
ବ୍ରହ୍ମପୁର, (କେ ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ କଙ୍କୋରଡା ଗ୍ରାମପଞ୍ଚାୟତର ଦଳିତ ହରିଜନ ସମ୍ପ୍ରଦାୟର ମହିଳା ସରପଞ୍ଚଙ୍କ ଉପରେ ହୋଇଥିବା ଅସଦାଚରଣ ଓ ଦୁର୍ବ୍ୟବହାର ଅଭିଯୋଗରେ ଗଞ୍ଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ, କଙ୍କୋରଡା ଗ୍ରାମ ପଞ୍ଚାୟତର ସରପଞ୍ଚ ଶ୍ରୀମତୀ ମିନତୀ ସେଠୀ, ତାଙ୍କ ପ୍ରତିନିଧି ମିଥୁନ ସେଠୀ ଏବଂ ଶତାଧିକ ହିତାଧିକାରୀ ଗତ ୦୯-୦୬-୨୦୨୬ ଠାରୁ ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣାରେ ବସିଛନ୍ତି, ଯାହାକି ଆଜି ସୁଦ୍ଧା ୫୨ ଦିନ ଅତିକ୍ରମ କରିଛି ବୋଲି ଜଣାଯାଇଛି । ଅନ୍ତୋର୍ଦୟ ଗୃହ ନିର୍ମାଣ ଯୋଜନାରେ ଅନିୟମିତତା, ସାମାଜିକ ସୁରକ୍ଷା ଭତ୍ତା ପ୍ରଦାନରେ ବିଳମ୍ବ ଓ ବିକାଶମୂଳକ କାର୍ଯ୍ୟରେ ଅବହେଳା ଏବଂ ମହିଳା ସରପଞ୍ଚ ଶ୍ରୀମତୀ ମିନତୀ ସେଠୀଙ୍କ ପ୍ରତି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦୁର୍ବ୍ୟବହାର ଅଭିଯୋଗକୁ କେନ୍ଦ୍ର କରି ଦୀର୍ଘ ୫୨ ଦିନ ଧରି ଚାଲିଥିବା ଗଣଧାରଣା ସମ୍ପର୍କରେ ତୁରନ୍ତ ହସ୍ତକ୍ଷେପ ଓ ସମାଧାନ କରିବା ନିମନ୍ତେ ଗଞ୍ଜାମ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରି ନ୍ୟାୟ ପ୍ରଦାନ ଦାବୀରେ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହିପରି ବହୁ ବୃଦ୍ଧ, ବିଧବା ଓ ଭିନ୍ନକ୍ଷମ ବ୍ୟକ୍ତି ସାମାଜିକ ସୁରକ୍ଷା ଭତ୍ତା ପାଇବାରୁ ବଞ୍ଚିତ ହୋଇ ଅତ୍ୟନ୍ତ କଷ୍ଟଦାୟକ ପରିସ୍ଥିତିରେ ଜୀବନଯାପନ କରୁଛନ୍ତି । ଭାଗଚାଷୀ, ନାମମାତ୍ର ଚାଷୀଙ୍କୁ ଆଗାମୀ ଖରିଫ ଋତୁରେ ଧାନ ଚାଷ ନିମନ୍ତେ ଆବଶ୍ୟକୀୟ ସାର (ପିଡିଆ) ପର୍ଯ୍ୟାପ୍ତ ପରିମାଣର ପ୍ରଦାନ ସହ ଚାଷୀ ପଞ୍ଜୀକରଣରେ ସ୍ୱଚ୍ଛତା ଅବଲମ୍ବନ କରିବା ଦାବୀ, ଚାଷୀଙ୍କ ଧାନକୁ ଟାଳଟୁଳ ନୀତିରେ କଟନୀ ଛଟନୀ ନକରି ସମସ୍ତ ଧାନକୁ ଉଠାଇବା, ସାନଖେମୁଣ୍ଡି ବ୍ଲକରେ ଦୀର୍ଘ ଦୁଇ ବର୍ଷ ଧରି ପଂଚାୟତ ସମିତି ବୈଠକ ହୋଇନଥିବାରୁ ଉନ୍ନତିମୂଳକ କାର୍ଯ୍ୟ ବାଧାପ୍ରାପ୍ତ ଏବଂ ଦୁର୍ନୀତି ବଢ଼ିଛି । ଏଣୁ ଅତିଶୀଘ୍ର ପଂଚାୟତ ସମିତି ବୈଠକ କରିବା ସହ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବା ନିମନ୍ତେ ଦାବୀ କରିଛନ୍ତି । ସାନଖେମୁଣ୍ଡି ବ୍ଲକର ବିଡିଓ, କନିଷ୍ଠ ଯନ୍ତ୍ରୀମାନେ ସାନଖେମୁଣ୍ଡିର ଉନ୍ନୟନ ପାଇଁ ଆସିଥିବା କୋଟି କୋଟି ଟଙ୍କାର ଅର୍ଥ ହଡପର ଭିଜିଲାନ୍ସ ତଦନ୍ତ ଦାବି କରୁଛୁ । ଉଚିତ୍ ନ୍ୟାୟ ନ ମିଳିଲେ ଆଗମୀ ଦିନରେ ଗଞ୍ଜାମ ଜିଲ୍ଲା ଆମ୍ ଆଦମୀ ପାର୍ଟି ପକ୍ଷରୁ ଜନ ଆନ୍ଦୋଳନ ଜୋରଦାର୍ କରାଯିବ ବୋଲି ପ୍ରସାଶନକୁ ଚେତାବନୀ ଦିଆଯାଇଛି ।