
ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ବିଦ୍ୟୁତ ବିଭାଗକୁ ଏବେ ଟାଟା ପାୱାର ହାତରେ ଟେକି ଦିଆଯାଇଛି । ଲୋକଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ତଥା ବିଦ୍ୟୁତ ବିଭ୍ରାଟ ନ ହେବା ପାଇଁ ନୂତନ ନିଯୁକ୍ତି ଦିଆଯାଇଥିଲା । ଯାହା ଫଳରେ ବହୁତ ଲୋକ ନିଯୁକ୍ତି ପାଇଥିଲେ । ତେବେ କିଛିଦିନ ହେବ ଟାଟା ପାୱାର ପକ୍ଷରୁ ଆଉଟ୍ ସୋର୍ଶିଂ କର୍ମଚାରୀଙ୍କୁ ଏବେ ଛଟେଇ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ପ୍ରତିବାଦରେ ଶନିବାର ସକାଳେ ହିରା ଜି.ଟି.ଡି କର୍ମଚାରୀ ସଂଘ ଓ ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ଟିଟିଲାଗଡ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ ବିନାୟକ ରାଉତଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ୟୁତ କର୍ମଚାରୀ ସଂଘ ହୀରା ଜିଟିଡି ଓ ହୀରାଖଣ୍ଡ ସଂଘ ପକ୍ଷରୁ ଟିପିଡବଲୁଓଡିଏଲ ପକ୍ଷରୁ ମନମୁଖୀ ଛଟେଇ ବିରୋଧରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ସଭା କରିବା ସହ ଟିପିଡବଲୁଓଡ଼ିଏଲ ପକ୍ଷରୁ ବର୍ତ୍ତମାନ ମନମୁଖୀ ଭାବେ କର୍ମଚାରୀମାନଙ୍କୁ ଛଟେଇ କରୁଥିବାରୁ ବିଦ୍ୟୁତ କର୍ମଚାରୀଗଣ ବିରୋଧ କରିବା ସହ ଏହାର ସମାଧାନ ପାଇଁ ବିଦ୍ୟୁତ ବିଭାଗର ଯନ୍ତ୍ରୀ ବିନାୟକ ରାଉତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅବସରରେ ହୀରାଖଣ୍ଡ ସଂଘର ଜୋନାଲ ସେକ୍ରେଟାରୀ ରଞ୍ଜିତ କୁମାର ଲେଙ୍କା, ହୀରା ଜିଟିଡି କର୍ମଚାରୀ ସଂଘର ଉପସାଧାରଣ ସମ୍ପାଦକ ଅମ୍ଳାନ କୁମାର ନାୟକ, ମନୋଜ ପଟ୍ଟନାୟକ, ସଞ୍ଜୟ ପ୍ରଧାନ, ପ୍ରକାଶ ଦାସ, ତୋଫାନ ସାହୁ ଓ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ଏହି ଛଟେଇ ବନ୍ଦ କରା ନ ଗଲେ ଯେଉଁମାନେ ଏହି ବିଭାଗରେ କାର୍ଯ୍ୟକରି ଅଭିଜ୍ଞ ହୋଇଛନ୍ତି । ସେମାନଙ୍କ ଭବିଷ୍ୟତ ସହ ଖେଳ ଖେଳିବା ସଦୃଶ ଭଳି ହୋଇଯିବ । ଯେଉଁମାନେ ବର୍ଷ ବର୍ଷ ଧରି ଟାଟା ପାୱାର ଅଧୀନରେ କାର୍ଯ୍ୟକରି ଖୁସି ହେଉଥିଲେ ଏହି ଛଟେଇ ଫଳରେ ନିଜର ରୋଜଗାର ହରେଇ ଘରେ ବସିବେ । ତେବେ ପ୍ରତିବର୍ଷ ଏଭଳି ଛଟେଇ ପୁଣି ନିଯୁକ୍ତି କାହା ସ୍ୱାର୍ଥରେ ବୋଲି ପ୍ରଶ୍ନ ପଚାରିବା ସହ ଲୋକଙ୍କ ସରକାର ଯାହାକି ମୋହନ ମାଝୀଙ୍କ ସରକାରରେ ଏଭଳି ଅବ୍ୟବସ୍ଥା କାହିଁକି ବୋଲି ପ୍ରଶ୍ନ କରିଛନ୍ତି ? ତେବେ ଏହି ଛଟେଇ ବନ୍ଦ କରିବାକୁ ଦାବି କରିଛନ୍ତି କର୍ମଚାରୀ ସଂଘ ।