
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ତଥା ଲୋଇସିଂହା ବିଧାୟକ ବଲାଙ୍ଗିର ଲୋଇସିଂହାର ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ବର୍ଷା ଯୋଗୁଁ ଜଳବନ୍ଦୀରେ ପ୍ରଭାବିତ ଗ୍ରାମଗୁଡ଼ିକୁ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି । ଜଳବନ୍ଦୀ ଲୋକଙ୍କ ନିକଟରେ ପହଞ୍ଚି ସେମାନଙ୍କ ସହ ସିଧାସଳଖ ଆଲୋଚନା କରିବା ସହ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ଆଶ୍ୱାସନ ଦେଇଛନ୍ତି । ଗସ୍ତ ସମୟରେ ମନ୍ତ୍ରୀ ଜଳମଗ୍ନ ଅଞ୍ଚଳ ପାଦରେ ଚାଲି ସ୍ଥିତିର ପ୍ରତ୍ୟକ୍ଷ ଅନୁଧ୍ୟାନ କରିଥିଲେ । ବିପଦପୂର୍ଣ୍ଣ ପରିସ୍ଥିତି ସତ୍ତ୍ୱେ ସେ ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୈନନ୍ଦିନ ସମସ୍ୟା, ଖାଦ୍ୟ, ପାନୀୟ ଜଳ, ସ୍ୱାସ୍ଥ୍ୟସେବା ଓ ଅନ୍ୟାନ୍ୟ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ । ମନ୍ତ୍ରୀ ପ୍ରଭାବିତ ଲୋକମାନେ ଯେପରି ସହାୟତାରୁ ବଞ୍ଚିତ ନ ହୁଅନ୍ତି, ସେଥିପାଇଁ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ସେ କହିଥିଲେ ଯେ, ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କ ସହ ସର୍ବଦା ଛିଡ଼ା ହୋଇ ରହିଛନ୍ତି ଏବଂ ସେମାନଙ୍କ ସୁରକ୍ଷା ଓ ସୁବିଧାକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ଗସ୍ତ ସମୟରେ ଉପସ୍ଥିତ ସମସ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହ ମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଥିଲେ । ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ପରିମାଣର ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ, ଔଷଧ, ଆବଶ୍ୟକୀୟ ସ୍ୱାସ୍ଥ୍ୟସେବା ଏବଂ ରୋଗ ନିରାକରଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗ୍ରାମବାସୀମାନେ ମନ୍ତ୍ରୀଙ୍କୁ ନିଜ ମଧ୍ୟରେ ପାଇ ସେମାନଙ୍କ ବିଭିନ୍ନ ସମସ୍ୟା ଜଣାଇଥିଲେ । ମନ୍ତ୍ରୀ ସେମାନଙ୍କ ଅଭିଯୋଗ ଓ ଆବଶ୍ୟକତା ଧୈର୍ଯ୍ୟର ସହ ଶୁଣି ଶୀଘ୍ର ସମାଧାନ ପାଇଁ ପ୍ରଶାସନକୁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀ ପୁଇଁତଲା ବ୍ଲକର କୁଲେରବାହାଲି, ଲସ୍ତଲା, ଲୋଇସିଂହା ବ୍ଲକର ସେମେଲମୁଣ୍ଡା, ଲୋଇସିଂହା ଏନ୍ଏସି, ଆଗଲପୁର ବ୍ଲକର ଡୁଙ୍ଗୁରିପାଲି, ରଫାଖାଲ, ବିନ୍ଧାପାଲି, କଣ୍ଠିପାଲି, ବାଇଗଣଖାରି ଛକ, ବାବୁ୍ଫାସଡ଼, ଲାଟସର ଗାଁ ବୁଲି ଦେଖିଛନ୍ତି । ତାଙ୍କର ଏହି ଗସ୍ତ ବେଳେ ଜିଲ୍ଲାପ୍ରଶାସନ ଏବଂ ବ୍ଲକ ପ୍ରଶାସନ ଅଧିକାରୀ ଉପସ୍ଥିତ ଥିଲେ ।