jayashree

ନ୍ୟାୟ ଦାବିରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ମୃତ ମହିଳାଙ୍କ ପରିବାର

ବରଗଡ଼, (ମୁନ୍ନା ସାହୁ) : ବରଗଡ଼ ଜିଲ୍ଲାର ପୁରୋହିତ ହସ୍ପିଟାଲରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗକୁ ନେଇ ପରିବାର ଲୋକେ ନ୍ୟାୟ ଦାବିରେ ଆଗକୁ ଆସିଛନ୍ତି । ଏହି ପ୍ରସଙ୍ଗରେ ସେମାନେ ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଳିଙ୍ଗଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଘଟଣାର ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ସୂଚନା ଅନୁସାରେ, ମୃତ ମହିଳା ସୃଷ୍ଟିପ୍ରଭା ପଧାନ ବରଗଡ଼ ଜିଲ୍ଲା ଭଟଲି ବ୍ଲକ୍‌ର ହାତିସର ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ସ୍ତ୍ରୀ ଥିଲେ । ଗତ ମେ’ ୧୩ ତାରିଖରେ ସେ ପୁରୋହିତ ହସ୍ପିଟାଲରେ ଭର୍ତ୍ତି ହୋଇ ଅସ୍ତ୍ରୋପଚାର କରାଇଥିଲେ । ତେବେ ଅସ୍ତ୍ରୋପଚାର ସମୟରେ ତାଙ୍କର ବ୍ଲାଡର କ୍ଷତିଗ୍ରସ୍ତ ହୋଇଥିବା ଏବଂ ଏହା ହିଁ ପରବର୍ତ୍ତୀ ସମୟରେ ମୃତ୍ୟୁର କାରଣ ବୋଲି ପରିବାର ପକ୍ଷରୁ ଗୁରୁତର ଅଭିଯୋଗ କରାଯାଇଛି । ଏହି ଘଟଣାକୁ ନେଇ ପୂର୍ବରୁ ପରିବାର ଓ ସ୍ଥାନୀୟ ଲୋକମାନେ ହସ୍ପିଟାଲ ସମ୍ମୁଖରେ ମୃତଦେହ ରଖି ପ୍ରତିବାଦ କରିବା ସହ ରାସ୍ତାରୋକ ଆନ୍ଦୋଳନ ମଧ୍ୟ କରିଥିଲେ । ତେବେ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବାରୁ ପରିବାର ଲୋକେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି ମୃତ ମହିଳାଙ୍କ ପରିବାର ନିରପେକ୍ଷ ତଦନ୍ତ, ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି ।

Leave A Reply

Your email address will not be published.