pakka

୫ ପୁଅଝିଅଙ୍କ ଦାନା ଯୋଗାଡ ଚିନ୍ତାରେ ଆଦିବାସୀ ବିଧବା ମହିଳା : ପୁଅଝିଅ ଅପାଠୁଆ ହୋଇଯିବା ଆଶଙ୍କା

ବଙ୍ଗୋମୁଣ୍ଡା, (ଅଶୋକ କୁମାର ଭୋଇ) : ସ୍ୱାମୀଙ୍କ ମୃତ୍ୟୁ ପରେ ୫ ପୁଅଝିଅଙ୍କ ଭବିଷ୍ୟତ ଚିନ୍ତାରେ ଘାରି ହେଉଛନ୍ତି ଆଦିବାସୀ ବିଧବା ମହିଳା । ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକର ଉପାନ୍ତ ଗନ୍ଧର୍ଲା ପଞ୍ଚାୟତର ଜଙ୍ଗଳତଳି ଆଦିବାସୀ ବହୁଳ ଗାଁ ଦାବଝର ଗାଁର ସୌଦାମିନୀ ଭୋଇ(୩୨) ସ୍ୱାମୀଙ୍କ ମୃତ୍ୟୁ ପରେ ୫ ପୁଅଝିଅଙ୍କୁ ଦାନା ଯୋଗାଇବା ପାଇଁ କଷ୍ଟକର ହୋଇପଡୁଥିବା ଅଭିଯୋଗ ହୋଇଛି । ଦାବଝର ଗ୍ରାମରର ଆଦିବାସୀ କନ୍ଧ ସଂପ୍ରଦାୟର ଗଜେନ୍ଦ୍ର ଭୋଇ । ୨୦୧୨ ମସିହାରେ ପକ୍ଷାଘାତ ରୋଗରେ ମୃତ୍ୟୁ ହୋଇଯିବା ପରେ ପୁଅଝିଅଙ୍କ ପ୍ରତିପୋଷଣ ଦାୟିତ୍ୱ ନେଇଛନ୍ତି ବିଧବା ମହିଳା । ଗଜେନ୍ଦ୍ର ଭୋଇଙ୍କ ପ୍ରଥମ ସ୍ତ୍ରୀ ଗାୟତ୍ରୀ ଭୋଇ ୨୦୦୮ ମସିହାରେ କର୍କଟ ରୋଗରେ ମୃତ୍ୟୁବରଣ କଲା ପରେ ସେହି ବର୍ଷ ଗାୟତ୍ରୀ ଭୋଇଙ୍କ ଭଉଣୀ ସୌଦାମିନୀ ଭୋଇଙ୍କୁ ଦ୍ୱିତୀୟ ବିବାହ କଲେ । ବିବାହର ଠିକ ୪ ବର୍ଷ ପରେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହୋଇ କଷ୍ଟ ଯନ୍ତ୍ରଣା ପାଇବା ପରେ ସ୍ୱାମୀ ଆରପାରିକୁ ଚାଲିଗଲେ । ଧାର କରଜ କରି ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ ମଧ୍ୟ ସ୍ୱାମୀଙ୍କ ମୃତ୍ୟୁ ହୋଇଗଲା । ମୃତ୍ୟୁ ପରେ ବେସାହାରା ହୋଇଗଲେ ୬ ପ୍ରାଣୀ । ବହୁ କଷ୍ଟରେ ୫ ପୁଅଝିଅ ନିରୁପମା ଭୋଇ(୧୭), ଯସ୍ମିତା ଭୋଇ(୧୬), ଚନ୍ଦନା ଭୋଇ(୧୪), ଅଜୟ ସିଂ ଭୋଇ(୧୧), ନୂତନ ସିଂ ଭୋଇ(୯)ଙ୍କୁ ବିଧବା ମା’ ସୌଦାମିନୀ କୁଲିମଜିରି କରି ପେଟକୁ ଦାନା ଯୋଗାଉଛନ୍ତି । କରୋନା ମାଡରେ ଚଳିତ ବର୍ଷ କାମଧନ୍ଦା ନ ପାଇ ପରିବାର ବହୁ କଷ୍ଟରେ ଚଲୁଥିବା କହିଛନ୍ତି । ସ୍ୱାମୀଙ୍କ ମୃତ୍ୟୁ ପରେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କାର ସହାୟତା ପାଇଁ ବାରମ୍ବାର ଆବେଦନ ସତ୍ତ୍ୱେ ମିଳି ନଥିବା କହନ୍ତି । ଗତ ବର୍ଷଠାରୁ ବିଧବା ଭତ୍ତା ପାଉଥିବା ବେଳେ ଖାଦ୍ୟ ସୁରକ୍ଷା ଯୋଜନାରେ ୩୦ କେଜି ଚାଉଳ ହିଁ ପରିବାର ଚଳାଇବା ପାଇଁ ସାହା ହେଉଛି । ଯସ୍ମିତା ଭୋଇ ଷଷ୍ଠ ଶ୍ରେଣୀରୁ ପାଠ ଛାଡି ଦେଇଥିବା ବେଳେ ତୃତୀୟ ଝିଅ ମାମୁଁ ଘରେ ରହି ପାଠ ପଢୁଛି । ପୁଅ ଅଜୟ ପଞ୍ଚମ ଶ୍ରେଣୀରେ ଗାଁ ବିଦ୍ୟାଳୟରେ ପଢୁଥିବା ବେଳେ ଷଷ୍ଠ ଶ୍ରେଣୀରେ ୩ କିଲୋମିଟର ଚାଲି ଚାଲି ଯିବାକୁ ପଡୁଥିବାରୁ ଏ ବର୍ଷ ପାଠ ପଢାରେ ଡୋରି ବନ୍ଧା ହେବାର ଆଶଙ୍କା ରହିଛି । ଦାନା ଯୋଗାଇବାରେ ବହୁ କଷ୍ଟ କରିବାକୁ ପଡୁଥିବା ବେଳେ ପିଲାଛୁଆଙ୍କୁ ଆଗକୁ ପାଠ ପଢାଇପାରିବି ନାହିଁ ବୋଲି କୋହଭରା କଣ୍ଠରେ ପ୍ରକାଶ କରନ୍ତି ସୌଦାମିନୀ । ମନରେଗା ଯୋଜନାରେ ୩ ବର୍ଷ ପୂର୍ବରୁ କାମ କରିଥିବା ମଜୁରୀ ଟଙ୍କା ଏ ବର୍ଷ ପାଇଥିବା ବେଳେ ଚଳିତ ବର୍ଷ ମନରେଗା କାମ ମିଳିନାହିଁ । ଏପରି ସ୍ଥିତିରେ ରୋଜଗାର ଶୂନ୍ୟ ହୋଇପଡିଛ‌ନ୍ତି ସୌଦାମିନୀ । କୃଷି ଶ୍ରମିକ ଭାବେ ଅଳ୍ପ ମଜୁରୀରେ ପରିବାର ଚଳାଇବା କଷ୍ଟ କର ହୋଇପଡୁଛି । ଏପରିସ୍ଥିତିରେ ପ୍ରଶାସନ ଦୃଷ୍ଟି ଦେଇ ସରକାରୀ ସହାୟତା ସହ ପୁଅଝିଅଙ୍କ ଶିକ୍ଷାଦାନ ବ୍ୟବସ୍ଥା କରିବା ପାଇଁ ଗୁହାରୀ କରିଛନ୍ତି । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହେଉଛି ।

Leave A Reply

Your email address will not be published.

5 × four =