ଘେଁସରେ ସାହିତ୍ୟର ମହାକୁମ୍ଭ ‘ମେଲନ୍‌ ମେସନ୍‌’ ଉଦ୍‌ଯାପିତ : କବି ଅଭିମନ୍ୟୁ ଦେବତାଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ /କୋଶଲି ଭାଷା ଏକ ଗମ୍ଭିରତାର ସମୟରେ ଉପନୀତ ହୋଇଥିବା ବେଳେ ଏହାର ଅସଲ ବିକାଶ ନିମନ୍ତେ ସାରସ୍ୱତ ସାଧକମାନେ ଅଙ୍ଗିକାରବଦ୍ଧ ହେବା ଉଚିତ୍‌ । କବି, ଲେଖକ ତଥା ସଂଗଠକମାନଙ୍କ ସଚେତନା ମାନସିକତା ହିଁ ଭାଷା ସାହିତ୍ୟରେ ପରିବର୍ତନ ଆଣିବ ବୋଲି ରବିବାର ଘେଁସ ଅଭିମନ୍ୟୁ ସାହିତ୍ୟ ସଂସଦର ମେଲନ୍‌ ମେସନ୍‌ ଉତ୍ସବର ମୁଖ୍ୟ ଅତିଥି ମାନ୍ୟବର ଶ୍ରମ ତଥା ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ମତବ୍ୟକ୍ତ କରିଥିଲେ । ସାହିତ୍ୟ ସଂସଦ ସଭାପତି ସୁଶାନ୍ତ ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ସମ୍ମାନିତ ଅତିଥି ଭାବରେ ପଦ୍ମଶ୍ରୀ ହଲଧର ନାଗ ଏବଂ ମୁଖ୍ୟବକ୍ତା ଭାବରେ କବି ରାମକୃଷ୍ଣ ସାହୁ ଯୋଗଦାନ କରି କବି, ଲେଖକ ଦାୟିତ୍ୱବୋଧ ଶିର୍ଷକରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଂସଦର ବରିଷ୍ଠ ସଦସ୍ୟ ଅଶୋକ କୁମାର ପୂଜାହାରୀ ପରିଚୟ ପ୍ରଦାନ ଏବଂ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଭାଷା, ସାହିତ୍ୟର ପୃଷ୍ଟ ପୋଷକତା ପାଇଁ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତାଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ ପୂର୍ବକ ମୁଖ୍ୟ ଅତିଥି ମାନପତ୍ର ଓ ଉପଢୌକନ ପ୍ରଦାନ କରିଥିଲେ । ଏହି ଅବସରରେ ସଂସଂଦର ମୁଖପତ୍ର ‘ବଉଲ’ ପତ୍ରିକା ଡ. ସୁବାଷ ମେହେରଙ୍କ ପ୍ରବନ୍ଧ ସଂଙ୍କଳନ ‘ଆମର ସାହିତ୍ୟର ବିକାଶ ଧାରା’ ଉନ୍ମୋଚିତ ହୋଇଥିଲା । ୨୦୨୦ ବର୍ଷ ପାଇଁ ସାହିତ୍ୟିକ ଦୋଳ ଗୋବିନ୍ଦ ବିଶିଙ୍କୁ ଅଭିମନ୍ୟୁ ସମ୍ମାନ, ମିନୁ ହୋତାଙ୍କୁ ଆଲୋଚନା ସତ୍ୟ ରଞ୍ଜନ ବେହେରାଙ୍କୁ ନାଟକ, ଲକ୍ଷ୍ମଣ ସୁନାଙ୍କୁ କବିତା ଓ ପଦ୍ମିନୀ ଦାଶ ମହାପାତ୍ରଙ୍କୁ କଥାନି ବିଭାଗ ପାଇଁ ବଉଲ ସମ୍ମାନ ପ୍ରଦାନ କରାଯାଇଥିଲା । ସେହିପରି ୨୦୧୯ ବର୍ଷ ପାଇଁ ସମ୍ବଲପୁର କବି ବିପିନ ଆଚାର୍ୟ୍ୟଙ୍କୁ ଅଭିମନ୍ୟୁ ସମ୍ମାନ, ମନ୍ଦାକିନୀ ଶତପଥୀଙ୍କୁ ଆଲୋଚନା, ପରମେଶ୍ୱର ମୁଣ୍ଡଙ୍କୁ ନାଟକ, ଅନନ୍ତ ମେହେରଙ୍କୁ କବିତା ଓ ପ୍ରଭାତ କୁମାର ସାହୁଙ୍କୁ କଥାନି ବିଭାଗ ପାଇଁ ବଉଲ ସମ୍ମାନ ଦିଆଯାଇଥିଲା । ଡ. ସୁବାଷ ମେହେରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଅଧିବେଶନ ବିଶିଷ୍ଠ ବ୍ୟାଙ୍ଗ କବି ମନୋରଂଜନ ସାହୁ, ନାଟ୍ୟକାର କେଶ ରଂଜନ ପ୍ରଧାନ, ଗବେଷକ ଉତ୍ପନ ଭୋଇ, ଡ ଲକ୍ଷ୍ମୀ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ । ଅଧ୍ୟାପକ ସୁକୁମାର ଭୋଇ ଓ କବି ମୁନୀରାମ କୁମ୍ଭାରଙ୍କ ସଂଯୋଜନାରେ ଶତାଧିକ କବି କବିତା ପାଠ କରିଥିଲେ । କାର୍ୟ୍ୟକ୍ରମର ପ୍ରାରମ୍ଭରେ କବି ଅଭିମନ୍ୟୁ ଦେବତାଙ୍କ ନବର୍ନିମିତ ପ୍ରତିମୂର୍ତ୍ତିକୁ ମୁଖ୍ୟ ଅତିଥି ମନ୍ତ୍ରୀ ସୁଶାନ୍ତ ସିଂହ ଉନ୍ମୋଚନ କରିଥିଲେ । ଉନ୍ମୋଚନ କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା, ଜିଲ୍ଲା ପରିଷଦ ସଦସ୍ୟ ଦୟାନିଧି ପଟେଲ, ସ୍ଥାନୀୟ ସରପଞ୍ଚ ମମତା ସିଂହ ବରିହା, ନନ୍ଦ କିଶୋର ଦେବତା, ବିନୋଦ ମେହେର, ଅମୁଲ୍ୟ ଭୋଇ, ଶ୍ରୀବତ୍ସ ମହାପତ୍ରଙ୍କ ସମେତ କର୍ମକର୍ତ୍ତା ବୃଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ । ଅଭିମନ୍ୟୁ ସାହିତ୍ୟ ସଂସଦ, ସତସଙ୍ଗ ଗୋଷ୍ଠୀ, ପ୍ରଭୃତିର କର୍ମକର୍ତ୍ତା ମାନେ କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସୋଭାଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.