
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କନ୍ଧମାଳ ଜିଲ୍ଲାର ତୁମୁଡ଼ିବନ୍ଧ ବ୍ଲକ ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ଅକସ୍ମାତ୍ ଦେହାନ୍ତ ହୋଇଯାଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଠାରୁ ଆରମ୍ଭ କରି ଅନେକ ଆଗଧାଡିର ନେତା ନେତ୍ତୃବର୍ଗ ତାହାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଶୋକବ୍ୟକ୍ତ କରିଛନ୍ତି। ବାଲିଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀକ୍ଷେତ୍ରରେ ସେ ୨୦୦୪ ଓ ୨୦୦୯ ରେ ଦୁଇ ଦୁଇ ଥର ଏହି ଆସନରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ କୁଇ ଭାଷା ସାହିତ୍ୟରେ ଅନେକ ବହି ଲେଖିଥିଲେ । ଓଡ଼ିଶାର ନିପଟ ମଫସଲ କନ୍ଧମାଳ ଜିଲ୍ଲାର, ତୁମୁଡ଼ିବନ୍ଧ ବ୍ଲକ୍, ଗୁମ୍ମା ଗ୍ରାମରୁ ଆସିଥିବା କୁଟିଆ କନ୍ଧ ସମ୍ପ୍ରଦାୟର ପ୍ରଥମ ସ୍ନାତକୋତ୍ତର ବାଲିଗୁଡ଼ାର ଦୁଇ ଦୁଇ ଥର ବିଧାୟକ କରେନ୍ଦ୍ର ମାଝୀଙ୍କ ଅକସ୍ମାତ୍ ଦେହାନ୍ତ ଖବର ପାଇ ଅନେକ ନେତା ନେତ୍ତୃବର୍ଗ, କର୍ମୀ, ବିଶିଷ୍ଟ ବ୍ୟକ୍ତି ବିଶେଷ୍ୟଗଣ ଖବର ପାଇ ମର୍ମାହତ ହୋଇପଡ଼ିଛନ୍ତି । ସେ ଜଣେ ଅମାୟିକ, ମିଷ୍ଟଭାଷୀ, ମେଳାପି ଥିଲେ । ସବୁବେଳେ ଲୋକଙ୍କ ପାଖରେ ଥିବା ଭଲ ମଣିଷ ଟିଏ, ଆଉ ନାହାନ୍ତି, ଏକଥା ଭାବି ତାଙ୍କ ନିଜ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କରି ସମାଜ ପାଇଁ ଅନେକ ଅଭୁଲା ସ୍ମୃତି ରହିଯାଇଛି ।