
କଣ୍ଟାବାଞ୍ଜି, (କେପିଏନ୍ଏସ୍) : କଣ୍ଟାବାଞ୍ଜିସ୍ଥିତ କେ.ଭି. ମହାବିଦ୍ୟାଳୟରେ ଆଭ୍ୟନ୍ତରୀଣ ଗୁଣବତ୍ତା ଆଶ୍ୱାସନା କୋଷ ଓ ପ୍ରଜାପିତା ବ୍ରହ୍ମ କୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, କଣ୍ଟାବାଞ୍ଜି ଶାଖାର ମିଳିତ ଆନୁକୂଲ୍ୟରେ ନିଶା ନିବାରଣ ଦିବସ ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ମନୋଜ ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଶା ନିବାରଣର ଆବଶ୍ୟକତା ଓ ଏହାର କୁପରିଣାମ ସମ୍ପର୍କରେ ଆଲୋକପାତ କରିଥିଲେ । ନିଶାମୁକ୍ତ ଯୁବପିଢ଼ି ହିଁ ଏକ ସୁସ୍ଥ, ସୁନ୍ଦର ଓ ସମୃଦ୍ଧ ସମାଜ ଗଠନର ମୁଖ୍ୟ ଆଧାର ବୋଲି ସେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ରାମଚନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶା ନିବାରଣ ଦିବସ ପାଳନର ଉଦ୍ଦେଶ୍ୟ ଓ ଛାତ୍ର ଜୀବନରେ ନିଶାଠାରୁ ଦୂରେଇ ରହିବାର ଆବଶ୍ୟକତା ବିଷୟରେ ଉଦ୍ବୋଧନ ଦେଇଥିଲେ । କଣ୍ଟାବାଞ୍ଜି ବ୍ରହ୍ମ କୁମାରୀ ଶାଖାର ପରିଚାଳିକା ବି.କେ. ଉର୍ମିଳା ମୁଖ୍ୟବକ୍ତା ଭାବେ ଯୋଗଦେଇ ମନକୁ ନିୟନ୍ତ୍ରଣରେ ରଖିବା, ନିଶାଠାରୁ ଦୂରେଇ ରହିବା ଏବଂ ନିଜର ବ୍ୟକ୍ତିତ୍ୱ ଓ ପରିବାରର ସୁଖ-ଶାନ୍ତି ବଜାୟ ରଖିବା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ପ୍ରେରଣାଦାୟକ ବାର୍ତ୍ତା ଦେଇଥିଲେ । ସେ ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ଜୀବନଯାପନ କରିବା ସହ ଭାରତ, ପରିବାର ଓ ନିଜ ବ୍ୟକ୍ତିତ୍ୱ ଗଠନ ପାଇଁ ସଂକଳ୍ପବଦ୍ଧ ହେବାକୁ ଶପଥ ପାଠ କରାଇଥିଲେ । ଓଡ଼ିଆ ବିଭାଗର ଅଧ୍ୟାପକ ଡଃ. ସଂଜୟ କୁମାର ମିଶ୍ର ଛାତ୍ରଛାତ୍ରୀଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ଉତ୍ସାହିତ କରିଥିଲେ । କ୍ୟୁଏସି ସଂଯୋଜକ ଯତୀନ୍ ଦ୍ଵାରୀ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବାଣିଜ୍ୟ ବିଭାଗର ମୁଖ୍ୟ ଯଶୋବନ୍ତ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ ଉତ୍ସାହ ଓ ଆଗ୍ରହର ସହ ଯୋଗଦେଇ ନିଶାମୁକ୍ତ ଜୀବନ ପାଇଁ ସଂକଳ୍ପ ନେଇଥିଲେ । ବ୍ରହ୍ମ କୁମାରୀ ଶାଖାର ବି.କେ. ଗଣପତି ଓ ବି.କେ. ପଦ୍ମାବତୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ନମିତା ମହାନ୍ତି, ଦିଶା ଅଗ୍ରୱାଲ, ଉର୍ମିଳା ସାହୁ, ଅଧ୍ୟାପକ ଡଃ. ନିଳାମ୍ବର ସାରକା, ରୋହିତ କିଶୋର କୁମ୍ଭାର, କୃଷ୍ଣ ମେହେର, ମନୀଷ ମହାନ୍ତି ଓ ସୌରଭ ଆଚାରୀ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।