pakka

ବଲାଙ୍ଗିରଠାରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ୍‌ସ ଦିବସ ପାଳିତ

bbehera
  • ନିୟନ୍ତ୍ରଣ ପାଇଁ ଜନ ସଚେତନତା ଉପରେ ଗୁରୁତ୍ଵାରୋପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ଏଡ୍‌ସ ନିରାକରଣ ୟୁନିଟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ଏଡ୍‌ସ ନିରାକରଣ କାର୍ଯ୍ୟକ୍ରମର ସହଯୋଗୀ ବେସରକାରୀ ସଂସ୍ଥା ସହଯୋଗରେ ଜିଲ୍ଲାସ୍ତରୀୟ ବିଶ୍ଵ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ବିଶ୍ଵ ଏଡ୍‌ସ ଦିବସ ପାଳନ ଉପଲକ୍ଷେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରୁ ବାହାରିଥିବା ଏକ ସଚେତନତା ରାଲିକୁ ଜିଲ୍ଲାପାଳ ଚଞ୍ଚଳ ରାଣା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତାଙ୍କ ଦ୍ଵାରା ଅନୁଷ୍ଠିତ ଏହି ରାଲି ସହର ପରିକ୍ରମା କରି ସିଡିଏମଓ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆସିଥିଲା । ରାଲି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲର ମେଡିକାଲ ଅଧିକ୍ଷକ ଡ଼. ମାନସୀ ପଣ୍ଡା, ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. କୁବେର ଚନ୍ଦ୍ର ମହନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ପରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. କୁବେର ଚନ୍ଦ୍ର ମହନ୍ତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ଦିବ୍ୟ କିଶୋର ପତି, ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିନୟ କୁମାର ପାତ୍ର, ସହକାରୀ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ଟି.ବି) ଡ଼. ସିଦ୍ଧେଶ୍ଵର ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଏଚଆଇଭି / ଏଡସର ନିରାକରଣ ପାଇଁ ଜନ ସଚେତନତା ଦ୍ଵାରା ହିଁ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ସରକାରୀ, ବେସରକାରୀ ଓ ବିଭିନ୍ନ ସାମାଜିକ ସଂଗଠନ ପାରସ୍ପାରିକ ସହଯୋଗ ରକ୍ଷା କରି ଏଡସ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ଓ ଲୋକାଭିମୁଖୀ କରିବା ଦିଗରେ ଚେଷ୍ଟିତ ହେବା ନିମନ୍ତେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଚେତନତା ସଭାରେ ବିଶ୍ଵ ଏଡ୍‌ସ ଦିବସର ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଏନଏମ ତାଲିମ କେନ୍ଦ୍ରର ଛାତ୍ରୀମାନେ ଏଡ୍‌ସ ସଚେତନତା ସମ୍ପର୍କିତ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ ଏବଂ ସଭାରେ ଏଡ୍‌ସ ସମ୍ପର୍କିତ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଏଡ୍‌ସ ନିରାକରଣ ୟୁନିଟର ଜିଲ୍ଲା ପ୍ରୋଗ୍ରାମ ମେନେଜର ରାଜେନ୍ଦ୍ର କୁମାର ମହାରଣା ଜିଲ୍ଲାରେ ଏଡ୍‌ସ ନିୟନ୍ତ୍ରଣ ଓ ନିରାକରଣ ନିମନ୍ତେ ଗ୍ରହଣ କରାଯାଉଥିବା ପଦକ୍ଷେପ, ସ୍ଥିତି ଏବଂ ଏଡ୍‌ସ ରୋଗୀମାନେ ପାଉଥିବା ବିଭିନ୍ନ ସରକାରୀ ସହାୟତା ସମ୍ପର୍କରେ ସୂଚନା ଦେବା ସହ ସଭା କାର୍ଯ୍ୟ ପରିଚାଳନା କରିଥିଲେ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଦିବସ ପାଳନ ଉପଲକ୍ଷେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.

4 × 1 =