ପ୍ରଜା ଆନ୍ଦୋଳନର ୮୬ ବର୍ଷ ପୂର୍ତ୍ତି ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଚୁଡାପାଲି ହାଇସ୍କୁଲ ପଡିଆରେ ପ୍ରଜା ଆନ୍ଦୋଳନର ୮୬ ବର୍ଷ ପୂର୍ତ୍ତି ଉତ୍ସବ ପାଳିତ ହୋଇଯାଇଛି । ଏହି ପ୍ରଜା ଆନ୍ଦୋଳନର ସୁତ୍ରଧର ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ୧୯୩୮ ମସିହା ସେପ୍ଟେମ୍ବର ୨୯ ତାରିଖ ଦିନ ଚୁଡାପାଲି ଠାରେ ବ୍ରିଟିଶ ସରକାର ତଥା ରାଜତନ୍ତ୍ର ବିରୁଦ୍ଧରେ ମହାପ୍ରଜାମେଳିର ଡାକରା ଦେଇଥିଲେ । ଏହାର ଉଦ୍ଦେଶ୍ୟ ଥିଲା ପ୍ରଜା, କୃଷକ, ଶ୍ରମିକ, ସାଧାରଣ ଜନତାଙ୍କ ଉପରେ ହେଉଥିବା ଅନ୍ୟାୟ, ଅତ୍ୟାଚାର, ବେଠି, ଖଜଣା, ଶୋଷଣ, ଲୁଣ୍ଠନକୁ ରୋକିବା ଦିଗରେ ପ୍ରଥମ କରି ଶ୍ରୀ କୁମୁରାଙ୍କ ନେତୃତ୍ୱରେ ସ୍ୱର ଉଠିଥିଲା । ଯାହାଦ୍ୱାରା ଚୁଡାପାଲିରୁ ଶହ ଶହ ହଳଗାଡିରେ ଏବଂ ଚାଲି ଚାଲି ପ୍ରଜାମାନେ ଆସି ବଲାଙ୍ଗିରରେ ପ୍ରଜାମେଳି କରିଥିଲେ । ଯାହା ଆଜି ମଧ୍ୟ ବଲାଙ୍ଗିର ଇତିହାସରେ ଲିପିବଦ୍ଧ ହୋଇ ରହିଛି । ଏହି ଦିନଟିକୁ ସ୍ମରଣ କରିବା ପାଇଁ ସ୍ୱାଧିନତା ସଂଗ୍ରାମୀ ଯୋଗେଶ୍ୱର କୁମୁରା ସ୍ମୃତି କମିଟି ସଭାପତି ଲୋକନାଥ କୁମୁରାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଡଃ.ମୁକେଶ ମହାଲିଙ୍ଗ ବରେଣ୍ୟ ଅତିଥି ଐତିହାସିକ ତଥା ସାଂସ୍କୃତିକ ଗବେଷକ ଡଃ. ଶିବ ପ୍ରସାଦ ନନ୍ଦ ସମ୍ମାନିତ ଅତିଥି ବିଶିଷ୍ଟ ଶିକ୍ଷାବିଦ ଧର୍ମେନ୍ଦ୍ର ପ୍ରସାଦ ନନ୍ଦ, ଚୁଡାପାଲି ଯୁକ୍ତ ଦୁଇ ଅଧ୍ୟକ୍ଷ କିଶୋର କୁମ୍ଭାର, ସଂଗ୍ରାମୀ ପରିବାର ମାଧୁରୀ କୁମୁରା, ଚନ୍ଦ୍ରିକା କୁମୁରା, ଆଦ୍ୟାସ କୁମୁରା, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡଃ. ତରଣୀସେନ ଭୋଇ ପ୍ରମୁଖ ଯୋଗ ଦେଇଥିଲେ । ବକ୍ତବ୍ୟରେ ମାନ୍ୟବର ମନ୍ତ୍ରୀ ଏ ଅଂଚଳର ସାମୁହିକ ଉନ୍ନତି ପାଇଁ ଏଭଳି ଜଣେ ମହାନ ସଂଗ୍ରାମୀଙ୍କ ସ୍ମୃତିଚାରଣ କରିବା ଏବଂ ଉତ୍ସବ ପାଳନ କରିବା ଦ୍ୱାରା ଅନେକ ଲୁକ୍କାୟିତ ତଥ୍ୟ ସାରା ବଲାଙ୍ଗିର ଜିଲ୍ଲା ପାଇଁ ଶିକ୍ଷଣୀୟ ବିଷୟବସ୍ତୁ ହୋଇ ରହିବ ଏବଂ ସରକାର ଆଗାମୀ ଦିନରେ ନିଶ୍ଚୟ ସଂସ୍କୃତି ବିଭାଗ ଏହି ଐତିହାସିକ ପୀଠକୁ ଉଚିତ ସମ୍ମାନ ଦେବ ବୋଲି ପ୍ରତିଶୃତି ଦେଇଥିଲେ । ଡଃ. ନନ୍ଦଙ୍କ ବକ୍ତବ୍ୟରେ ବଲାଙ୍ଗିର ଇତିହାସ ପୃଷ୍ଠାରେ ଶ୍ରୀ କୁମୁରାଙ୍କ ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ଏଥି ପାଇଁ ସ୍ୱାଧିନତା ପୂର୍ବରୁ ତାଙ୍କ ନେତୃତ୍ୱରେ ବହୁ ଆନ୍ଦୋଳନ ହୋଇଥିଲା ଏବଂ ସ୍ୱାଧିନତା ପରେ ଲୋକଙ୍କୁ ନ୍ୟାୟ ଦେବା ପାଇଁ ନିର୍ବାଚନରେ ମଧ୍ୟ ଭାଗ ନେଇଥିଲେ । ଜୀବନର ଶେଷ ପର୍ଯ୍ୟନ୍ତ ଲୋକଙ୍କ ସେବା ପାଇଁ ନିଜ ଜୀବନଟିକୁ ଉତ୍ସର୍ଗ କରିଥିଲେ । କମିଟି ସଂପାଦକ ଶରତ ନନ୍ଦ ସଭା କାର୍ଯ୍ୟ ପରିଚାଳନା କରିଥିଲେ । ଚୁଡାପାଲି ହାଇସ୍କୁଲ, ଯୁକ୍ତ ଦୁଇ ବିଦ୍ୟାଳୟ, ଶିଶୁ ମନ୍ଦିରର ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ସାମାଜିକ କର୍ମୀ ଜୟକୃଷ୍ଣ ମିଶ୍ର, ଲମ୍ବୋଦର ପଟେଲ, ଅକ୍ଷୟ କୁମାର ଘିଭେଲା, ଶୁଶିଲ କୁମାର ବେହେରା, ବିଜୟ କୁମାର ନାହାକ, ରାଜେଶ୍ୱର କୁମୁରା, ରାମକୁମାର କୁମୁରା, ବିଜୟ କୁମାର ମେହେର, ପଙ୍କଜ ମାଲ, ସନ୍ତୋଷ ସାହୁ, ଚମାର ମହାକୁର, ବିଜୟ ମହଲା, ମଦନ ସାହୁ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସୁନିତା ଦୀପ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.