ସୋନପୁରରେ ରଥାଯାତ୍ରା ମହସମାରୋହରେ ପାଳିତ

csstore
  • ମାଉସୀ ମନ୍ଦିରରେ ଲାଗିଲା ତିନି ରଥ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସୋନପୁରରେ ପବିତ୍ର ରଥଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଛି । ଶ୍ରୀ ଗୁଣ୍ଡିଚାରେ ଲାଗିଲା ତିନିରଥ । ରାତିରେ ଆଡପ ମଣ୍ଡପକୁ ବିଜେ କରିବେ ମହାପ୍ରଭୁ । ରଥଯାତ୍ରାରେ ଭକ୍ତ ଓ ଭଗବାନ ଏକାକାର ହୋଇଛନ୍ତି । ସୋନପୁରରେ ଗତକାଲି ପହଣ୍ଡି ବିଜେ ହୋଇ ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ଦେବୀ ସୁଭଦ୍ରା ରଥାରୁଢ ହୋଇଥିବା ବେଳେ ବିଧି ରକ୍ଷା ପାଇଁ କେବଳ ରଥ ଗଡିଥିଲା । ଆଜି ରଥ ଟଣା ଯାଇଥିଲା । ଦେବୀ ସୁଭଦ୍ରାଙ୍କ ରଥକୁ ମହିଳା ଭକ୍ତ ବେଶ ଖୁସିରେ ଟାଣୁଥିବା ଦେଖାଯାଇଥିଲା । ଗତକାଲି ଆଷାଢ ମାସ ଶୁକ୍ଳପକ୍ଷ ଦ୍ଵିତୀୟ ତିଥିରେ ସ୍ଥାନୀୟ ଗଡ଼ଭିତରସ୍ଥିତ ବଡ଼ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ବଳଭଦ୍ର, ଜଗନ୍ନାଥ ଓ ମାତା ସୁଭଦ୍ରାଙ୍କୁ ପ୍ରାତଃରେ ପ୍ରଥମେ ସ୍ନାନ କରାଯାଇ ମଙ୍ଗଳ ଆଳତୀ କରାଯାଇଥିଲା । ପରେ ତିନି ଠାକୁରଙ୍କୁ ରୀତିନୀତିରେ ବିଭିନ୍ନ ଭୋଗ ଅର୍ପଣ କରାଯାଇଥିଲା । ସନ୍ଧ୍ୟା ୫ଟାରେ ତିନି ଠାକୁରଙ୍କୁ ଆଳତି କରାଯାଇ ମନ୍ଦିରରୁ ପହଣ୍ଡି କରି ଅଣାଯାଇ ସ୍ଥାନୀୟ ମଝିପଡ଼ା ସ୍ଥିତ ରଥଖଳାରେ ଥିବା ତିନିରଥରେ ରଥାରୂଢ଼ କରାଯାଇଥିଲା । ଗତକାଲି ଦିନ ସାରା ବର୍ଷା ଲାଗି ରହିଥିବା ବେଳେ ସନ୍ଧ୍ୟା ୫ ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ପହଣ୍ଡି ସମୟରେ ବର୍ଷା ଛାଡ଼ି ଯିବାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥଲା । ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିଭିନ୍ନ ବ୍ୟକ୍ତି ତ‌ଥା ସଂଗଠନ ପକ୍ଷରୁ ଉପନ ଭୋଗ ଅର୍ପଣ କରାଯାଇଥିଲା । କିନ୍ତୁ ମହାପ୍ରଭୁଙ୍କ ପହଣ୍ଡି ସମୟରେ ସମଲେଶ୍ୱରୀ ମନ୍ଦିର ପାଖରେ ହଠାତ୍ ବିଦ୍ୟୁତ ବିଭ୍ରାଟ ଘଟିବାରୁ ଭକ୍ତମାନଙ୍କ ମଧ୍ୟରେ କିଛି ସମୟ ପାଇଁ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ସଂଯୋଗ ଯୋଗୁଁ ୩ ଜଣ ଭକ୍ତ କରେଣ୍ଟ ସଂସ୍ପର୍ଶରେ ଆସିଥିଲେ । ଘଟଣାସ୍ଥଳରେ ଉପସ୍ଥିତ ପୋଲିସ କର୍ମଚାରୀମାନେ ତୁରନ୍ତ ପଦକ୍ଷେପ ନେଇ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିବାରୁ ସମସ୍ତେ ସୁରକ୍ଷିତ ରହିଥିବା ଦାବି କରାଯାଉଛି । ତୁରନ୍ତ ପୋଲିସ ପକ୍ଷରୁ ସମ୍ପୃକ୍ତ ବିଦ୍ୟୁତ ଖୁଣ୍ଟ ଗୁଡ଼ିକୁ କଡନ କରାଯାଇ ଭକ୍ତଙ୍କୁ ସୁରକ୍ଷା ଦିଆଯାଇଥିଲା । ଅନ୍ୟପଟେ, ବିଦ୍ୟୁତ ବିତରଣ ସଂସ୍ଥା ଞଚଡଙଊଖ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରି ଚୁପ୍ ବସିଥିଲା ବିଭାଗ । ତେବେ, ଏହାଫଳରେ ହଜାର ହଜାର ଭକ୍ତ ଅନ୍ଧାରରେ ଦର୍ଶନ କରିବାକୁ ବାଧ୍ୟ ହୋଇଥିବା ସହ ଛୋଟ ଛୁଆ ଓ ମହିଳାମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିବା ଅଭିଯୋଗ ଉଠିଛି । ଦେବୋତ୍ତର ବିଭାଗ ପକ୍ଷରୁ ମଧ୍ୟ କେବଳ ଗୋଟିଏ ଚାରି ଚକିଆ ଗାଡ଼ିରେ ଲାଇଟ୍ ବ୍ୟବସ୍ଥା ଛାଡ଼ି ଦେଲେ ଅନ୍ୟ କିଛି ଲାଇଟ୍ ବ୍ୟବସ୍ଥା ହୋଇ ନ ଥିବାରୁ ଭକ୍ତ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଥିଲା । ଜଗନ୍ନାଥ ମନ୍ଦିରର ପୂଜକ ରାମଗୋପାଳ ପୂଜାରୀ, ସୁମିତ ପୂଜାରୀ, ଅଶ୍ୱିନୀ ପୂଜାରୀ ସମସ୍ତ ପୂଜାନୀତି ତୁଳାଇ ଥିବାବେଳେ ବ୍ରାହ୍ମଣ ସମାଜର ଜୟନାରାୟଣ ମିଶ୍ର, ଜଗଦାନନ୍ଦ ମିଶ୍ର, ସଚ୍ଚିଦାନନ୍ଦ ଦାସ, ନନ୍ଦକିଶୋର ତ୍ରିପାଠୀ, ମନୋରଂଜନ ମିଶ୍ର, ମିଲନ ମିଶ୍ର, କାଳିଆ ମିଶ୍ର, ନିମାଇଁ ଚରଣ ପାଣିଗ୍ରାହୀ, ଆଶିଷ କୁମାର ନାୟକ, ଜିତୁ ମିଶ୍ର, ବୀର ପ୍ରତାପ ଦାଶ, ଆଲୋକ ଦାଶ, କେଶବ ମିଶ୍ର, ସିଦ୍ଧାର୍ଥ କୁମାର ମିଶ୍ର, ଆଶୀର୍ବାଦ ତ୍ରିପାଠୀ ପ୍ରମୁଖ ପହଣ୍ଡି କାର୍ଯ୍ୟ ତୁଳାଇଥିଲେ । ସେହିପରି ସୋନପୁର ଘୋଡ଼ାଘାଟପଡ଼ା ସ୍ଥିତ ଦଧିବାମନ ମହାପ୍ରଭୁ ଏବଂ ବୃନ୍ଦାବନ ବିହାରୀ ମହାପ୍ରଭୁଙ୍କ ମଧ୍ୟ ରଥଯାତ୍ରା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଆଇନ ଶୃଙ୍ଖଳାକୁ ନଜରରେ ରଖି ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଥିଲା ବେଳେ ଶାନ୍ତି ଶୃଙ୍ଖଳାର ସହ ରଥାଯାତ୍ରା ଆଜି ସମ୍ପନ୍ନ ହୋଇଛି ।

Leave A Reply

Your email address will not be published.