jayashree

ମାସିକ ରଚନା ସନ୍ଧ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆମ ସଂସ୍କୃତିରେ ଯେତେ ପରିବର୍ତ୍ତନ ହେଲେ ମଧ୍ୟ ଆମ ଭିତରେ ଏବେ ବି ଆଶା ଓ ବିଶ୍ୱାସ ଅଛି, ସଂସ୍କାର ଓ ମାନବିକତା ବଞ୍ଚି ରହିଛି । ବର୍ତ୍ତମାନର ଯୁବପିଢ଼ି ହିଁ ହେଉଛନ୍ତି ଆମର ସ୍ଥିତି ଓ ସମ୍ଭାବନା । ତେଣୁ ତାଙ୍କ ଭିତରେ ପରିବାରରୁ ହିଁ ପ୍ରଥମେ ସଂସ୍କାର ଏବଂ ଶିକ୍ଷାଦାନରେ ପରିବର୍ତ୍ତନ ଆଣିଲେ ଆଗକୁ ସେମାନେ ଆମ ସଂସ୍କୃତିର ଅବକ୍ଷୟକୁ ରୋକି ପାରିବେ । ଜିଲ୍ଲା ସଂସ୍କୃତି ପରିଷଦ ସହଯୋଗରେ ବଲାଙ୍ଗିରର ଅଗ୍ରଣୀ ଅନୁଷ୍ଠାନ ‘ରଚନା’ ଦ୍ଵାରା ସ୍ଥାନୀୟ ସଂସ୍କୃତି ଭବନରେ ଆୟୋଜିତ “ଆମ ସଂସ୍କୃତି : ସ୍ଥିତି ଓ ସମ୍ଭାବନା” ଶୀର୍ଷକ ଆଲୋଚନା ଚକ୍ରରେ ଏହି ମତ ପ୍ରକାଶ ପାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ବକ୍ତା ଭାବରେ ଓଡିଶା ଆଦର୍ଶ ବିଦ୍ୟାଳୟ, ପଥରଚେପାର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ଏବଂ ଡିଏଭି କଲେଜ ଟିଟିଲାଗଡ଼ର ଅଧ୍ୟାପିକା ବନ୍ଦନା କର ଯୋଗଦେଇ ତାଙ୍କ ବକ୍ତବ୍ୟରେ ପ୍ରାଚୀନ ଗୁରୁକୁଳ ଆଶ୍ରମରେ ବିଦ୍ୟାଦାନ ବ୍ୟବସ୍ଥା, ଗୁରୁଙ୍କୁ ସମ୍ମାନ ପ୍ରଦର୍ଶନ ଓ ସେମାନଙ୍କଠାରୁ ସଂସ୍କୃତି ଓ ସଂସ୍କାର ଶିକ୍ଷା ଏବଂ ସାମ୍ପ୍ରତିକ ଶୈକ୍ଷିକ ପରିବେଶକୁ ତୁଳନା କରି, ଆମେ ଅତି ମାତ୍ରାରେ ନିରାଶାବାଦୀ ନ ହୋଇ ଆଶାବାଦୀ ହେବା ଏବଂ ଆମ ସଂସ୍କୃତିର ସଂରକ୍ଷଣ ପାଇଁ ନିଜ ପରିବାର ହିଁ ହେଉଛି ଆମର ପ୍ରାଥମିକ ଗୁରୁକୁଳ ବୋଲି ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥିବକ୍ତା ଭାବରେ ଯୁବ ପ୍ରତିଭା ପ୍ରକାଶ କଲତା ଏବଂ ନିକିତା ସିଂହ ଆମ ଉତ୍କଳୀୟ ଓ ଭାରତୀୟ ସଂସ୍କୃତିର ଅନନ୍ୟତା ଉପରେ ଆଲୋକପାତ କରିଥିଲେ । ଯୁବ ପ୍ରତିଭା ପିଙ୍କି ବାଗ ଓ ଶ୍ରୀତମ କୁମ୍ଭାର ଆଲୋଚ୍ୟ ବିଷୟ ଉପରେ ନିଜ ନିଜ ମତ ରଖିଥିଲେ । ‘ରଚନା’ର ସଦସ୍ୟା ସସ୍ମିତା ନେପାକ କାର୍ଯ୍ୟକ୍ରମର ସଂଯୋଜନା ଏବଂ ସହସମ୍ପାଦକ ରତ୍ନମୟ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ । ଏହି ‘ମାସିକ ରଚନା ସନ୍ଧ୍ୟା’ରେ ଜିଲ୍ଲା ପାଠାଗାରର ଛାତ୍ରଛାତ୍ରୀ ଏବଂ ବହୁ ସାହିତ୍ୟିକ, ବୁଦ୍ଧିଜୀବୀ, କଳାକାର ଓ ସଂସ୍କୃତିପ୍ରେମୀ ଉପସ୍ଥିତ ରହି ‘ରଚନା’ର ଏଭଳି ସକରାତ୍ମକ ପ୍ରୟାସର ପ୍ରଶଂସା କରିଥିଲେ ।

Leave A Reply

Your email address will not be published.