ଆରମ୍ଭ ହେଲା ଓଡିଆ ଭାଷାର ଉଲ୍ଲାସର ପର୍ବ

  • ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟିତ
  • ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମାନରେ ସମ୍ମାନିତ
  • ପ୍ରତିଭା ରାୟ, ସୀତାକାନ୍ତ ମହାପାତ୍ର, ପ୍ରଫେସର ଆର୍ଲୋ ଗ୍ରୀଫିଥ୍ ସମ୍ବର୍ଦ୍ଧିତ
  • ସାରା ଓଡିଶା ଆଜି ଓଡିଆ ଭାଷା ପାଇଁ ଏକାଠି ହୋଇଛି
  • ଭାଷା ଗୋଟିଏ ଜାତିର ମୁକୁଟ
  • ଓଡିଆ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହେଉ, ଭଲ ସାହିତ୍ୟ ଉପରେ ଆଲୋଚନା ହେଉ,
  • ଏହି ସମ୍ମିଳନୀ ଓଡିଆ ଭାଷାର ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବ
  • ସମ୍ମିଳନୀର ପ୍ରସ୍ତାବ ଅନୁଯାୟୀ ସ୍ୱତନ୍ତ୍ର ଭାଷା ନୀତି ପ୍ରସ୍ତୁତ ହେବ
  • ଓଡିଆ ଜାତି, ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ । ଓଡିଆ ଭାଷାର ଉଲ୍ଲାସର ପର୍ବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି । ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡିଆ ଭାଷାର ଏହି ମହୋତ୍ସବରେ ସାମିଲ ହୋଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ୱତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ । ଓଡିଆ ଜାତିର ଭବିଷ୍ୟତ ବିକାଶ ରାସ୍ତାକୁ ଏହା ପ୍ରଶସ୍ତ କରିବ ବୋଲି ମତଦେଇ ଓଡିଆ ଜାତିର ଓ ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ୱାସ ପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି । ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ । ଭଲ ସାହିତ୍ୟ ସୃଷ୍ଟି ଉପରେ ଓ ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ ବୋଲି ସେ ମତ ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ସମ୍ମିଳନୀରେ ଆମେ ଆମ ଭାଷାର ଇତିହାସ ଜାଣିବା । ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା । ଓଡିଶା ଭାଷା ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହିଁ ଭବିଷ୍ୟତ । ଓଡିଆ ଭାଷାର ଉନ୍ନତି ପାଇଁ ଓଡିଆ ବିଶ୍ୱବିଦ୍ୟାଳୟ ଖୋଲାଯାଇଛି । ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି । ଓଡିଆ ଭାଷା ଶିକ୍ଷାକୁ ଉତ୍ସାହିତ କରାଯାଇଛି । ଅକ୍ଷର ଭୂମି, ଏ ସମ୍ମିଳନୀର ସ୍ମାରକୀ ଭାବେ ଓଡିଆ ଭାଷାର ଜୟଗାନ କରୁଛି । ଏହି ଅବସରରେ ଆଦିକବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହିତ ଓଡିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ, ସାହିତ୍ୟିକ ଓ କବି ମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ସମ୍ମାନ ଜଣାଇ ଭାଷା ସମ୍ମିଳନୀକୁ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଓଡିଆ ଭାଷା ପାଇଁ ଏକାଠି ହୋଇଛୁ । ଦେଶ ବିଦେଶରେ ଥିବା ଓଡିଆମାନେ ମଧ୍ୟ ଏଥିରେ ଯୋଡି ହୋଇଛନ୍ତି । ବିଶିଷ୍ଟ ଲେଖକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଓଡିଆ ଭାଷା ଓ ସାହିତ୍ୟ ପାଇଁ ଏହା ଏକ ଗୌରବର ସମୟ ବୋଲି ସେ କହିଥିଲେ । ଆମେ ସମସ୍ତେ ଓଡିଆ । ଓଡିଆ ଆମ ଭାଷା ଓ ଆମ ପରିଚୟ ବୋଲି ମତ ପ୍ରକାଶ କରି ସେ କହିଲେ ଯେ ଭାଷା ଗୋଟିଏ ଜାତିର ମୁକୁଟ । ଏହା ଆମ ସମସ୍ତଙ୍କୁ ଏକତାର ମହାମନ୍ତ୍ର ଦେଇଥାଏ । ପରିଶେଷରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ୱାନ ଜଣାଇଥିଲେ । କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇ କହିଲେ ଯେ ଏହି ସମ୍ମିଳନୀ ହେଉଛି ଓଡିଆ ଅସ୍ମିତାର ପରିଚୟ । ଶାସ୍ତ୍ରୀୟ ଭାଷା ଓଡିଆକୁ ଅଧିକ ଲୋକପ୍ରିୟ କରିବା ଏବଂ ଆମ ଭାଷାକୁ ବୈଷୟିକ ଜ୍ଞାନକୌଶଳ ପ୍ରୟୋଗ ଜରିଆରେ କିଭଳି ଆଗକୁ ନେଇ ପାରିବା, ତା ହେଉଛି ଏହି ସମ୍ମିଳନୀର ଆଭିମୁଖ୍ୟ । ସମ୍ମିଳନୀରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ ସ୍ୱାଗତ ଭାଷଣ ଦେଇ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହି ସମ୍ମିଳନୀ ହେଉଛି ଏକ ଭାଷାର ପର୍ବ ଓ ଉତ୍ସବ । ଆଜି ଓଡିଶାରେ ରୂପାନ୍ତର ପ୍ରକ୍ରିୟା ଜାରି ରହିଛି । ରୂପାନ୍ତର ପ୍ରକ୍ରିୟାରେ ଭାଷାର ବହୁତ ବଡ ଭୂମିକା ରହିଛି । ସେଥିପାଇଁ ଆମ ଭାଷାର ଗୌରବ ବୃଦ୍ଧି ଓ ଜୟଗାନ ପାଇଁ ମୁଖ୍ୟମନ୍ତ୍ରୀ ଏହି ବିଶ୍ୱ ଓଡିଆ ଭାଷା ସମ୍ମିଳନୀର ଆୟୋଜନ କରିଛନ୍ତି । ଏହି ସମ୍ମିଳନୀର ପ୍ରସଙ୍ଗ ରହିଛି ଭାଷା ହିଁ ଭବିଷ୍ୟତ । ଆଜି ଏହି ସମ୍ମିଳନୀରେ ୪ଟି ଦେଶର ଭାଷା ବିଶେଷଜ୍ଞଙ୍କ ସମେତ ୧୦୦ରୁ ଅଧିକ ବିଦ୍ୱାନ ଏକତ୍ରିତ ହୋଇଛନ୍ତି । ବୈଷୟିକ ଜ୍ଞନକୌଶଳର ପ୍ରୟୋଗରେ ଆମ ଭାଷାର ଅଭିବୃଦ୍ଧି ପାଇଁ ସେମାନେ ଆମକୁ ଦିଗ୍‌ଦର୍ଶନ ଦେବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ସାଉଥ-ଇଷ୍ଟ ଏସିଆ ଷ୍ଟଡି ପ୍ରଫେସର ଆର୍ଲୋ ଗ୍ରୀଫିଥ୍ କହିଲେ ଯେ ମୁଁ ଓଡିଶାରେ ରହୁଛି, ଭାରତ ଭିତରେ ଓଡିଶା ମୋତେ ବହୁତ ଭଲ ଲାଗେ । ମୁଁ ଜଗନ୍ନାଥଙ୍କୁ ଭଲପାଏ ଓଡିଆ ଭାଷାକୁ ଭଲ ପାଏ ଏବଂ ଓଡିଆ ଭାଷାକୁ ବ୍ୟବହାର କରେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଶିଷ୍ଟ ଭାଷାବିତ୍‌ ପ୍ରଫେସର ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ ଓଡିଆ ଭାଷାର ବିକାଶ ଉଦ୍ଦେଶ୍ୟରେ ତାଙ୍କର ଜୀବନବ୍ୟାପୀ ସାଧନା ପାଇଁ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମାନରେ ସମ୍ମାନିତ କରିଥିଲେ । ପୁରସ୍କାର ସ୍ୱରୂପ ତାଙ୍କୁ ମାନପତ୍ର ଓ ୨୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲା । ଏହି ଅବସରରେ ଦୁଇ ଓଡିଆ ଜ୍ଞାନପୀଠ ପୁରସ୍କାର ବିଜେତା ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ ଏବଂ ପ୍ରଫେସର ଆର୍ଲୋ ଗ୍ରୀଫିଥଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ । ପ୍ରଥମ ଓଡିଆ ଭାଷା ସମ୍ମାନରେ ସମ୍ମାନିତ ହୋଇଥିବା ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ମୁଁ ଦେଶବିଦେଶରେ ବହୁ ଜାଗାରେ ସମ୍ମାନିତ ହୋଇଛି । କିନ୍ତୁ ଆଜିକାର ସମ୍ମାନ ମୋ ଜୀବନର ସବୁଠାରୁ ବଡ ସମ୍ମାନ । ଏ ସମ୍ମାନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସମ୍ମାନ ବୋଲି ସେ ପ୍ରକାଶ କରି ଧନ୍ୟବାଦ ଜଣାଇଥିଲେ । ପଦ୍ମବିଭୂଷଣ ଡକ୍ଟର ସୀତାକାନ୍ତ ମହାପାତ୍ର କହିଥିଲେ ଯେ ଓଡିଆ ଭାଷାର ଭବିଷ୍ୟତ ବହୁତ ଉଜ୍ଜଳ । ଭାଷା ସାହିତ୍ୟରେ କେବଳ ଆତ୍ମ ସନ୍ତୋଷ ପାଇଁ ନୁହେଁ, ପାଠକ ସୃଷ୍ଟି କରିବାର ମଧ୍ୟ ଆବଶ୍ୟକତା ରହିଛି । ଆଜିର ଏହି ସମ୍ମିଳନୀ ଓଡିଆ ଭାଷା ସାହିତ୍ୟର ଅଭିବୃଦ୍ଧି ପାଇଁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏହାଦ୍ୱାରା ଓଡିଆ ଭାଷା ଆହୁରି ଆଗକୁ ବଢିବ ବୋଲି ସେ ଆଶାପ୍ରକାଶ କହିଥିଲେ । ତାଙ୍କ ବକ୍ତବ୍ୟରେ ପଦ୍ମଭୂଷଣ ଡକ୍ଟର ପ୍ରତିଭା ରାୟ କହିଥିଲେ ଯେ ଆଜି ଆମ ସମସ୍ତଙ୍କ ପାଇଁ ଏହା ଏକ ଉଲ୍ଲାସ ଦିନ, ପର୍ବର ଦିନ ଓ ଆନନ୍ଦର ଦିନ । ମାନବ ଜାତିର ବିସ୍ମୟକର ଉଦ୍ଭାବନ ହେଉଛି ଭାଷା । ହଜାର ହଜାର ବର୍ଷରେ ଭାଷାଟିଏ ଜନ୍ମ ନିଏ । କିନ୍ତୁ ଲିଖନ, ପଠନ ଓ ବ୍ୟବହାର ନ ହେଲେ, ଭାଷାଟିଏ ମରିଯାଏ । ମୁଖ୍ୟମନ୍ତ୍ରୀଙ୍କର ଏହି ସମ୍ମିଳନୀର ଆୟୋଜନ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଏହା ଭାଷାକୁ ଆହୁରି ପରିପୁଷ୍ଟ କରିବ । ଏହି ବିଶ୍ୱ ଓଡିଆ ଭାଷା କୁମ୍ଭକୁ ଓଡିଆ ଭାଷା ସାହିତ୍ୟର ପୂର୍ଣ୍ଣ ଜାଗୃତି ପର୍ବ ଭାବରେ ସେ ବର୍ଣ୍ଣନା କରିଥିଲେ । କାର୍ଯ୍ୟକ୍ରମରେ ଯୁବ ଲେଖିକା ସ୍ୱୟଂ ସ୍ୱରୂପା କର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

19 − twelve =