jayashree

ଟିଟିଲାଗଡ ଉପଖଣ୍ଡ ଚିକିତ୍ସାଳୟରେ ପଞ୍ଜୀକରଣ କେନ୍ଦ୍ରରେ କର୍ମଚାରୀ ନିୟୋଜିତ କରିବାକୁ ଦାବି

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ସହରର ମଧ୍ୟ ଭାଗରେ ଥିବା ଉପଖଣ୍ଡ ଚିକିତ୍ସାଳୟକୁ ପିପଲପଦର ସ୍ଥିତ ନୂତନ ବିଲ୍ଡିଙ୍ଗକୁ ଏହି ମାସ ୮ ତାରିଖରେ ସ୍ଥାନାନ୍ତର କରାଯାଇଛି । ପୁରୁଣା ଡାକ୍ତରଖାନା ଅପେକ୍ଷା ବହୁତ ସୁନ୍ଦର ତଥା ବଢିଆ ପରିବେଶରେ କୋଡ଼ିଏ କୋଟି ଟଙ୍କା ବ୍ୟୟରେ ୨୦୨୪ ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ଦୀର୍ଘ ଦୁଇ ବର୍ଷ ପରେ ଏଠାକୁ ସ୍ଥାନାନ୍ତର ହେଲା । ସହରରୁ ଚାରି କିଲୋମିଟର ଦୂରରେ ଅବସ୍ଥିତ ଥିବା ଏହି ଉପଖଣ୍ଡ ଚିକିତ୍ସାଳୟକୁ ରୋଗୀ ଆସିଲା ବେଳକୁ ପଞ୍ଜୀକରଣ କାଉଣ୍ଟରଟି ବନ୍ଦ ରହୁଛି । କାରଣ ଏତେ ଦିନ ହେଲା ନୂତନ ପଞ୍ଜୀକରଣ କେନ୍ଦ୍ର ଖୋଲା ଯାଇନାହିଁ ଫଳରେ ରୋଗୀ କିମ୍ବା ରୋଗୀ ସଂପର୍କୀୟମାନେ ପୁଣି ପଛକୁ ଫେରି ମାତୃ ଶିଶୁ ହସ୍ପିଟାଲରେ ପଞ୍ଜୀକରଣ କରାଇ ଚିକିତ୍ସା କରିବାକୁ ଯାଉଛନ୍ତି । ଯେଉଁଥିପାଇଁ ରୋଗୀ ଏବଂ ରୋଗୀଙ୍କ ସଂପର୍କୀୟ ହଇରାଣ ହେଉଛନ୍ତି । ଉପର ମହଲାରେ ରୋଗୀ ଯେଉଁଠି ଚିକିତ୍ସିତ ହେଉଛନ୍ତି ସେଠାରେ କମ୍‌ ନର୍ସ ରହୁଥିବା ଯୋଗୁଁ ତଥା ଉପଖଣ୍ଡ ଚିକିତ୍ସାଳୟ ପରିସର ବଡଥିବାରୁ ସାଲାଇନ କିମ୍ବା ଦରକାରୀ ଇଞ୍ଜେକସନ ଦେବାରେ ବିଳମ୍ବ ହେଉଥିବା ଅଭିଯୋଗ ହେବା ସହ ନର୍ସ ଷ୍ଟାଫ ସଂଖ୍ୟା ବୃଦ୍ଧି କରିବାକୁ ଦାବି ହେଉଛି । ଆଗ ଅପେକ୍ଷା ଏବେ ଅଧିକ ବିଶେଷଜ୍ଞ ଡାକ୍ତର ଯୋଗ ଦେଇଥିବା ବେଳେ ଆଉ ଗୋଟିଏ ମେଡିସିନ ସ୍ପେଶିଆଲିଷ୍ଟ ଆଣିବାକୁ ମଧ୍ୟ ଦାବି ହେଉଛି । ଏହି ଅଞ୍ଚଳରେ ଆହୁରି ଗୋଟିଏ ବଡ ସମସ୍ୟା ହେଲା ବାରମ୍ବାର ବିଦ୍ୟୁତ କାଟ୍‌ । ଯାହାଫଳରେ ଡିଜିରେ ବିଦ୍ୟୁତ ଯୋଗାଣ ପାଇଁ ଘଣ୍ଟାକୁ ୬୦ ଲିଟର ପିଛା ଡିଜେଲ ଖର୍ଚ୍ଚ ହେବା ଜଣାପଡ଼ିଛି । ତେଣୁ ଏ ଦିଗରେ ବିଭାଗୀୟ ଅଧିକାରୀ ଯଥା ଶୀଘ୍ର ପଦକ୍ଷେପ ଗ୍ରହଣ କଲେ ସହରରୁ ଦୂରକୁ ଅଣାଯାଇଥିବା ଉପଖଣ୍ଡ ଚିକିତ୍ସାଳୟକୁ ରୋଗୀ ଆସି ଉପଯୁକ୍ତ ଚିକିତ୍ସା ପାଇ ପାରିବେ କୁହାକୁହି ହେଉଛନ୍ତି । ଅତି ସୁନ୍ଦର ପରିବେଶ ସହ ଗାଡ଼ି ପାର୍କିଂ ବ୍ୟବସ୍ଥା, ରୋଗୀମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା ଥାଇ ମଧ୍ୟ କିଛି କିଛି ଅସୁବିଧା ଯୋଗୁଁ ରୋଗୀ ନିରାଶ ହେଉଥିବା ଶୁଣିବାକୁ ମିଳୁଛି ।

Leave A Reply

Your email address will not be published.