧତା ପାଇଁ ସାଧୁବାଦ ଜଣାଇବା ସହ ୫ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରିଥିଲେ । ଏନେଇ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର ମୁଖପାତ୍ର ଅନୀଲ କୁମାର ଦାଶ, ସଭାପତି ଶ୍ରୀ ଦାସ ଓ ସାଧାରଣ ସଂପାଦକ ଶ୍ରୀ ବେହେରା ସୂଚନା ଦେଇ କହିଲେ ଯେ, ୧୯୯୭ ମସିହାରୁ ସୃଷ୍ଟି ହୋଇଥିବା ସୁବର୍ଣ୍ଣରେଖା ଆଜି ଯୌବନରେ ପଦାର୍ପଣ କରିଛି । ବହୁ ଘାତ ପ୍ରତିଘାତ ମଧ୍ୟରେ ଅନୁଷ୍ଠାନ ତା’ର ସ୍ବକୀୟ କାର୍ଯ୍ୟକଳାପ ଜାରି ରଖିଛି । ନିଜସ୍ୱ ସ୍ଥାନରେ ପୂର୍ବତନ ବିଧାୟକ ଅଜିତ ଦାସ, ବର୍ତ୍ତମାନର ବିଧାୟକ ସାରଦା ପ୍ରସାଦ ନାୟକ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ଆର୍ଥିକ ସହାୟତା, ସର୍ବୋପରି ଅବିଭକ୍ତ ବାଲେଶ୍ବରବାସୀଙ୍କ ଅକୁଣ୍ଠ ସହଯୋଗରେ ନିଜସ୍ୱ ଭବନ ତିଆରି ହୋଇପାରିଛି । ରକ୍ତ ସଂପର୍କ ହିଁ ଏହି ଅନୁଷ୍ଠାନର ମୂଳ ପୁଞ୍ଜି । ବିଭିନ୍ନ ସମୟରେ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଓ ଔଷଧ ବଣ୍ଟନ, ହାର୍ଣ୍ଣିଆ ଓ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର, ପରିବେଶ ସୁରକ୍ଷା, ବୃକ୍ଷ ରୋପଣ, ରକ୍ତ ଦାନ ଶିବିର, ସଚେତନତା ସଂପର୍କୀତ କାର୍ଯ୍ୟକ୍ରମ, ନାରୀଶକ୍ତି ଜାଗରଣ ଓ ସଶକ୍ତିକରଣ, କନ୍ୟାଭୃଣ ହତ୍ୟା ବିରୁଦ୍ଧରେ ଅଭିଯାନ, ପ୍ଲାଷ୍ଟିକ ବର୍ଜନ, ଗ୍ରୀଷ୍ମରେ ପାନୀୟ ଜଳ ବଣ୍ଟନ, କରୋନା କାଳରେ ଖାଦ୍ୟ ବଣ୍ଟନ, ସାହିତ୍ୟ ଆଲୋଚନାଚକ୍ର, ଓଡିଆ ଭାଷା ସୁରକ୍ଷା ଦିଗରେ ଅଭିଯାନ ଆଦି କାର୍ଯ୍ୟକ୍ରମ କରି ସାମାଜିକ ପ୍ରତିବଦ୍ଧତାର ପରିଚୟ ହେବା ସହ ଜନସାଧାରଣଙ୍କ ଆସ୍ଥା ଭାଜନ ହୋଇପାରିଛି । ଆସନ୍ତା ୨୦୨୨ ଜାନୁଆରୀ ୧୪ ତାରିଖ ଦିନ ରଜତ ଜୟନ୍ତୀ ତଥା ମକର ସଂକ୍ରାନ୍ତି ଦିନ ବ୍ୟାସ କବି ଫକୀର ମୋହନ ସେନାପତିଙ୍କ ୫ଫୁଟ ୮ଇଞ୍ଚର ଏକ ପୂର୍ଣ୍ଣଅବୟବ ପ୍ରତିମୂର୍ତ୍ତି ପ୍ରତିଷ୍ଠା ସହ ସୁବର୍ଣ୍ଣରେଖା ର ସ୍ମରଣିକା ପ୍ରକାଶ କରାଯିବ। ଏହି ଅବସରରେ ବାଲେଶ୍ବର ଜିଲ୍ଲାର ବିଶିଷ୍ଟ ତଥା ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ବନବିହାରୀ ରଣା, ପ୍ରାକ୍ତନ ପୁଲିସ ଅଧିକାରୀ ସୁମନ ଦତ୍ତ ମଞ୍ଚାସୀନ ଥିବା ବେଳେ ଉପଦେଷ୍ଟା ପ୍ରଦୀପ ନାୟକ କ୍ରୀଡା ସଂପାଦକ କବିନ୍ଦ୍ର ନାରାୟଣ ଦେଓ, କମଳାକାନ୍ତ ପ୍ରଧାନ, ମହେନ୍ଦ୍ର ମହାଳିକ, ରବିନ୍ଦ୍ର କୁମାର ଜେନା, ସୁବ୍ରତ ଜେନା, ବରୁଣ ମାଝୀ, ଅଜିତ କୁମାର ମହାପାତ୍ର, ମହିଳା ସଂଗଠନ ନନ୍ଦିନୀ ସଂଘତି ଗୃପର କନକଲତା ଜେନା, ଭାଗ୍ୟଲକ୍ଷ୍ମୀ ପାତ୍ର, ଦେବଜାନୀ ଘୋଷ, ଅନନ୍ଦିତା ମାଇତି, ତଅପୋଇ ମାଝୀ, ଦମୟନ୍ତୀ ପାତ୍ର, ସ୍ନେହଲତା ଆଦକ, ସେଫାଳୀ ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବାର୍ଷିକ କ୍ରୀଡାରେ ରଙ୍ଗୋଲି, ଡ୍ରଇଁ, ମ୍ୟୁଜିକାଲ ଚେୟାର, ବଲ ଥ୍ରୋ, ଜିଲାପି ରେସ ଆଦି କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ରଜତ ଜୟନ୍ତୀରେ ପୁରସ୍କୃତ କରାଯିବ ବୋଲି ମୁଖପାତ୍ର ଶ୍ରୀ ଦାଶ ସୂଚନା ଦେଇଥିଲେ । ସଭାପତି ଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.