om academy

ଶ୍ରଦ୍ଧାରେ ରାଜକିଶୋର ରାଜଗୁରଙ୍କ ୯ମ ପୁଣ୍ୟତିଥି ପାଳିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରଦ୍ଧାର ପ୍ରତିଷ୍ଠାତା ସଭାପତି ସ୍ଵର୍ଗତ ରାଜକିଶୋର ରାଜଗୁରଙ୍କ ୯ମ ପୁଣ୍ୟତିଥି ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲିର ବିଧାୟକ ସୁବ୍ରତ ତରାଇ ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଭ୍ୟ, କବି ତଥା ଏକତ୍ରର ସଭାପତି ରାଜୀବ ପାଣି ଯଥାକ୍ରମେ ମୁଖ୍ୟଅତିଥି ଓ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ସ୍ଵର୍ଗତ ଡା. ରାଜଗୁରୁଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ୧ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା ଏବଂ ଉପସ୍ଥିତ ନିମନ୍ତ୍ରିତ ଅତିଥି ଓ ଶ୍ରଦ୍ଧାର କର୍ମକର୍ତ୍ତାମାନେ ପୁଷ୍ପ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଅନୁଷ୍ଠାନର ଉପସଭାପତି ଅଶୋକ କୁମାର ବଳଙ୍କ ପୌରୋହିତ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଶ୍ରୀ ତରାଇ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସରକାରଙ୍କର ଯେଉଁ ସବୁ ଯୋଜନା ରହିଛି ସେଥିରୁ ଭିନ୍ନକ୍ଷମମାନେ ଅଗ୍ରାଧିକାର ଭିତ୍ତିରେ ପାଇବା କଥା । ଶ୍ରଦ୍ଧା ଦ୍ଵାରା ପ୍ରସ୍ତାବଗୁଡ଼ିକ ସ୍ଵାଗତ ଯୋଗ୍ୟ । ଭିନ୍ନକ୍ଷମମାନେ ହେଉଛନ୍ତି ସ୍ଵତନ୍ତ୍ର । ତେଣୁ ସ୍ଵତନ୍ତ୍ର ଭାବେ ଶ୍ରଦ୍ଧାର କଥା ନେବାକୁ ପ୍ରତିଶ୍ରୁତି ଦେବା ସଙ୍ଗେ ସଙ୍ଗେ ଶ୍ରଦ୍ଧାର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ମୁଖ୍ୟବକ୍ତା ଶ୍ରୀ ପାଣି ଦର୍ଶାଇଥିଲେ ଯେ, ଭିନ୍ନକ୍ଷମମାନେ ହେଉଛନ୍ତି ଭଗବାନଙ୍କର ଅମୃତସନ୍ତାନ । ଯଦିବା ଏମାନଙ୍କର କିଛି କାର୍ଯ୍ୟ କରିବାରେ ସମାସ୍ୟା ଥାଏ କିନ୍ତୁ ଏମାନେ ଅନ୍ୟ କେତେକ କାର୍ଯ୍ୟ କରିବାରେ ନିପୁଣ ଥାନ୍ତି । ଏମାନଙ୍କର ଦକ୍ଷତାକୁ ଆମେମାନେ ଜାଣି ସେମାନଙ୍କୁ ସହଯୋଗର ହାତ ବଢ଼ାଇ ମୁଖ୍ୟସ୍ରୋତରେ ସାମିଲ୍ କରିବା ଆମ ସମସ୍ତଙ୍କର ଦାୟିତ୍ୱ । ଏ‌ହି ଅବସରରେ ସ୍ଵର୍ଗତ ରାଜଗୁରୁଙ୍କ ସ୍ମାରକୀ ଭାବେ ଏହିବର୍ଷର ଦଶମ ଶ୍ରେଣୀରେ ପଢ଼ୁଥିବା ଏଗାର ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପଠନ ସହାୟକ ସାମଗ୍ରୀ ଅତିଥିମାନେ ପ୍ରଦାନ କରିଥିଲେ । ଉପସଭାପତି ଶ୍ରୀ ବଳ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ସୂଚନା ଦେବା ସଙ୍ଗେ ସଙ୍ଗେ ଶ୍ରଦ୍ଧାର କାର୍ଯ୍ୟକ୍ରମ ଉପରେ ବିବରଣୀ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ ସ୍ଵାଗତ ଭାଷଣ ଦେଇଥିଲେ ଏବଂ ଶ୍ରଦ୍ଧା ପ୍ରତି ସ୍ଵର୍ଗତ ରାଜଗୁରୁଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ । ରାଜଗୁରୁ ରାଜକିଶୋରଙ୍କୁ ସମସ୍ତେ ଡା. ଆର୍.ଆର୍.ମହାପାତ୍ର ଭାବେ ସମସ୍ତେ ଜାଣନ୍ତି । ଶ୍ରଦ୍ଧାର ସେ ହେଉଛନ୍ତି ପ୍ରତିଷ୍ଠାତା ସଭାପତି । ତାଙ୍କର ଶ୍ରଦ୍ଧା ପାଇଁ ଦାନ ଅତୁଳନୀୟ । ତାଙ୍କ ପରେ ତାଙ୍କର ପରିବାରବର୍ଗଙ୍କର ସହଯୋଗ ବଳବତ୍ତର ରହିଛି । ତାଙ୍କ ସ୍ମୃତିରେ ତାଙ୍କ ପରିବାର ଲୋକେ ଆର୍ଥିକ ଦୁର୍ବଳ ଶ୍ରେଣୀର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଏହି ପଠନ ସହାୟକ ସାମଗ୍ରୀ ପ୍ରଦାନ କରିଆସୁଛନ୍ତି ।

Leave A Reply

Your email address will not be published.