ଗୋଟିଏ ପଟେ କରୋନା ପ୍ରହାର : ଅନ୍ୟପଟେ ଅସମ୍ଭାଳ ପନିପରିବା ଦର

ବଲାଙ୍ଗିର, (କେପିଏନ୍‌ଏସ୍‌) : କରୋନା ମହାମାରୀର ପ୍ରହାରରେ ଜୀବନ ଜୀବିକା ତ୍ରାହି ତ୍ରାହି ଡାକ ଛାଡ଼ୁଛି । ଯଦିବି ଦେଶରେ, ରାଜ୍ୟରେ ତଥା ଜିଲ୍ଲାରେ ମଧ୍ୟ ସଂକ୍ରମଣର ମାତ୍ରା କମିଛି, ତଥାପି କରୋନା କବଳରେ ପେଷି ହୋଇଯାଇଛି ଲୋକଙ୍କ ଆର୍ଥିକ ସ୍ଥିତି । ଏତିକି ବେଳେ ବଜାରକୁ ଯିବା ସମୟରେ ଆକାଶଛୁଆଁ ପନିପରିବା ଦର ଶୁଣି ଅସମ୍ଭାଳ ହୋଇ ପଡ଼ୁଛନ୍ତି ସହରବାସୀ । ସବୁ ପନିପରିବା କିଲୋ ପିଛା ପ୍ରାୟତଃ ୫୦ ଟଙ୍କା ଉପରେ । ଅନ୍ୟପଟେ ଆଳୁ ପିଆଜରେ କାମ ଚଳେଇବା ଅବସ୍ଥା ବି ନାହିଁ । ଆଳୁ କିଲୋ ପିଛା ୫୦ ଟଙ୍କାକୁ ଛୁଇଁବାକୁ ବସିଲାଣି । ପିଆଜ କଥା ତ’ ନ କହିବା ଭଲ । କିଲୋ ପିଛା ଶହେକୁ ଛୁଇଁବା ପାଇଁ ଲସର ପସର ।

ବଜାରରେ ଏବେ ଟମାଟର୍‌ କେଜି ପ୍ରତି ପାଖାପାଖି ୫୦ ଟଙ୍କା ରହିଥିବା ବେଳେ ଭେଣ୍ଡି, କଲରା, ଝୁଲଣ, ବନ୍ଧାକୋବି, ଫୁଲକୋବି, ଗାଜର, ବିମ୍‌ସ୍‌, ପୋଟଳ, ଗୁଆଁର ୬୦ ଟଙ୍କାରୁ ଅଧିକ ରହିଥିବା ଦେଖିବାକୁ ମିଳିଛି । ସିମ୍‌ଲା ଲଙ୍କା ଆଉ ସଜନା ଛୁଇଁ ଶହେ ଉପରେ କଥାବାର୍ତ୍ତା । ବାଇଗଣ, ଅମୃତଭଣ୍ଡା, ଲାଉ, କୁନ୍ଦୁରୁ ବି କମ୍‌ ଦମ୍‌ରେ ନାହାନ୍ତି । ତାହା ବି ୪୦ ଟଙ୍କା ଉପରେ ଦର । ଏଭଳି ପରିସ୍ଥିତିରେ ଗରିବ ଲୋକେ କେମିତି ଗୁଜୁରାଣ ମେଂଟାଇବେ, ତାହା ଚିନ୍ତାର ବିଷୟ ପାଲଟିଛି ।

Leave A Reply

Your email address will not be published.