jayashree

ଏଗ୍ରିଷ୍ଟାକ୍‌ ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି ଜଣାଇଲେ ପୂର୍ବତନ ବିଧାୟକ ସାଧୁ ନେପାକ

ବରଗଡ଼, (ମୁନ୍ନା ସାହୁ) : ଅଯୋଧ୍ୟା ରାମ ମନ୍ଦିରରେ ଚାନ୍ଦା ଚୋରି, ଶିକ୍ଷା ବ୍ୟବସ୍ଥାରେ ଅବ୍ୟବସ୍ଥା, ପ୍ରଶ୍ନପତ୍ର ଲିକ୍‌ ଭଳି ଘଟଣାରେ ଯୁବବର୍ଗଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି ହୋଇଥିବା ବେଳେ ସରକାରଙ୍କ କୁଦୃଷ୍ଟି ଏବେ ଚାଷୀଙ୍କ ଉପରେ ମଧ୍ୟ ପଡ଼ିଛି । ଚାଷୀଙ୍କୁ କୁଇଣ୍ଟାଲ ପିଛା ୩୧୦୦ ଟଙ୍କାରେ ଧାନ କିଣିବାର ପ୍ରତିଶୃତି ଦେଇ ଓଡ଼ିଶାରେ ସରକାର ଗଠନ କରିଥିବା ବିଜେପି ସରକାର ଆଜି ଚାଷୀଙ୍କ ଧାନ କିଣିବା ସମୟରେ ଏଗ୍ରିଷ୍ଟାକ୍ ନାମରେ ବିଭିନ୍ନ ପ୍ରକାର ବାହାନା ଓ ନୂଆ ନୂଆ ନିୟମ ଲଗାଇ ଚାଷୀ ଏବଂ ଭାଗ ଚାଷୀଙ୍କୁ ହଇରାଣ କରୁଛି ବୋଲି ଅଭିଯୋଗ କରିଛନ୍ତି ପୂର୍ବତନ ବିଧାୟକ ଶ୍ରୀ ସାଧୁ ନେପାକ । ଡିଜିଟାଲ ବ୍ୟବସ୍ଥା ମାଧ୍ୟମରେ ସରକାରୀ ସୁବିଧା ଠିକ୍ ଚାଷୀଙ୍କ ପାଖରେ ପହଞ୍ଚାଇବା ଯଦି ଲକ୍ଷ୍ୟ, ତେବେ ଏହାକୁ ଚାଷୀଙ୍କ ଅଧିକାର କାଟିବା, ଧାନ ବିକ୍ରିରେ ବାଧା ସୃଷ୍ଟି କରିବା କିମ୍ବା ଚାଷୀ ଓ ଭାଗ ଚାଷୀଙ୍କୁ ସରକାରୀ ବ୍ୟବସ୍ଥାରୁ ବାଦ୍‌ ଦେବାର ହତିଆର କରାଯିବା ଉଚିତ ନୁହେଁ । ଆମେରିକା ସହ ଚୁକ୍ତି କରି କୃଷି କ୍ଷେତ୍ରକୁ ଖୋଲା ବଜାରରେ ପରିଣତ ନକରିବା ଏବଂ ଦେଶୀ ଓ ବିଦେଶୀ ବଜାରର ଚାପରୁ ସୁରକ୍ଷିତ ରଖିବା, ଚାଷୀଙ୍କ ଉତ୍ପାଦନର ନ୍ୟାୟସଙ୍ଗତ ମୂଲ୍ୟ ସୁନିଶ୍ଚିତ କରିବା, ସାର କଳାବଜାରୀ ରୋକିବା ଏବଂ ଛୋଟ ଓ ମଧ୍ୟମ ଚାଷୀଙ୍କ ହିତକୁ ସର୍ବୋପରି ରଖିବା ସରକାରଙ୍କ ଦାୟିତ୍ୱ । ଏଗ୍ରିଷ୍ଟାକ୍‌ ନାମରେ ଏ ସରକାରର ଷଡ଼ଯନ୍ତ୍ର ଓ ଚାଷୀଙ୍କୁ ଶୋଷଣ କରିବାକୁ କଂଗ୍ରେସ କେବେ ସହ୍ୟ କରିବ ନାହିଁଫ ଚାଷୀଙ୍କ ଅଧିକାର, ଧାନର ନ୍ୟାୟସଙ୍ଗତ ମୂଲ୍ୟ ଓ ସୁନିଶ୍ଚିତ କ୍ରୟ ପାଇଁ କଂଗ୍ରେସ ରାଜରାସ୍ତାରୁ ବିଧାନସଭା ପର୍ଯ୍ୟନ୍ତ ଲଢ଼େଇ କରିବ । ସରକାର ତୁରନ୍ତ ଚାଷୀ ଓ ଭାଗ ଚାଷୀଙ୍କ ସମସ୍ତ ଆପତ୍ତି ଓ ସମସ୍ୟାର ସମାଧାନ କରି ଏଗ୍ରିଷ୍ଟାକ୍‌ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାହାର କରନ୍ତୁ, ନଚେତ୍‌ ଆଗାମୀ ଦିନରେ କଂଗ୍ରେସ ଦଳ ଚାଷୀଙ୍କ ସ୍ୱାର୍ଥରେ ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଗ୍ରହଣ କରିବ । ଆସନ୍ତା ୧୦ ତାରିଖରେ ବିଭିନ୍ନ ଚାଷୀ ସଂଗଠନ ଦ୍ୱାରା ଦିଆଯାଇଥିବା ଆନ୍ଦୋଳନ ଡାକରାକୁ କଂଗ୍ରେସ ଦଳ ପୂର୍ଣ୍ଣ ନୈତିକ ସମର୍ଥନ ରହିଥିବା ନେଇ ତାଙ୍କ ପ୍ରେସ ବିବୃତି ମାଧ୍ୟମରେ ଶ୍ରୀ ସାଧୁ ନେପାକ କହିଛନ୍ତି ।

Leave A Reply

Your email address will not be published.