ଆଜି ପବିତ୍ର ପ୍ରଥମାଷ୍ଟମୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ପବିତ୍ର ପ୍ରଥମାଷ୍ଟମୀ । ପରିବାରର ପ୍ରଥମ ସନ୍ତାନଙ୍କ ପାଇଁ ଦିନଟିଏ । ଯାହାକୁ ପଢୁଆଁଷ୍ଟମୀ ବୋଲି ମଧ୍ୟ କୁହାଯାଏ । ମାର୍ଗଶୀର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ପ୍ରଥମାଷ୍ଟମୀ ପାଳନ ହୁଏ । ଜ୍ୟେଷ୍ଠ ପୁତ୍ରଙ୍କୁ ଏହି ଦିନ ପୂଜା କରାଯାଏ । ଘରେ ଘରେ ପ୍ରଥମାଷ୍ଟମୀରେ ବଡ ପୁଅ ବା ବଡ ଝିଅକୁ ମାଆ ମାନେ ବନ୍ଦାପନା କରନ୍ତି । ଏଣ୍ଡୁରି ପିଠା ତିଆରି ହୁଏ । ଗୋସେବା କରି ଆଶୀର୍ବାଦ ଲାଭ କରାଯାଏ ।

ପରିବାରର ପ୍ରଥମ ସନ୍ତାନଙ୍କୁ ସ୍ନାନ କରାଇ ନୂଆ ବସ୍ତ୍ର ପିନ୍ଧାଇ ଚନ୍ଦନ ଲଗାଇ ବନ୍ଦାପନା କରାଯାଏ । ନୂଆ ଚାଉଳରେ ଖିରି, ଖେଚୋଡି, ଏଣ୍ଡୁରି, କାକରା ଆଦି ପିଠା କରି ମାଆ ଲକ୍ଷ୍ମୀଙ୍କ ନିକଟରେ ଭୋଗ ଲାଗି ହୁଏ । ମାଆମାନେ ଷଷ୍ଠୀ ପୂଜା କରନ୍ତି । ବଡ଼ ପୁଅ ବା ଝିଅର ଦୀର୍ଘାୟୁ କାମନା ପାଇଁ ଦେବୀଙ୍କୁ ପ୍ରାର୍ଥନା କରାଯାଏ । ମାମୁଁ ଘରୁ ପଢୁଆଁ ଭାର ଆସିଥାଏ । ବିବାହିତ ଝିଅମାନଙ୍କୁ ପଢୁଆଁ କରିବାକୁ ପିତାମାତା ତାର ଶାଶୁଘରକୁ ନୂଆ ବସ୍ତ୍ର ସହିତ ନାନା ମିଷ୍ଟାନ୍ନ ପଠାଇଥାନ୍ତି । ପ୍ରଥମାଷ୍ଟମୀ ଲିଙ୍ଗରାଜ ମହାପ୍ରଭୂଙ୍କ ଆଦ୍ୟଯାତ୍ରା । ଓଡିଆଙ୍କ ଆରାଧ୍ୟା ଦେବତା ଶ୍ରୀଜଗନ୍ନାଥ ମଧ୍ୟ ପଢୁଆଁ ହୁଅନ୍ତି ।

ଶ୍ରୀମନ୍ଦିରକୁ ମାମୁଁ ଘର ନିଆଳି ମାଧବ ଜିଉଙ୍କ ଘରୁ ପଢୁଆଁ ଭାର ଆସିଥାଏ । ନବ ବସ୍ତ୍ର, ନାନା ବ୍ୟଞ୍ଜନ, ଫଳମୂଳ ଭାରରେ ରହିଥାଏ । ଭାରକୁ ବୋହି ବୋହି ଶ୍ରୀମନ୍ଦିର ପର୍ୟନ୍ତ ନେଇ ଆସିଥାନ୍ତି ଭାରୁଆ । ଭାରକୁ ନେବା ସମୟରେ ଭଜନ କୀର୍ତ୍ତନ କରି ହରି ନାମ ସହିତ ଆଣିଥାନ୍ତି ଭାରୁଆ । ପ୍ରଥମାଷ୍ଟମୀ ଓଡିଶାର ଘରେ ଘରେ ଖୁବ ଆନନ୍ଦ ଉଲ୍ଲାସରେ ପାଳନ ହୁଏ ।

Leave A Reply

Your email address will not be published.

nine − 2 =