jayashree

ଗୋପାଳ ପଟ୍ଟନାୟକଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପ୍ରାୟ ତିନି ବର୍ଷ ଅସୁସ୍ଥ ରହିବା ପରେ ଅବସରପ୍ରାପ୍ତ ଶିକ୍ଷକ ଗୋପାଳ ଚନ୍ଦ୍ର ପଟ୍ଟନାୟକ(୮୨)ଙ୍କର ମୃତ୍ୟୁ ହୋଇଯାଇଛି । ମାସାଧିକ କାଳ ରାୟପୁର ଏମ୍ସରେ ଚିକିତ୍ସିତ ହୋଇ ଗତ ଗୁରୁବାର ରାତିରେ ସେ ବଲାଙ୍ଗିର ଫେରିଥିଲେ । ତେବେ ରବିବାର ଭୋର ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେବାରୁ ତାଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜ ହସ୍‌ପିଟାଲକୁ ନିଆଯାଇଥିଲା । ତେବେ ଅଳ୍ପ ସମୟ ପରେ ସେଠାରେ ସେ ଆଖି ବୁଜିଥିଲେ । ପୂର୍ବାହ୍ନରେ ବିଭୂତିପଡା ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ବଡପୁଅ ଟ୍ୟାକ୍ସ ଏଡ୍‌ଭୋକେଟ ଶଶାଙ୍କର ମୁଖାଗ୍ନି ଦେଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ ତଥା ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ନିର୍ମଳାବାଳା ମହାନ୍ତି, ଦୁଇକନ୍ୟା ମଧୁଲିସା ଓ ମଧୁମିତା, ସାନ ପୁଅ ଭିମସାର ଆସିଷ୍ଟାଣ୍ଟ ପ୍ରଫେସର ଡା. ଦୀପଙ୍କର, ଜାମାତା ‘ସମ୍ବାଦ’ର ବାର୍ତ୍ତା ସମ୍ପାଦକ ଅରବିନ୍ଦ ଦାସ, ଦୁଇବୋହୂ ଶୁଭଶ୍ରୀ ସାହୁ ଓ ମୋନିକା ମହାପାତ୍ର, ଚାରି ନାତିନାତୁଣି, ଆତ୍ମୀୟସ୍ଵଜନ, ବନ୍ଧୁପରିଜନ ଉପସ୍ଥିତ ଥିଲେ ।

ତଦାନୀନ୍ତନ ପାଟଣା ଗଡଜାତ ରାଜ୍ୟର ହେଡକ୍ଲର୍କ ତଥା ସ୍ଥାନୀୟ କ୍ଲବରୋଡ-ରାଧାରାଣୀପଡା ନିବାସୀ ସ୍ବର୍ଗତ ନରସିଂହ ଚରଣ ପଟ୍ଟନାୟକଙ୍କ ଏକମାତ୍ର ସନ୍ତାନ ଗୋପାଳ ଅବିଭକ୍ତ ବଲାଙ୍ଗିର କଳାହାଣ୍ଡି ଜିଲ୍ଲାର ସଇଁତଳା, କଣ୍ଟାବାଞ୍ଜି, ତରଭା, ତୁରେକଲା, ଜୁନାଗଡ, ଖରିଆରର ବିଭିନ୍ନ ଏମ୍‌.ଇ. ଓ ହାଇସ୍କୁଲରେ ଶିକ୍ଷକତା କରି ୨୦୦୧ ମସିହାରେ ବଲାଙ୍ଗିର ପୃଥ୍ବୀରାଜ ହାଇସ୍କୁଲରୁ ଅବସର ଗ୍ରହଣ କରିଥିଲେ । ଭୂଗୋଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ଛାତ୍ରଛାତ୍ରୀଙ୍କର ପ୍ରିୟ ସ୍ବର୍ଗତ ପଟ୍ଟନାୟକ ମଧ୍ୟ ଜଣେ ଅତ୍ୟନ୍ତ ଭଦ୍ର ଓ ମିଷ୍ଟଭାଷୀ ବ୍ୟକ୍ତି ଭାବେ ପରିଚିତ । ସ୍ୱର୍ଗତ ପଟ୍ଟନାୟକ ଜଣେ ମଞ୍ଚନାଟକ ସ୍ଥପତି ଓ ଚିତ୍ରଶିଳ୍ପୀ ମଧ୍ୟ ଥିଲେ । ତାଙ୍କ ମୃତ୍ୟୁରେ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.