ଦକ୍ଷିଣ ଭାରତରେ ବୋମୁଲୁଗୋଲୁ ପୂଜା ଏକ ନିଆରା ପରମ୍ପରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଭାରତରେ ବୋମୁଲୁଗୋଲୁ ପୂଜା ଏକ ନିଆରା ପରମ୍ପରା । ଏହା ଏକ ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସିଅଛି । ଏହି ପୂଜା ନବରାତ୍ର ପୂଜା ଅବସରରେ ବିଜୟା ଦଶମୀ ପର୍ଯ୍ୟନ୍ତ କେବଳ ଘରେ ଘରେ ପ୍ରତ୍ୟେକ ଧନୀ, ସମ୍ବ୍ରାନ୍ତ ଶ୍ରେଣୀର ଲୋକେ ପାଳନ କରିଆସୁଛନ୍ତି । ତାମିଲନାଡୁ, କର୍ଣ୍ଣାଟକ, କେରଳ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଏବଂ ଆନ୍ଧ୍ର-ପ୍ରଭାବିତ ଅଞ୍ଚଳ ବ୍ରହ୍ମପୁର ସହରରେ ମଧ୍ୟ ଏହି ପରମ୍ପରା ବହୁ ପୂର୍ବରୁ ପ୍ରଚଳିତ ଥିଲା । ଆଧୁନିକ ଯୁଗର ବ୍ୟସ୍ତ ବହୁଳ ଜୀବନ ଭିତ୍ତିରେ ସ୍ମାର୍ଟ ଡିଜିଟାଲ ଯୁଗରେ ଏହି ପୂଜାର ପ୍ରଚଳନ ଏବେ ଲୁପ୍ତ ହେବାରେ ଦେଖାଦେଇଛି । ତେଲୁଗୁ ବୈଶ୍ୟ, କମା, ତେଲୁଗୁ ବ୍ରାହ୍ମ ସମାଜ, ତେଲୁଗୁ କ୍ଷତ୍ରିୟ ପରିବାର, ଦାକ୍ଷିଣାତ୍ୟର ଜମିଦାରୀ ଓ ରାଜପରିବାର ଲୋକଙ୍କ ଘରେ ଘରେ ଏବେ ବି ଏହି ପୂଜା ପ୍ରଚଳିତ ହୋଇଆସିଛି । ଏବେ ବି କୋଉଠି ନା କୋଉଠି ଏହି ପୂଜାର ମହନୀୟ ପରମ୍ପରା ଉତ୍ସାହୀ ଚିନ୍ତାଶୀଳ ବ୍ୟକ୍ତିଙ୍କ/ବନ୍ଧୁଙ୍କ ଘରେ ଦେଖିବାକୁ ମିଳେ । ଗଞ୍ଜାମ ସହରର ଜଣେ ଖ୍ୟାତିନାମା ବ୍ୟବସାୟିକ ଫୋଟୋ ଗ୍ରାଫର ପି.କ୍ରିଷ୍ଣା ନାଇଡୁ ଓ ତାଙ୍କ ସହଧର୍ମିଣୀ ପି.ଶଶୀ କଳାଙ୍କ ସହଯୋଗରେ ଏହା ପ୍ରାୟତଃ ଦୀର୍ଘ ୭ ବର୍ଷ ଧରି ତାଙ୍କ ଘରେ ପାଳନ କରି ଆସୁଛନ୍ତି । ଏହି ପୂଜାର୍ଚ୍ଚନା କେବଳ ସାଧାସିଧା ଭାବେ ପୂଜା କରାଯାଇଥାଏ । ଦୁଇବେଳା ଆରତୀ ଏବଂ ମିଷ୍ଟାନ୍ନ ଭୋଗ କରି ଏହି ତେତିଶୀ କୋଟି ଦେବା ଦେବୀଙ୍କ ପୂଜା ଆରାଧନା କରିଥାଆନ୍ତି ବୋଲି ଗଞ୍ଜାମ ସହରର ଏହି ଦମ୍ପତି କୁହନ୍ତି । ଗଣେଶ, ଲକ୍ଷ୍ମୀ, ସରସ୍ୱତୀ, କାଳୀ, ଦୁର୍ଗା, ଦୁର୍ଗାଙ୍କ ବିଭିନ୍ନ ରୂପ, ଭଗବାନ ଶ୍ରୀକୃଷ୍ଣ, ଶ୍ରୀରାମ, ଜଗନ୍ନାଥ, ବିଷ୍ଣୁଙ୍କ ବହୁରୂପ, ଦେବୀ ଦଶଭୂଜାଙ୍କ ବହୁରୂପୀ, ହନୁମାନ, ସୁଗ୍ରୀବ, ଗରୁଡ଼ ପକ୍ଷୀରାଜ ଆଦି ଛୋଟ ଛୋଟ ଦେବା ଦେବୀଙ୍କ କଣ୍ଢେଇ, ଖେଳନା ଗୁଡିକ ସାଇତି ରଖିଥାନ୍ତି । ବର୍ଷକୁ ଥରେ ନବରାତ୍ର ପୂଜା ବେଳକୁ ସେଗୁଡିକ ବାହାର କରି ଘରେ ମିନି ମେଢ଼ ସଦୃଶ ସଜାଡି ସାର୍ବଜନୀନ ଭାବେ ପ୍ରଦର୍ଶିତ କରିଥାନ୍ତି । ଘରକୁ ଅତିଥି, ବନ୍ଧୁ ପରିଜନ, ଜ୍ଞାତି କୁଟୁମ୍ବ, ପିଲାମାନଙ୍କର ସାଙ୍ଗସାଥୀ, ବନ୍ଧୁବର୍ଗ ଆସନ୍ତି । ଘରର ଏହି ଚିତାକର୍ଷକ ବୋମୁଲୁଗୋଲୁ ସୁସଜ୍ଜିତ ପରିସରରେ ଚିତାକର୍ଷକ ଚିତା, ଝୋଟି, ଦେଇ ପୂଜାର୍ଚ୍ଚନା କରି ତେତିଶୀ କୋଟି ଦେବତାଙ୍କୁ ଆରାଧନା କରିଥାନ୍ତି । ବୋମୁଲୁଗୋଲୁ ସ୍ୱରୂପ ପୂଜା ଆସରରେ ସାଜସଜ୍ଜା ବାସ୍ତବିକ କୁନି କୁନି ଶିଶୁମାନଙ୍କ ମନରେ ଭକ୍ତି ଭାବନାର ଚେତନା ଆଣିଥାଏ । ଏହା ପିଲାମାନଙ୍କର ଅବା କୁନି-ରାଇଜକୁ ମନମୁଗ୍ଧ କରିବା ସହ ଆଧ୍ୟାତ୍ମିକ ଜ୍ଞାନ, ଈଶ୍ୱର ଚିନ୍ତନ ଓ ଭକ୍ତିବାଦର ଚେତନା ଆଣିଦେଇଥାଏ । ଏହି ବୋମୁଲୁଗୋଲୁ ପୂଜା ସାଜସଜ୍ଜାରେ ଲଙ୍କା କାଣ୍ଡ, ରାମାୟଣ, ମହାଭାରତ, ପ୍ରାଚୀନ ଯୁଗର ବିବାହ ଶୋଭାଯାତ୍ରା ଆଦି ସାଇତି ରଖିଥିବା ମାଟି କଣ୍ଢେଇ ଗୁଡିକର ପିଲାଖେଳ ପ୍ରଦର୍ଶିତ ହୋଇଥାଏ । ସର୍ବୋପରି ଏହି ବୋମୁଲୁଗୋଲୁ ପୂଜା ବିଶେଷ କରି ପିଲାମାନଙ୍କ ବେଶ ଖୁସି ମନାଇ ଦେଇଥାଏ ।

Leave A Reply

Your email address will not be published.

nine + 12 =