ପୁସ୍ତକ ମେଳାର ଦ୍ୱିତୀୟ ଦିବସ

  • ଉତ୍କଳ ଗୀତିକବି ସମାଜର ସାହିତ୍ୟ ସଂଧ୍ୟା

ରାଉରକେଲା, (ସସ୍ମିତା ପ୍ରଧାନ) : ଆଦର୍ଶ ପାଠାଗାର ପକ୍ଷରୁ ଆୟୋଜିତ ୨୮ତମ ପୁସ୍ତକ ମେଳାର ଦ୍ୱିତୀୟ ସଂଧ୍ୟାରେ ଉତ୍କଳ ଗୀତିକବି ସମାଜର ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି । ସମାଜର ସଭାପତି ତାରିଣୀ ଚରଣ ସାହୁଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ଭୋଳେଶ୍ବର ବେହେରାଙ୍କ ଆବାହକତ୍ୱ ତଥା ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଇଂ ଅଭୟ କୁମାର ଦାସ ମୁଖ୍ୟଅତିଥି, ରାଧାକାନ୍ତ ମିଶ୍ର ଓ ଡାକ୍ତର ତରୁଣାଦିତ୍ୟ ମିଶ୍ର ସମ୍ମାନିତ ଅତିଥି ଓ ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟବକ୍ତା ଭାବେ ଯୋଗଦେଇ ଗୀତିକବିତାର ଭାବଧାରା ଉପରେ ଆଲୋଚନା କରିଥିଲେ । ଏହି ଅବସରରେ ମୁଖ୍ୟବକ୍ତା ଶ୍ରୀ ରାଉତ ତାଙ୍କ ବକ୍ତବ୍ୟରେ କହିଲେ ଯେ, ଜଣାଣ, ଭଜନ, ଆତ୍ମନିଷ୍ଠ ଭକ୍ତି କବିତା, ଲୌକିକ ପ୍ରେମାନୁଭୂତିକୁ ଅବଲମ୍ବନ କରି ପ୍ରାଚୀନ ଓ ମଧ୍ୟଯୁଗରେ ଗୀତିକବିତାର ବିକାଶ ହୋଇଥିଲା । ଗୀତି କବିତାରେ ପ୍ରେମଭକ୍ତି, ଅନୁରାଗ ବିରାଗ, ଆନନ୍ଦ ନିରାନନ୍ଦ ପ୍ରଭୃତି ଅଭିବ୍ୟକ୍ତି ଲାଭ କରିଥାଏ । ସେହିପରି ଅନୁଭୂତି ଯେତେ ଗଭୀର ହୁଏ କବିତା ସେତିକି ହୃଦୟ ଗ୍ରାହୀ ହୋଇଥାଏ । ତେଣୁ ମନ୍ମୟତା ଗୀତିକବିତାର ମୁଖ୍ୟ ଲକ୍ଷଣ । ମୁଖ୍ୟଅତିଥି ଇଂ ଦାସ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଦ୍ବୟ ଶ୍ରୀ ମିଶ୍ର ଓ ଡାକ୍ତର ମିଶ୍ର ଗୀତିକବିତା କିପରି ଆମ ମନ ଓ ପ୍ରାଣକୁ ପ୍ରଚୋଦିତ କରିଥାଏ ତାହା ବର୍ଣ୍ଣନା କରିଥିଲେ । ସଭାପତିତ୍ୱ ଅଭିଭାଷଣରେ ଶ୍ରୀ ସାହୁ ଗୀତିକବିତା ହୃଦୟାନୁଭୂତିର ସ୍ବଭାବିକ ଭାଷା ହେବା ଉଚିତ ବୋଲି ମତ ରଖିଥିଲେ । ସଂପାଦକୀୟ ବିବରଣୀ ସହ ଶ୍ରୀ ବେହେରା ବିଭିନ୍ନ ଉଦାହରଣ ଦେଇ ଗୀତିକବିତା କିପରି ତାର ଜୟଯାତ୍ରା ଜାରି ରଖିଛି ତାହା ବର୍ଣ୍ଣନା କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ ମନୋରଞ୍ଜନ କରଙ୍କ ସଭାପତିତ୍ବ ଓ ସୁମିତ୍ରା ମିଶ୍ର ତଥା ସୁସ୍ମିତା ମହାପାତ୍ରଙ୍କ ସଂଯୋଜନାରେ ବହୁ କବି ଛନ୍ଦବୋଧ ଯୁକ୍ତ କବିତା ପାଠ କରିଥିଲେ । ଶେଷରେ ଉପସଭାପତି ରାମକୃଷ୍ଣ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

eleven + seven =