jayashree

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, କେସିଙ୍ଗାରେ ବିଶ୍ୱ ଜଳାତଙ୍କ ଦିବସ ପାଳିତ

କେସିଙ୍ଗା, (ପ୍ରୀତେଶ ପଟେଲ) : କେସିଙ୍ଗାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ସମୀର କୁମାର ବେହେରାଙ୍କ ସଭାପତିତ୍ୱରେ ବିଶ୍ୱ ଜଳାତଙ୍କ ଦିବସ–୨୦୨୬ ଉତ୍ସାହ ଓ ସଚେତନତାର ସହିତ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ପ୍ରାଣୀ ଚିକିତ୍ସାଳୟ, କେସିଙ୍ଗାର ମୁଖ୍ୟ ସୌମ୍ୟ ରଞ୍ଜନ ଦାଶ ନିଜ ଅଭିଭାଷଣରେ ରେବିଜ୍ ରୋଗ ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରିଥିଲେ । ବିଶେଷକରି କୁକୁର, ବିଲେଇ ଆଦି ପଶୁଙ୍କ କାମୁଡ଼ାରୁ ରେବିଜ୍ ସଂକ୍ରମଣର ସମ୍ଭାବନା, ଏହାର ଲକ୍ଷଣ, ପ୍ରତିଷେଧ ଓ ପଶୁ କାମୁଡ଼ିଲେ ତୁରନ୍ତ ନେବାକୁ ଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ ଏବଂ ସଂକ୍ରମିତ ପଶୁ କାମୁଡ଼ିଲେ କ୍ଷତସ୍ଥାନକୁ ତୁରନ୍ତ ସାବୁନ ଓ ପ୍ରବାହିତ ପାଣିରେ ଭଲଭାବେ ଧୋଇବା, ବିଳମ୍ବ ନକରି ଚିକିତ୍ସା କେନ୍ଦ୍ରକୁ ଯିବା ସହ ଓ ଡାକ୍ତରଙ୍କ ପରାମର୍ଶ ଅନୁସାରେ ରେବିଜ୍ ପ୍ରତିଷେଧକ ଟିକା ନେବାର ଗୁରୁତ୍ୱ ଛାତ୍ରୀମାନଙ୍କୁ ବୁଝାଇଥିଲେ । ଏଥିସହିତ ରାସ୍ତାରେ ବୁଲୁଥିବା ପଶୁମାନଙ୍କ ପ୍ରତି ସତର୍କ ଓ ଦାୟିତ୍ୱଶୀଳ ଆଚରଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ଛାତ୍ରୀମାନେ “ରେବିଜ୍ ମୁକ୍ତ ସମାଜ” ଗଠନ ପାଇଁ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଜଳାତଙ୍କ ପ୍ରତିରୋଧରେ ସଚେତନତା, ଦାୟିତ୍ୱଶୀଳ ପଶୁ ଯତ୍ନ ଓ ସମୟୋପଯୋଗୀ ଚିକିତ୍ସାର ଗୁରୁତ୍ୱ ଉପରେ ପ୍ରାଣୀ ଜନ ନିରୀକ୍ଷକ ଶରତଚନ୍ଦ୍ର ପ୍ରହରାଜ ମତବ୍ୟକ୍ତ କରିଥିଲେ । ଶେଷରେ ଛାତ୍ରୀମାନଙ୍କ ମଧ୍ୟରେ ରେବିଜ୍ ସଚେତନତା ସମ୍ପର୍କିତ ଶପଥ ଓ ସଚେତନତା ବାର୍ତ୍ତା ପ୍ରଦାନ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ରୀ ସୁଚିସ୍ମିତା କୁମାରୀ ପରିଚାଳନା କରିଥିଲା ବେଳେ ବିଦ୍ୟାଳୟର ୟୁଥ୍ ଓ ଇକୋ କ୍ଲବର ଭାର ପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.