jayashree

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ, ବଙ୍ଗୋମୁଣ୍ଡାରେ ଅନ୍ତର୍ଜାତୀୟ ବାଳିକା ଦିବସ-୨୦୨୬ ପାଳିତ

  • ବାଳିକା ଶିକ୍ଷା, ଅଧିକାର ଓ ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ

ବଙ୍ଗୋମୁଣ୍ଡା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବଙ୍ଗୋମୁଣ୍ଡାସ୍ଥିତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟଠାରେ ଅନ୍ତର୍ଜାତୀୟ ବାଳିକା ଦିବସ-୨୦୨୬ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଯାଇଛି । ବାଳିକାମାନଙ୍କ ଶିକ୍ଷା, ଅଧିକାର, ସମାନତା ଓ ସଶକ୍ତୀକରଣ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅତିଥିବୃନ୍ଦଙ୍କ ଦ୍ୱାରା ଏକ ସଚେତନତା ରାଲି ଆୟୋଜିତ ହୋଇଥିଲା । ଏହି ରାଲି ମାଧ୍ୟମରେ ବାଳିକା ଶିକ୍ଷାର ଗୁରୁତ୍ୱ, ମହିଳାଙ୍କ ସମ୍ମାନ ଏବଂ ସମାଜରେ ବାଳିକାମାନଙ୍କ ସମାନ ଅଧିକାର ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଛାତ୍ରୀମାନଙ୍କୁ ନେଇ ବକ୍ତୃତା ଓ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏଥିରେ ଛାତ୍ରୀମାନେ ଉତ୍ସାହର ସହିତ ଭାଗ ନେଇ ନିଜର ପ୍ରତିଭା ଓ ଜ୍ଞାନର ପରିଚୟ ଦେଇଥିଲେ । ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ମାନସୀ ସତନାମୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବଙ୍ଗୋମୁଣ୍ଡା କ୍ଲଷ୍ଟରର ସିଆରସିସି ଜିତାମିତ୍ର ବିଶି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଳିକା ଶିକ୍ଷାର ମହତ୍ତ୍ୱ ଓ ସମାଜ ଗଠନରେ ଏହାର ଭୂମିକା ଉପରେ ଆଲୋକପାତ କରିଥିଲେ । ଶିକ୍ଷା ହିଁ ବାଳିକାମାନଙ୍କୁ ଆତ୍ମନିର୍ଭରଶୀଳ, ଆତ୍ମବିଶ୍ୱାସୀ ଓ ସଶକ୍ତ କରିବା ସହିତ ନିଜ ଜୀବନରେ ସଫଳତା ହାସଲ କରିବାର ପଥ ପ୍ରଶସ୍ତ କରେ ବୋଲି ସେ ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ରେଣୁରଞ୍ଜନ ବାଗ ବାଳିକାମାନଙ୍କ ଅଧିକାର, ସୁରକ୍ଷା, ଆତ୍ମବିଶ୍ୱାସ ଓ ଉଚ୍ଚଶିକ୍ଷାର ଆବଶ୍ୟକତା ସମ୍ପର୍କରେ ନିଜର ମତ ରଖିଥିଲେ । ସମାଜର ପ୍ରତ୍ୟେକ କ୍ଷେତ୍ରରେ ବାଳିକାମାନଙ୍କୁ ସମାନ ସୁଯୋଗ ଦେବା ସହିତ ସେମାନଙ୍କ ସ୍ୱପ୍ନ ପୂରଣ ପାଇଁ ପରିବାର ଓ ସମାଜ ସହଯୋଗ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଅନିଲ ଖମାରୀଙ୍କ ସମେତ ବିନୀତା ସିନ୍ଦୂର, ଚୈତନ୍ୟ ରଣା, ଲିପିକା ପାତ୍ର, ସୁନୀତା ସୁନା, ନର୍ସିଂ ଦେଭୂରୁ, ସୁଦର୍ଶନ ପୁଟେଲ, ଶଶିକଳା ବାଗ, ସସ୍ମିତା ବେହେରା, ଭୂମି ରଣା, ଶୃତି ରଣା, ଅଞ୍ଜନା ସାହୁ, ସଂଯୁକ୍ତା ଭୋଇ, ଭାରତୀ ମାଝୀ, ମୀନାରାଣୀ ସିଂ, ଅପୁର ରଣା, ସନ୍ତୋଷିନୀ ଠାକୁର, ମହବନ୍ତ ବାଗ ଓ କାର୍ତ୍ତିକ ଶତନାମୀ ପ୍ରମୁଖ ଯୋଗଦେଇଥିଲେ । ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରିରାମ ଶତନାମୀ ମଞ୍ଚ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମଟି ବାଳିକାମାନଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ, ଆତ୍ମବିଶ୍ୱାସ ଓ ସାମାଜିକ ସଚେତନତା ବୃଦ୍ଧି କରିବାରେ ସହାୟକ ହୋଇଥିଲା ।

Leave A Reply

Your email address will not be published.