କରୋନା ମାଡ଼ରେ ଦୁର୍ଗା ପୂଜା ଫିକା, ବାନ୍ଧି ହୋଇ ରହିଲେ ଦେବଦେବୀ

ଟିଟିଲାଗଡ, (ଗୌରବ ଦର୍ଜୀ) : କରୋନା ମହାମାରୀ ସାରା ଦେଶରେ ଭୟଙ୍କର ରୂପ ଧାରଣ କରିଛି । ଏହା ମଧ୍ୟରେ ଆସିଛି ପୂଜା ପାର୍ବଣ । କରୋନା ପାଇଁ ରଥ ଯାତ୍ରା, ଶ୍ରାବଣ ଯାତ୍ରା, ଗଣେଶ ପୂଜା, ନୂଆଁଖାଇ , ବିଶ୍ଵକର୍ମା ପୂଜା, ଆଉ ବର୍ତ୍ତମାନ ଦୁର୍ଗାପୂଜା ସବୁ କଟକଣାରେ ବାଟବଣା ହୋଇଗଲା । ଆନନ୍ଦ ଉଲ୍ଲାସର ପର୍ବ ସବୁ ବର୍ତ୍ତମାନ ନିସ୍ପୃହ ଭାବେ ଚାଲିଛି । ବିନା ଭକ୍ତରେ ଭଗବାନ ପୂଜା ପାଉଛନ୍ତି । ସେହି ଭଳି ଆଜି ମା ଦୂର୍ଗା ଅବତରଣ କରିବେ ଧରାପୃଷ୍ଠରେ । ଦେଶ ସାରା କରୋନା କଟକଣା ମଧ୍ୟରେ ପାଳିତ ହେବ ଦୁର୍ଗାପୂଜା। ବଲାଙ୍ଗିର ଜିଲ୍ଲାରେ ଜିଲ୍ଲାପାଳ କଟକଣା ଜାରି କରିଛନ୍ତି । ଟିଟିଲାଗଡର ନଅଟି ସ୍ଥାନରେ ଦୁର୍ଗାପୂଜା କରାଯାଉଛି । କଟକଣାକୁ ମାନି ଦୁର୍ଗାପୂଜା କମିଟିର ସଦସ୍ୟମାନେ ପାଳନ କରୁଛନ୍ତି ପାର୍ବଣ । କଟକଣା ଅନୁଯାୟୀ ମାତ୍ର ଚାରି ଫୁଟ ଉଚ୍ଚତାର ମୂର୍ତ୍ତି ତିଆରି କରିଛନ୍ତି । ଲାଇଟ୍ ଓ ସାଉଣ୍ଡର ଡେକୋରେସନ୍ ମଧ୍ୟ କରାଯାଉନାହିଁ । ପେଣ୍ଡାଲ ମଧ୍ୟ ପ୍ରସ୍ତୁତି କରାଯାଇନାହିଁ । ଟିଟିଲାଗଡ ପୋଲିସର ଡିଏସପି ସୁରେନ୍ଦ୍ର ନାଥ ଶତପଥୀ ନିଜେ ବିଭିନ୍ନ ସ୍ଥାନରେ ବୁଲି ତଦାରଖ କରୁଛନ୍ତି ।

ଉପ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ସମସ୍ତ ଦୁର୍ଗାପୂଜା କମିଟିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ସହ ଆଲୋଚନା କରି ସମସ୍ତଙ୍କୁ କରୋନା କଟକଣା ବିଷୟରେ ବୁଝାଇ କହିଥିଲେ, ଯଦି କେହି ନିୟମ ଉଲଂଘନ କରେ ତେବେ ତାଙ୍କ ବିରୋଧରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ପ୍ରତି ସମସ୍ତ ସଦସ୍ୟ ସହମତି ହୋଇ ଏକ ରାଜିନାମା ସ୍ବାକ୍ଷର କରିଥିବା ଜଣାଯାଇଛି । ଏହା ସହ ପ୍ରତି ବର୍ଷ ଲାଇଟ୍, ସାଉଣ୍ଡ ଓ ବିଭିନ୍ନ ପ୍ରକାର କାରୁକାର୍ଯ୍ୟରେ ସଜାଇ ଯେପରି ଟିଟିଲାଗଡ ସହର ଝଲସୁଥିଲା ବର୍ତ୍ତମାନ ପୂରା ନଗ୍ନ ପ୍ରାୟ । ଆଉ ଦେଖା ଯାଉନାହିଁ ସେହି ସବୁ ଜାକ୍ ଜମକ । ଦୁର୍ଗାପୂଜାର ନବରାତ୍ର ମଧ୍ୟରେ ପଡୁଥିବା ଭାଇ ଜିଉନ୍ତିଆ ପ୍ରତି ବର୍ଷ ମଣ୍ଡପରେ ବହୁତ୍ ଉଲ୍ଲାସରେ ପାଳନ କରା ଯାଉଥିବା ବେଳେ ଏହି ବର୍ଷ ଏହାକୁ ମଧ୍ୟ ବରଣ କରାଯାଇଛି । ତେଣୁ ଘରେ ଘରେ ପୂଜା ପାଠ କରାଯିବ । ଅନ୍ୟ ବର୍ଷ ପରି ଏହି ବର୍ଷ ମଧ୍ୟ ଦୁର୍ଗାପୂଜା ସମୟରେ ଦୋକାନ ବଜାର ଭିଡ଼ ଦେଖା ଦେଇଛି । ଲୋକେ ଘରେ ଘରେ ମାନୁଛନ୍ତି ଦୁର୍ଗାପୂଜା । ଭକ୍ତ ବିନା ମା ଦୁର୍ଗା ପୂଜା ପାଇବେ ଏହି କୋରୋନା ମହାମାରୀର କଟକଣା ପାଇଁ । ଆଗକୁ ଆସୁଛି ଦୀପାବଳୀ । ଦେଖିବାକୁ ରହିଲା ଆଲୋକର ପର୍ବ ଦୀପାବଳି କିପରି ପାଳିତ ହେଉଛି ।

Leave A Reply

Your email address will not be published.