jayashree

ସମାଜସେବୀ ଗୋଲକ ବିହାରୀ ପଟେଲଙ୍କ ପରଲୋକ

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ବ୍ଲକ ଅନ୍ତର୍ଗତ କୁଶଙ୍ଗ ଗ୍ରାମର ବିଶିଷ୍ଠ ସମାଜସେବୀ ଗୋଲକ ବିହାରୀ ପଟେଲଙ୍କ ଶନିବାର ରାତିରେ ଦେହାନ୍ତ ହୋଇଯାଇଛି । ସେ କିଛିଦିନ ହେଲା ବାର୍ଦ୍ଧକ୍ୟ ଜନିତ ଅସୁସ୍ଥ କାରଣରୁ ଶଯ୍ୟାଶାୟୀ ଥିଲେ । ତାଙ୍କୁ ମୃତ୍ୟୁବେଳକୁ ୮୧ ବର୍ଷ ବୟସ ହୋଇଥିଲା । ସେ ୧୯୪୫ ମସିହାରେ କୁଶଙ୍ଗରେ ଜନ୍ମ ହୋଇ ପ୍ରାଥମିକ ଶିକ୍ଷାଲାଭ ପରେ ବଲାଙ୍ଗିର ପୃଥ୍ୱୀରାଜ ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିଲେ । ୧୯୬୪ ମସିହାରେ ପୋଲିସ ବିଭାଗର ରାଇଟର ପଦବୀରେ ଚାକିରୀ ଆରମ୍ଭ କରିଥିଲେ । ପଦୋନ୍ନତି ପାଇ ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ଦକ୍ଷତାର ସହ ନିଜ କାର୍ଯ୍ୟ ସଂପାଦନ କରିଥିଲେ । ଜଣେ ସଚ୍ଚୋଟ ପୋଲିସ ଅଧିକାରୀ ଭାବରେ ତାଙ୍କର ସୁନାମ ଥିଲା । ଭୁବନେଶ୍ଵରରେ ପୋଲିସ ସବ-ଇନ୍ସପେକ୍ଟର ଭାବରେ ଚାକିରୀ କରୁଥିବାବେଳେ ୧୯୮୬ ମସିହାରେ ସ୍ୱେଚ୍ଛାକୃତ ଭାବେ ଚାକିରୀରୁ ଅବସର ନେଇ ନିଜ ଜନ୍ମମାଟି କୁଶଙ୍ଗରେ ଅବସ୍ଥାନ କରି ସମାଜସେବାରେ ନିଜକୁ ସମର୍ପିତ କରିଥିଲେ । ତାଙ୍କର ପ୍ରଚେଷ୍ଟାରେ କୁଶଙ୍ଗରେ ଆଞ୍ଚଳିକ ମହାବିଦ୍ୟାଳୟ ପ୍ରତିଷ୍ଠା ହୋଇଥିଲା । ଅନ୍ୟ ଉପାନ୍ତ ଗାଁରେ ମଧ୍ୟ ହାଇସ୍କୁଲ ପ୍ରତିଷ୍ଠା କରିବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ଅଦମ୍ୟ ଇଚ୍ଛାଶକ୍ତି, ପ୍ରଶାସନିକ ଦକ୍ଷତା, ଦୂରଦୃଷ୍ଟି ବଳରେ ବିଭିନ୍ନ ସାମାଜିକ ସଂଗଠନ ସହିତ ନିଜକୁ ଜଡିତ କରି ନିଃସ୍ୱାର୍ଥପର ଭାବରେ ଜନସେବା କରିଆସୁଥିଲେ । କୁଶଙ୍ଗ ପଞ୍ଚାୟତରୁ ସମିତି ସଭ୍ୟ ଭାବରେ ମଧ୍ୟ ସେ ନିର୍ବାଚିତ ହୋଇଥିଲେ । କୁଶଙ୍ଗ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି କଳ୍ପେ ନିଜକୁ ସମର୍ପିତ କରି ନବେ ଦଶକରୁ କୁଶଙ୍ଗରେ ଏକ ନୂତନ ବ୍ଲକ ପ୍ରତିଷ୍ଠା ପାଇଁ ନିରନ୍ତର ଉଦ୍ୟମ କରି ଆସୁଥିଲେ । ଯାହାକି ତାଙ୍କର ଏହା ବଡ଼ ସ୍ଵପ୍ନ ଥିଲା । ସେ କୁଶଙ୍ଗରେ ଲୋକକଳାର ଉନ୍ନତି ପାଇଁ ସ୍ଥାନୀୟ ଏବଂ ଲୋଇସିଂହା ବ୍ଲକର କଳାକାରମାନଙ୍କୁ ନେଇ”ମା’ ଉଗ୍ରତାରା ସାଂସ୍କୃତିକ କଳାକାର ସଂଘ” ନାମରେ ଏକ ସଂଘ ପ୍ରତିଷ୍ଠା କରିଥିଲେ । ଏହି କଳାକାରମାନେ ପ୍ରତିବର୍ଷ “ମକର ସଂକ୍ରାନ୍ତି” ଅବସରରେ ମକର ମିଳନ ଉତ୍ସବ ପାଳନ କରି ଲୋକକଳା ପ୍ରଦର୍ଶନ କରିଆସୁଛନ୍ତି । ସଂଗଠନର ପ୍ରତିଷ୍ଠାତା ତଥା ଆବାହକ ଭାବରେ ବୟସ୍କ କଳାକାରମାନେ କିପରି ସରକାରଙ୍କ ଠାରୁ ଭତ୍ତା ଓ ସାହାଯ୍ୟ ପାଇପାରିବେ ସେ ନିରନ୍ତର ବିଭାଗୀୟ କତ୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରୁଥିଲେ । ଅବସର ନେଲା ପରେ ଅନେକ ବ୍ୟସ୍ତତା ସତ୍ତ୍ଵେ ଘରେ ହୋମିଓପାଥି ଚିକିତ୍ସା କରି ମଧ୍ୟ ଲୋକମାନଙ୍କର ସେବା କରୁଥିଲେ । ତାଙ୍କର ମହତ୍ ଜନସେବା ପାଇଁ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ସେ ସମ୍ମାନିତ ହୋଇଥିଲେ । ସେଥିମଧ୍ୟରୁ “ଅଷ୍ଟଭୂଜା ସାହିତ୍ୟ ଅନୁଷ୍ଠାନ, ପୁରୀ, ରାଜ୍ୟ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଜୟ ଦେବଭଜନ, ଭୁବନେଶ୍ଵର, ପ୍ରାଇଭେଟ ହୋମିଓପାଥି ପ୍ରାକ୍ଟିସ ସଂଘ ଦ୍ଵାରା ଏକଲବ୍ୟ ପୁରସ୍କାର, ଆଞ୍ଚଳିକ ମହାବିଦ୍ୟାଳୟ କୁଶଙ୍ଗ ତରଫରୁ ସମାଜସେବା ଓ କଲେଜର ପ୍ରତିଷ୍ଠାତା ଭାବରେ ସମ୍ମାନ ପ୍ରଦାନ ଇତ୍ୟାଦି ଅନେକ ସମ୍ମାନ ଅନ୍ୟତମ । ତାଙ୍କର ମୃତ୍ୟୁଶଯ୍ୟା ନିକଟରେ ଆତ୍ମିୟ ସ୍ଵଜନ ମଧ୍ୟରେ ଭାଇ ଗଦାଧର, ବଳରାମ, ଦୁଇପୁଅ ଲୋକନାଥ ଓ ମନୋହର, ଝିଅ ଏବଂ ଜ୍ୱାଇଁ ଅବସରପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ପଟେଲ, ନାତି ଦେବାଶିଷ ଓ ନାତୁଣି ଉପସ୍ଥିତ ଥିଲେ । ତାଙ୍କର ଶବାଧାରରେ କୁଶଙ୍ଗ ଗ୍ରାମର ଅନେକ ଭଦ୍ରବ୍ୟକ୍ତି, କଳାକାର ଓ ବିଶିଷ୍ଟ ବ୍ୟକ୍ତିମାନେ ସାମିଲ ଥିଲେ । ରବିବାର ସକାଳେ ଗାଁ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡ ପୁଅ ଲୋକନାଥ ପଟେଲ ମୁଖାଗ୍ନି ଦେଇଥିଲେ । ଗୋଲକ ବିହାରୀ ପଟେଲଙ୍କ ଅବର୍ତ୍ତମାନରେ କୁଶଙ୍ଗ ଗ୍ରାମ ତଥା ଅଞ୍ଚଳର ଅପୂରଣୀୟ କ୍ଷତି ହେଲା ବୋଲି ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି । ସେ ଜଣେ କେବଳ ବ୍ୟକ୍ତି ନଥିଲେ ଏକ ଅନୁଷ୍ଠାନ ଥିଲେ ବୋଲି କହିଛନ୍ତି । ପ୍ରକାଶ ଥାଉକି ତାଙ୍କର ସହଧର୍ମିଣୀ ପୂର୍ବରୁ ଇହଲୋକ ତ୍ୟାଗକରି ସାରିଛନ୍ତି ।

Leave A Reply

Your email address will not be published.