ଆଲୋକର ପର୍ବ ଦୀପାବଳି ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପବିତ୍ର ଦୀପାବଳି ଅବସରରେ ସମଗ୍ର ଡେଲାଙ୍ଗ ଅଞ୍ଚଳରେ ଆନନ୍ଦ ଓ ଉତ୍ସାହର ସହିତ ଆଲୋକର ପର୍ବ ଦୀପାବଳି ପାଳିତ ହୋଇଯାଇଛି । ଏହି ଦିନ ବଡବଡୁଆ ତଥା ପିତୃପୁରୁଷଙ୍କ ଉଦ୍ଦ୍ୟେଶରେ ରାତିରେ ଦୀପଦାନ ଉତ୍ସବ ପାଳନ ହୁଏ । ପିଣ୍ଡଦାନ ସହିତ ଜ୍ୱଳନ୍ତ ବଳିତା, କାଉଁରିଆ କାଠି ଜାଳି ପିତୃପୁରୁଷଙ୍କୁ ଆଲୋକ ପ୍ରଦର୍ଶନ କରିଥାନ୍ତି । ସେହି ସମୟରେ ଲୋକମାନେ ଉଚ୍ଚ ସ୍ଵରରେ କହିଥାନ୍ତି,” ବଡ଼ ବଡୁଆ ହୋ, ଅନ୍ଧାରରେ ଆସି ଆଲୁଅରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ, କାଶୀ ଯାଅ, ପୁରୁଷୋତ୍ତମରେ ମହାପ୍ରସାଦ ଖାଇ ବାଇଶି ପାହାଚରେ ଗଡ ଗଡଉ ଥାଅ” । ମହାଳୟା ତିଥିରେ ପିତୃପୁଉରୁଷଙ୍କୁ ଆବାହନ କରି ଶ୍ରାଦ୍ଧ ଦିଆଯାଇଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ବିଦାୟ ଦିଆଯାଏ । ଏଥି ସହିତ ଛୋଟରୁ ବଡ଼ ସମସ୍ତେ ବାଣ ଫୁଟେଇବା ସହ ଦୀପଜାଳି ରଙ୍ଗବେରଙ୍ଗର ଆଲୋକମାଳାରେ ସୁସଜ୍ଜିତ କରି ଉତ୍ସାହ ସହିତ ଆଲୋକର ପର୍ବ ଦୀପାବଳି ପାଳନ କରିଛନ୍ତି ।

Leave A Reply

Your email address will not be published.