ଦେଓଗାଁ ଯୁକ୍ତଦୁଇ କଲେଜରେ ଜିଲ୍ଲାସ୍ତରୀୟ ହାକାଥନ୍ ଏବଂ ଏନ୍‌ସିଲାରୀ ପ୍ରତିଯୋଗିତା ୨୦୨୨-୨୩ ଅନୁଷ୍ଠିତ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦେଓଗାଁରେ ଶନିବାର ଦିନ ଜିଲ୍ଲାସ୍ତରୀୟ ହାକାଥନ୍ ଏବଂ ଏନ୍‌ସିଲାରୀ ପ୍ରତିଯୋଗିତା ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଉପମନ୍ୟୁ ବାଗ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ଜିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା ଯୋଗ ଦେଇଥିଲେ । ବଲାଙ୍ଗିର ଜିଲ୍ଲା ବିଜ୍ଞାନ ତତ୍ୱାବଧାରକ ରାଜେଶ ମିଶ୍ର ଏବଂ ଆଇଆଇଆଇଟି ଭୁବନେଶ୍ଵର ପକ୍ଷରୁ ସୌଭାଗ୍ୟ ମଲ୍ଲିକ ହାକାଥନ୍ ଏବଂ ଏନ୍‌ସିଲାରୀ ପ୍ରତିଯୋଗିତା ଉପରେ ସମସ୍ତ ପ୍ରତିଯୋଗୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ହାକାଥନ୍ ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ବଲାଙ୍ଗିର ରାଜେନ୍ଦ୍ର ମହାବିଦ୍ୟାଳୟର ଆର୍ୟନ ରାଉତ, ଦ୍ଵିତୀୟ ସ୍ଥାନରେ କୁଡ଼ସୁଡ ଓଏଭିର ଲିପି ଆଡଜୁଏଡ ଏବଂ ତୃତୀୟ ସ୍ଥାନରେ ମହିମୁଣ୍ଡା ଓଏଭିର ପ୍ରିୟଙ୍କା ପ୍ରିୟଦର୍ଶିନୀ ବାଗ ମନୋନୀତ ହୋଇଥିଲେ । ଏନ୍‌ସିଲାରୀ ପ୍ରତିଯୋଗିତାର ଇଂରାଜୀ ରଚନାରେ ୧୬ ଜଣ, ଇଂରାଜୀ ବକ୍ତୃତାରେ ୮ ଜଣ, ଓଡିଆ ରଚନାରେ ୨୨ ଜଣ, ଓଡିଆ ବକ୍ତୃତା ପ୍ରତିଯୋଗିତାରେ ୧୬ ଜଣ ଏବଂ କୁଇଜ ପ୍ରତିଯୋଗିତାରେ ୧୬ ଜଣ ଛାତ୍ରଛାତ୍ରୀ ବଲାଙ୍ଗିର ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟ ଏବଂ ଆଦର୍ଶ ବିଦ୍ୟାଳୟରୁ ଭାଗ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମ ପରିଚାଳନାରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଦେଓଗାଁର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ପରିଶେଷରେ ମିର୍ଦ୍ଧାପାଲି ୟୁଜିଏଚଏସର ପ୍ରଧାନ ଶିକ୍ଷକ ସରୋଜ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.