
ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲଗାଣ ବର୍ଷା ଯୋଗୁଁ ଲୋଇସିଂହା ବ୍ଲକର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଶତାଧିକ ବ୍ୟକ୍ତିଙ୍କ ଘର ଭାଙ୍ଗିଥିବା ବେଳେ ହଜାର ହଜାର ଚାଷ ଜମିରେ ବନ୍ୟାପାଣି ମାଡ଼ି ଯାଇ ବାଲିଚର ହୋଇଯାଇଛି । ଅନେକ ଜମିରେ ଫସଲ ନଷ୍ଟ ହୋଇ ଘାଇ ସୃଷ୍ଟି ହୋଇଛି । ନିକଟସ୍ଥ ପଥରଗଡ ଡେମ୍ ସମେତ ଜଡାମୁଣ୍ଡାର ବନ୍ଧ ଭୁଷୁଡ଼ି ଯାଇ ବ୍ୟାପକ କ୍ଷୟକ୍ଷତି ହୋଇଛି । ବନ୍ୟା ପ୍ରଭାବିତ ଅଞ୍ଚଳର ବାସିନ୍ଦା ତଥା ଚାଷୀଙ୍କ କ୍ଷୟକ୍ଷତି ଆକଳନ ପୂର୍ବକ ତୁରନ୍ତ ସହାୟତା ରାଶି ପ୍ରଦାନ କରିବାକୁ ଲୋଇସିଂହା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଦାବି ହୋଇଛି । ବିଜେଡି ଯୁବନେତା ତଥା ବିଧାୟକ ପ୍ରାର୍ଥୀ ନିହାର ରଞ୍ଜନ ବେହେରାଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଲୋଇସିଂହା ତହସିଲଦାରଙ୍କ ଜରିଆରେ ଓଡ଼ିଶା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିବା ଜଣାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ବିଜେଡି ବ୍ଲକ ସଭାପତି ସରୋଜ ବେହେରା, ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଜେଡ଼ି ଯୁବନେତା ସୁନିଲ ଅଗ୍ରୱାଲ, ବିଜୟ ବାବୁ, ପ୍ରସନ୍ନ ନାଗ, କୈଳାସ ବରିହା, ରମାକାନ୍ତ ବିଶ୍ଵାଳ, ପୂର୍ଣ୍ଣଚନ୍ଦ୍ର ସାହୁ, ଲାଲମନ ନାଗଙ୍କ ସମେତ ଶତାଧିକ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ ।