
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ନଅଗାଁ (କ) ଗ୍ରାମରେ ଆଗଲପୁର ବ୍ଲକ ପ୍ରକଳ୍ପ ସ୍ତରୀୟ ପୋଷଣ ମହା ସପ୍ତାହ ପାଳିତ ହୋଇଯାଇଛି । ବ୍ଲକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ମିଶ୍ର ସଭା ପରିଚାଳନା କରିଥିବାବେଳେ ଉକ୍ତ କାର୍ଯ୍ୟକ୍ରମରେ ମାଆ, ଶିଶୁ, କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ସୁପରଭାଇଜର, ବିଶି ପୋଷଣ, ଜୁନିଅର ଆସିଷ୍ଟାଣ୍ଟ୍ ସହ ବହୁସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିବା ସୂଚନା ମିଳିଛି । ଉକ୍ତ ପୋଷଣ ମହା ସପ୍ତାହ ପାଳନର ଉଦ୍ଦେଶ୍ୟ ହେଲା ତେଲ, ଚିନିର ବ୍ୟବହାର କମ କରି ବଢୁଥିବା ଓଜନକୁ କିପରି ହ୍ରାସ କରାଯାଇପାରିବ ତଥା ପ୍ରାରମ୍ଭିକ ଶିଶୁ ଶିକ୍ଷା, ପୁଷ୍ଟିକର ଖାଦ୍ୟ ସମ୍ପର୍କରେ ଶିକ୍ଷା ଦିଆଯାଇଥିଲା । ଗ୍ରାମରେ ସଚେତନତା ସୃଷ୍ଟି କରିବା ସକାଶେ ବିଭିନ୍ନ ସ୍ଲୋଗାନ ସହ ଗ୍ରାମ ପରିକ୍ରମା କରିଥିଲେ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, କିଶୋରୀ ବାଳିକା ମାନଙ୍କ ସହ ମା’ ଓ ଶିଶୁ ମାନେ । ପରେ ପରେ ମା’ମାନେ ପରିବେଶକୁ କିପରି ସଫାସୁତୁରା ରଖିବେ, ଗଛର ଯତ୍ନ, ପାଣି ସଂଚୟ କରିବା ଆଦି ବିଷୟରେ ଶପଥପାଠ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ସଚେତନତାର ବାର୍ତ୍ତା ପରିବେଷଣ କରାଯାଇଥିବା ସୂଚନାରୁ ପ୍ରକାଶ । ସୁପରଭାଇଜର ଅଞ୍ଜଳୀ ମିଶ୍ର ଧନ୍ୟବାଦ ଅର୍ପଣ ପରେ ସଭା ସାଂଗ ହୋଇଥିଲା ।