csstore

ବିଶେଷ ରଚନା ସନ୍ଧ୍ୟାରେ “ପ୍ରଣାମ ରାଜେନ୍ଦ୍ର” ଶୀର୍ଷକ ସ୍ମୃତି ଓ ଅନୁଭୂତିର ଭାବ ବିନିମୟ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : କବି ରାଜେନ୍ଦ୍ର କିଶୋର ପଣ୍ଡା ନିଜ ଜୀବନର ବିପୁଳ ଅନୁଭୂତିକୁ ନେଇ ବିବିଧ ଭାବଭରା କବିତା ରଚନା କରିଛନ୍ତି । ଜୀବନ ଦର୍ଶନରେ ପରିପୂର୍ଣ୍ଣ ତାଙ୍କ କବିତାସମୂହକୁ ପଢ଼ି ଜଣେ ଭାବଗ୍ରାହୀ ପାଠକ ତହିଁରେ ତଲ୍ଲୀନ ହେବା ସହ ନିଜକୁ ଓ ଜଗତକୁ ଏକ ଭିନ୍ନ ଦୃଷ୍ଟିରେ ଦେଖିବାକୁ ବାଧ୍ୟ ହୁଏ । ସେ ଥିଲେ ଶବ୍ଦର ଯାଦୁକର ଓ ଭାବର ପାରାବାର । କେତେବେଳେ ତାଙ୍କ କବିତା ନାରୀମୁକ୍ତିର କଥା କହେ ତ ପୁଣି କେତେବେଳେ ଝିଅକୁ ସଂଯମରେ ସଂଚରି ଯିବାର ଶିକ୍ଷାଦିଏ । “କବିତା ଯୁଦ୍ଧ ନୁହେଁ, ପ୍ରେମ” ବୋଲି ତରୁଣକବିଙ୍କୁ ଅନୁପ୍ରାଣିତ କରି ତାଙ୍କୁ କଲମ ବଢ଼େଇ ଦେବାର କଥା କହେ । ବଲାଙ୍ଗିରର ଅଗ୍ରଣୀ ସାହିତ୍ୟିକ-ସାମାଜିକ-ସାଂସ୍କୃତିକ ଅନୁଷ୍ଠାନ ‘ରଚନା’ ଦ୍ୱାରା ସ୍ଥାନୀୟ ପି ପି ଏକାଡେମୀ ସଭାକକ୍ଷରେ ଆୟୋଜିତ ବିଶେଷ ରଚନା ସନ୍ଧ୍ୟାରେ “ପ୍ରଣାମ ରାଜେନ୍ଦ୍ର” ଶୀର୍ଷକ ସ୍ମୃତି ଓ ଅନୁଭୂତିର ଭାବ ବିନିମୟ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ‘ରଚନା’ର ସଭାପତି ସନାତନ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଯୋଗଦେଇ କବି ନବୀନ ବିଶ୍ୱବନ୍ଧୁ ନିଜ ପାଠପଢ଼ା ସମୟରେ କବି ରାଜେନ୍ଦ୍ର ପଣ୍ଡାଙ୍କ କବିତାର ପ୍ରଭାବ କିପରି ସହପାଠୀଙ୍କ ଭିତରେ ସଞ୍ଚରି ଯାଇଥିଲା ଏବଂ ଏବେ ଅଧ୍ୟାପକ ଜୀବନରେ ତାଙ୍କ କବିତାକୁ ପିଲାଙ୍କୁ ପଢ଼ାଇବା ବେଳେ କିପରି ଭାବବିହ୍ଵଳ ହେବାକୁ ପଡ଼େ ତାହା ବର୍ଣ୍ଣନା କରିଥିଲେ । ସଭା ଆରମ୍ଭରେ କବି ରାଜେନ୍ଦ୍ରଙ୍କ “ଅନ୍ୟା” କବିତାକୁ ବିଶିଷ୍ଟ କଣ୍ଠଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ସ୍ୱର ଦେଇ ଗାଇବା ପରେ ‘ରଚନା’ର ସମ୍ପାଦକ ଭାଗିରଥି ମିଶ୍ର କବିଙ୍କ ଜୀବନଯାତ୍ରା ଓ ସାହିତ୍ୟକୃତି ସମ୍ପର୍କରେ ସୂଚନା ଦେଇଥିଲେ । କବିଙ୍କ ଲିଖିତ କେତୋଟି କବିତା ଆବୃତ୍ତି କରିଥିଲେ କବି ସସ୍ମିତା ନେପାକ, ବନ୍ଦନା ପଟ୍ଟନାୟକ ଓ ମୃଗେଶ ବୈଷ୍ଣବ ପାଣିଗ୍ରାହୀ । ଏହା ପରେ କବି ପ୍ରହଲ୍ଲାଦ ଶତପଥି, ବିଜୟ ତ୍ରିପାଠୀ, ଡ. ଆରତୀ ତ୍ରିପାଠୀ, ଅଧ୍ୟାପକ ଜୟ କୁମାର ଆଚାର୍ଯ୍ୟ, ସୁଶାନ୍ତ ବାଗ ଓ ରାମଶଙ୍କର ଶତପଥି କବିଙ୍କ ସହ ନିଜ ସ୍ମୃତି ଅନୁଭୂତିର ବର୍ଣ୍ଣନା କରିଥିଲେ । କବି ରାଜୀବ ଲୋଚନ ଆଚାର୍ଯ୍ୟ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଶେଷରେ କବିଙ୍କ “ପ୍ରିୟ ସହକବି” କବିତା ଆବୃତ୍ତି ସହ ଧନ୍ୟବାଦ ଦେଇଥିଲେ ‘ରଚନା’ର ସହସମ୍ପାଦକ ରତ୍ନମୟ ତ୍ରିପାଠୀ । ଏହି କାର୍ଯ୍ୟକ୍ରମରେ ବହୁ ସାହିତ୍ୟିକ ଓ ରାଜେନ୍ଦ୍ର କବିତାପ୍ରେମୀ ଯୋଗଦେଇଥିଲେ ।

jayashree
Leave A Reply

Your email address will not be published.