ପୋଡ଼ିଗଲା ଘର : ଘଟଣାର ତଦନ୍ତ କଲେ ତହସିଲଦାର

କଳାହାଣ୍ଡି, (କେପିଏନ୍‌ଏସ୍‌) : ଲାଞ୍ଜିଗଡ ବ୍ଲକ ମାଳିଯୁବାଙ୍ଗ ପଞ୍ଚାୟତ ସୁନାଖଡିକା ଗାଁର ଡମେ ମାଝୀଙ୍କ ଘରେ ନିଆଁ ଲାଗି ଯାଇଥିବା ଯୋଗୁଁ ତିନି ବଖରା ଘର ସମ୍ପୁର୍ଣ୍ଣ ଭାବେ ପୋଡି ନଷ୍ଟ ହୋଇ ଯାଇଛି । ସୂଚନା ମତେ ବିଜେପୁର ଥାନା ଅନ୍ତର୍ଗତ ମାଳିଯୁବାଙ୍ଗ ପଞ୍ଚାୟତର ସୁନାଖଡିକା ଗାଁରେ ଗତ ଶନିବାର ରାତିରେ ୧୨ ଘଣ୍ଟା ସମୟରେ ଡୁମେ ମାଝୀଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା । କିନ୍ତୁ ନିଆଁ ଲାଗିବା ଅଧ ଘଣ୍ଟା ପରେ ଡମେ ଜାଣି ପାରିଥିଲେ । ଘରେ ଶୋଇଥିବା ସ୍ତ୍ରୀ ବିକମଣି ମାଝୀ ଓ ସାତ ମାସର ଶିଶୁଙ୍କୁ ଧରି ଘରୁ ବାହାରି ଅଳ୍ପକେ ବର୍ତ୍ତି ଯାଇଥିଲେ । ଏହା ପରେ ଗାଁ ଲୋକେ ଆସି ନିଆଁକୁ ଲିଭାଇ ଥିଲେ । ସେତେବେଳକୁ ଘରେ ଥିବା ଧାନ, ମାଣ୍ଡିଆ, ଚାଉଳ, ପିନ୍ଧିବା କପଡା ଠାରୁ ଆରମ୍ଭ କରି ଘର ମଧ୍ୟ ସମ୍ପୂର୍ଣ୍ଣ ଭାବେ ପୋଡି ପାଉଁଶ ହୋଇ ଯାଇଥିଲା । ଏହାପରେ ରବିବାର ସକାଳେ ମାଳିଯୁବାଙ୍ଗ ସରପଞ୍ଚ ଲାଲକୃଷ୍ଣ ମାଝୀ, ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୋନ୍ନାଙ୍ଗା, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର ଓ ବ୍ଲକ ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀଙ୍କୁ ଜଣାଇଥିଲେ । ଅଧ୍ୟକ୍ଷ ଇଂ. ମାଝୀ ଲାଞ୍ଜିଗଡ଼ ଅଗ୍ନିଶମ ବିଭାଗର ଫାୟାର ଇନ୍‌ସ୍ପେକ୍ଟର ମନୋରଂଜନ ପାଢ଼ିଙ୍କୁ ଜଣାଇବା ପରେ ଲାଞ୍ଜିଗଡ଼ ଦମକଳ ବିଭାଗ ପକ୍ଷରୁ ଘଟଣା ସ୍ଥଳକୁ ଯାଇ ବଳକା ଥିବା କିଛି ନିଆଁକୁ ଲିଭାଇ ଥିଲେ ।
ରବିବାର ଲାଞ୍ଜିଗଡ଼ ତହସିଲଦାର ମୁନିନ୍ଦ୍ର ହୁନ୍ନାଙ୍ଗା ଗାଁକୁ ଯାଇ ତଦନ୍ତ କରିଥିଲେ ଓ ପରିବାର ଲୋକଙ୍କୁ ଭେଟି ପଲିଥିନ ଦେଇ ପ୍ରଶାସନ ପକ୍ଷରୁ ଯାହା ସୁବିଧା ଅଛି ତାଙ୍କୁ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ । ଅନ୍ୟ ପକ୍ଷରେ ଅଗ୍ନି ବିପତ୍ତି ଯୋଗୁଁ ଏହି ପରିବାର ସର୍ବସ୍ୱାନ୍ତ ହୋଇ ଯାଇଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ମଧ୍ୟ ଖଣ୍ଡିଏ ଜାଗା ନାହିଁ। ତେଣୁ ଏହି ଆଦିବାସୀ ପରିବାରଙ୍କୁ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବୀ ହେଉଛି।

Leave A Reply

Your email address will not be published.