pakka

ହୁମ୍ମା ଫାଣ୍ଡି ଅଧିକାରୀ ଛାତ୍ରକୁ ମାଡ ଅଭିଯୋଗରେ ପ୍ରତିବାଦ କଲେ ଲୋକେ

bbehera

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ରମ୍ଭା ଥାନା ଅଧିନସ୍ଥ ହୁମ୍ମା ଅଞ୍ଚଳର ଜଣେ କଲେଜ ଛାତ୍ରଙ୍କୁ ବିନା କାରଣରେ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶୀ ମାଡ଼ ମାରିଥିବା ଅଭିଯୋଗରେ ସ୍ଥାନୀୟ ଲୋକେ ସୋମବାର ଫାଣ୍ଡି ସମ୍ମୁଖରେ ପ୍ରତିବାଦ କରିଥିଲେ । ଯାହାଫଳରେ ଦୀର୍ଘ ସମୟ ଧରି ସେଠାରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣା ସ୍ଥଳରେ ଛତ୍ରପୁର ଏସ୍‌ଡିପିଓ ଗୌରହରି ସାହୁ, ଛତ୍ରପୁର ଥାନା ଅଧିକାରୀ ନିରୋଦ ଚନ୍ଦ୍ର ସାହୁ, ରମ୍ଭା ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ, ଗଞ୍ଜାମ ଥାନା ଏଏସ୍‌ଆଇ କ୍ଷେତ୍ର ମୋହନ ସାହୁ ପ୍ରମୁଖ ପହଂଚି ଉପସ୍ଥିତ ଲୋକଙ୍କୁ ବୁଝାସୁଝା କରିଥିଲେ । ପରେ ଭାଜପାର ଏକ ପ୍ରତିନିଧି ଦଳ ସହ ପୋଲିସ ଆଲୋଚନା କରିଥିଲେ । ଆସନ୍ତା ସାତ ଦିନ ମଧ୍ୟରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ଡିପିଓ ପ୍ରତିଶୃତି ଦେବାପରେ ଲୋକମାନେ ସେମାନଙ୍କ ପ୍ରତିବାଦ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ । ଭାଜପା ପକ୍ଷରୁ ଜିଲ୍ଲା ସଭାପତି ଡାକ୍ତର ସୁବାସ ଚନ୍ଦ୍ର ସାହୁ, ପ୍ରଶାନ୍ତ କର, କୃଷ୍ଣ ଚନ୍ଦ୍ର ନାୟକ, ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ବିକ୍ରମ ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ମିଳିଥିବା ସୂଚନା ଅନୁଯାୟୀ ହୁମ୍ମା ଅଞ୍ଚଳର ତ୍ରିନାଥ ସାହୁଙ୍କ ପୁଅ ଦୀପକ କୁମାର ସାହୁ ଗତକାଲି ସାଢେ ଏଗାରଟାରେ ବିରୁଳି କାଇଁଚପୁରରୁ ଯଜ୍ଞ ଦେଖି ନିଜ ବାଇକରେ ଘରକୁ ଫେରୁଥିଲେ । ଆସିଲା ବେଳେ ହୁମା ଫାଣ୍ଡି ପୋଲିସ କଳାଯମୁନା ଗ୍ରାମ ନିକଟସ୍ଥ ହିରାଧାରବାଟି କେନାଲ ନିକଟରେ ଅଟକାଇ ମାଡ଼ ମାରିବା ସହ ଫାଣ୍ଡିରେ ଅଟକ ରଖିଥିଲେ । ଏଥି ସହ ସେହି ଅଞ୍ଚଳର ଆଉ ଜଣେ ଚାଷୀ ବଂଶୀଧର ମହାନ୍ତି ନିଜ ଶସ୍ୟକ୍ଷେତ୍ରରେ ବାରହା ଜଗି ଥିବା ବେଳେ କଣ ହେଲା ବୋଲି ଦେଖିବାକୁ ଆସିବା ବେଳେ ତାଙ୍କ ବାଇକ ସହ କାତି ଥିବା ଦେଖି ହୁମ୍ମା ଫାଣ୍ଡି ପୋଲିସ ନେଇ ଆସିଥିଲେ । ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଆସନ୍ତା ସାତ ଦିନ ମଧ୍ୟରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିବା ପରେ ଉତ୍ୟକ୍ତ ଲୋକେ ବୁଝିଥିଲେ । ଏନେଇ ଛାତ୍ର ଜଣଙ୍କ ନିଜ ବାଇକରେ ମାରଣାସ୍ତ୍ର ରଖିଥିବା ପୋଲିସ ପ୍ରକାଶ କରିଛି । ମାଡ଼ ମାରିବା କଥାକୁ ପୋଲିସ ଅସ୍ୱୀକାର କରିଥିଲେ ।

jay balangir
Leave A Reply

Your email address will not be published.

5 × one =