- ନାରୀ ନିର୍ଯ୍ୟାତନା, ଅଶାନ୍ତି ଓ ବିକାଶ ବିରୋଧିଙ୍କୁ ଉଚିତ ଜବାବ ଦେବେ ଲୋକେ : ନରସିଂହ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଶହରା ଆମକୁ ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମ ସ୍ଥାପନା ଏବଂ ଶାନ୍ତି ମୈତ୍ରୀ ଓ ପ୍ରଗତି ସହ ନାରୀ ସଶକ୍ତିକରଣର ବାର୍ତ୍ତା ଦେଇଥାଏ କିନ୍ତୁ ବର୍ତ୍ତମାନ ଚାରିଆଡେ ରାବଣରାଜ ଚାଲିଛି । ଏହି ସରକାରରେ ନାରୀ ସଶକ୍ତିକରଣ ନାଁରେ ସରକାରୀ ଦଳ ଅନେକ ନେତା ନିଜ ପରିବାର ଭିତରେ ନାରୀ ନିର୍ଯ୍ୟାତନା ଭଳିଆ ଜଘନ୍ୟ ଅପରାଧରେ ଜଡିତ ରହିଛନ୍ତି । ବିକାଶ ନାଁରେ କେବଳ ମିଥ୍ୟ ପ୍ରଭର୍ଥନା ଚାଲିଛି । ସ୍ୱାସ୍ଥ୍ୟ ଶିକ୍ଷା କ୍ଷେତ୍ରରେ ଭିତ୍ତିଭୂମି ଅଛି କିନ୍ତୁ ଡାକ୍ତର ଶିକ୍ଷକର ଅଭାବ ଦେଖାଦେଇଛି । ଚାଷି ତାର ଜମିକୁ ପର୍ଯ୍ୟାପ୍ତ ପାଣି ପାଇ ପାରୁନାହିଁ । ତେଣୁ ଆଜି ଦଶହରା ଭଳି ପବିତ୍ର ଦିନରେ ଆମେ ଶପଥ ନେବା ଦରକାର ନାରୀ ନିର୍ଯ୍ୟାତନା, ଅଶାନ୍ତି, ପ୍ରବର୍ଥନା, ମିଥ୍ୟା ପ୍ରତିଶୃତିରେ ଯେଉଁ ସରକାର ଲିପ୍ତ ସେଭଳି ସରକାରଙ୍କୁ ଲୋକେ ଉଚିତ୍ ଜବାବ ଆଗାମୀ ଦିନରେ ନିଶ୍ଚିତ ଭାବରେ ଦେବେ ବୋଲି ଚନ୍ଦନଭାଟିଠାରେ ଅନୁଷ୍ଠିତ ଦଶହରା ରାବଣ ପୋଡି ମହୋତ୍ସବରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ସେହି ଏହି ମର୍ମରେ ଆହୁରି ମଧ୍ୟ କହିଛନ୍ତି ଅଂଚଳର ବିକାଶ ସେତେବେଳେ ସମ୍ଭବ ହୁଏ ଯେତେବେଳେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନର ପର୍ଯ୍ୟାପ୍ତ ସୁବିଧା ଥାଏ । ଫଳରେ ଅଂଚଳର ସମଗ୍ରୀକ ଅର୍ଥନୈତିକ ସମୃଦ୍ଧି ହୋଇଥାଏ କିନ୍ତୁ ଏ ସବୁ କ୍ଷେତ୍ରରେ କେବଳ ରାଜ୍ୟ ନୁହେଁ କେନ୍ଦ୍ର ମଧ୍ୟ ଲୋକଙ୍କୁ ମିଥ୍ୟା କହି ଭୁଆଁ ବୁଲାଉଛି ତେଣୁ ଅଂଚଳବାସୀ ଏକତ୍ରିତ ହୁଅନ୍ତୁ, ଏକତା ବଦ୍ଧ ହୁଅନ୍ତୁ ଏବଂ ଏଭଳି ସରକାର ବିରୁଦ୍ଧରେ ତିବ୍ର ସ୍ୱର ଉତ୍ତୋଳନ କରନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ । ବିଧାୟକ ଶ୍ରୀ ମିଶ୍ର ନିଜ ବକ୍ତବ୍ୟରେ ଗତ ୯ ବର୍ଷରେ ହୋଇଥିବା ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଯଥା ମେଡିକାଲ କଲେଜ, କ୍ରୀଡା ଭିତ୍ତିଭୂମି, ଭୀମଡୁଙ୍ଗୁରି ପର୍ଯ୍ୟଟନ ସ୍ଥଳିର ବିକାଶ, ଶିକ୍ଷା ଭିତ୍ତିଭୂମିର ବିକାଶ, ବିଭିନ୍ନ ସ୍ଥାନରେ ବ୍ୟାରେଜ ନିର୍ମାଣ ହୋଇଥିବାର ସୂଚନା ଦେଇଥିଲେ ଏବଂ ଆଗାମୀ ଦିନରେ ଏ ବିକାଶ ପ୍ରକ୍ରିୟାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି ଉପସ୍ଥିତ ଜନତାଙ୍କୁ ନିଜ ଅଭିଭାଷଣରେ କହିଥିଲେ । ଆଜିର ଏହି ରାବଣପୋଡି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ଚନ୍ଦନଭାଟି ସମିତି ସଭ୍ୟା ସଂଗୀତା ପାଣିଗ୍ରାହୀ, ସମ୍ମାନିତ ଅତିଥି ଭାବେ ପୂର୍ବତନ ଚେୟାରମେନ ଶୁଶାନ୍ତ ପାଣିଗ୍ରାହୀ, ପୂଜା କମିଟିର ସଭାପତି ବଳରାମ ମେହେର, ସଂପାଦକ ଗୋକୁଳ ବେହେରା, କୋଷାଧ୍ୟକ୍ଷ ପ୍ରମୁଖ ମଂଚାସୀନ ଥିବା ବେଳେ ଚନ୍ଦନଭାଟିର ବରିଷ୍ଠ ନାଗରିକ କପିଳେଶ୍ୱର ପାଣିଗ୍ରାହୀ, ଯୁବନେତା ସଂକିର୍ତ୍ତନ ମେହେର, ନରେନ୍ଦ୍ର ମେହେର, ଅମ୍ବରେଶ ପ୍ରଧାନ, ଶ୍ରବଣ ଖମାରୀଙ୍କ ସମେତ ହଜାର ହଜାର ଜନସାଧାରଣ ଉପସ୍ଥିତ ଥିଲେ ।