
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ ଜାମସେଠ ବିଜୁ ଏକ୍ସପ୍ରେସୱେର ବୁଲାଣି ନିକଟରେ ବୁଧବାର ଅପରାହ୍ନରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଅଞ୍ଚଳର ଜଣାଶୁଣା ସମାଜସେବୀ ଓ ଜାମସେଠ ସମବାୟ ସମିତିର ପୂର୍ବତନ ସଭାପତି ତଥା ବିଜେପି ନେତା ବେଣୁଧର ବେହେରା (୫୮)ଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ଜାମସେଠ ପଞ୍ଚାୟତ ଅନ୍ତର୍ଗତ ଖରାମାଳ ଗ୍ରାମର ବାସୀନ୍ଦା ବେଣୁଧର ବେହେରା ନିଜ ମୋଟର ସାଇକେଲରେ ମାଣ୍ଡୋସିଲ ପଟରୁ ଘରକୁ ଫେରୁଥିବା ବେଳେ ଅପରାହ୍ନ ପ୍ରାୟ ୩ଟା ସମୟରେ ଜାମସେଠ ନିକଟସ୍ଥ ବିଜୁ ଏକ୍ସପ୍ରେସ ୱେ ବୁଲାଣି ଅଞ୍ଚଳରେ ପଛପଟରୁ ଦ୍ରୁତଗତିରେ ଆସୁଥିବା ଏକ ପିକଅପ୍ ଗାଡ଼ି (ସିଜି ୦୬ ଜି ୦୭୦୩୫) ତାଙ୍କ ବାଇକକୁ ଧକ୍କା ଦେଇଥିଲା । ଧକ୍କା ଫଳରେ ସେ ରାସ୍ତା ଉପରକୁ ଛିଟିକି ପଡ଼ି ମୁଣ୍ଡରେ ଗୁରୁତର ଆହତ ହୋଇ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ନୂଆପଡ଼ା ସରକାରୀ ଚିକିତ୍ସାଳୟକୁ ନେଇଥିଲେ । ଦୁର୍ଘଟଣା ପରେ ପିକଅପ୍ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ବେଳେ ପାଇକମାଲ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଫେରାର ଚାଳକଙ୍କ ସନ୍ଧାନ ଜାରି ରହିଥିବା ସୂଚନା ମିଳିଛି । ଏନେଇ ପାଇକମାଲ ଥାନାରେ ଏକ ମାମଲା ରୁଜୁ ହୋଇଛି । ନୂଆପଡ଼ାରେ ଆସନ୍ତା କାଲି ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ । ସ୍ୱର୍ଗତ ବେଣୁଧର ବେହେରା ଜଣେ ସକ୍ରିୟ ସମାଜସେବୀ ଭାବେ ପରିଚିତ ଥିଲେ । ସାମାଜିକ ଓ ଜନହିତକର କାର୍ଯ୍ୟକ୍ରମ ସହ କୃଷକମାନଙ୍କ ସମସ୍ୟା ସମାଧାନରେ ତାଙ୍କର ଉଲ୍ଲେଖନୀୟ ଅବଦାନ ରହିଥିଲା । ସେ ନିଜ ପଛରେ ସ୍ତ୍ରୀ ଓ ତିନି ସନ୍ତାନଙ୍କୁ ଛାଡ଼ି ଯାଇଛନ୍ତି । ତାଙ୍କ ମୃତ୍ୟୁରେ ଅଞ୍ଚଳର ବହୁ ଜନପ୍ରତିନିଧି ଏବଂ ଅଞ୍ଚଳବାସୀ ଗଭୀର ଶୋକ ପ୍ରକାଶ କରିଛନ୍ତି । ତାଙ୍କ ଅକାଳ ବିୟୋଗ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

