
- ଶିଶୁ ପୋଷଣ ଓ ମାନସିକ ବିକାଶ ଉପରେ ଗୁରୁତ୍ୱ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ଆଜି ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ଦ୍ୱାରା ଅଷ୍ଟମ ପୋଷଣ ପକ୍ଷ ପାଳନ କରାଯାଇଛି । ମୁଖ୍ୟ ଅତିଥି ଭାବରେ ଜିଲ୍ଲାପାଳ ଡ. ନୃପରାଜ ସାହୁ ଯୋଗଦେଇ ଉପସ୍ଥିତ ଅଙ୍ଗନବାଡି କର୍ମୀମାନଙ୍କୁ ଶିଶୁମାନଙ୍କର ପୋଷଣ ଉପରେ ବ୍ୟକ୍ତିଗତ ଭାବରେ ଧ୍ୟାନ ଦେବା ପାଇଁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରିଣୀ ଡ. ଉଷାରଣୀ ଦାସ, ଜିଲ୍ଲା ଶିଶୁ ବିକାଶ ଅଧିକାରୀ ଚତୁର୍ଭୁଜ ଦାସ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ବୀଣାପାଣି ମିଶ୍ର । ଜିଲ୍ଲାପାଳ ଡ. ସାହୁ ଅଙ୍ଗନବାଡି କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ ଯେ, ସେମାନେ ନିଜ ଅଧୀନରେ ଆସୁଥିବା ଅଞ୍ଚଳର ୬ ବର୍ଷରୁ କମ ଶିଶୁ ମାନଙ୍କର ପୋଷଣ ମାତ୍ରାର ତଥ୍ୟ ରଖିବା ସହ ପ୍ରତିମାସ ତାହାର ତୁଳନା କରିବା ଅତ୍ୟାବଶ୍ୟକ । ପ୍ରତିମାସରେ ଏହି ପକ୍ଷ ଦୁଇଥର ପାଳନ ହେବା ଆବଶ୍ୟକ ବୋଲି ସେ କହିଥିଲେ । ପକ୍ଷ ପାଳନରେ ଆୟୋଜିତ ସଭାରେ ମାନସିକ ପୋଷଣ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା । ଶିଶୁମାନେ କେମିତି କାର୍ଯ୍ୟକଳାପରେ ଅଂଶଗ୍ରହଣ କଲେ ତାଙ୍କର ମାନସିକ ବିକାଶ ହେବ, ସେଥିପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା । ସୂଚନାଯୋଗ୍ୟ ଯେ ଗତ ୯ ତାରିଖରୁ ଆଜି ୨୩ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ପୋଷଣ ପକ୍ଷ ପାଳନ କରାଯାଉଛି । ୯ ତାରିଖରୁ ଜିଲ୍ଲାରେ ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା କେନ୍ଦ୍ର ସ୍ତରରେ, ପରେ ମଣ୍ଡଳ ସ୍ତରରେ ଏବଂ ତାହାପରେ ସମନ୍ୱିତ ଶିଶୁ ବିକାଶ ସେବା ପ୍ରକଳ୍ପ ସ୍ତରରେ ଏହା ପାଳିତ ହୋଇ ଆଜି ପୋଷଣ ପକ୍ଷ ପାଳନର ଶେଷ ଦିନରେ ଜିଲ୍ଲା ସ୍ତରରେ ଏହା ପାଳନ କରାଯାଇଛି । ଏହି ପକ୍ଷରେ ଜନ୍ମରୁ ୬ ବର୍ଷ ବୟସ ମଧ୍ୟରେ ଶିଶୁଙ୍କ ମସ୍ତିଷ୍କ ବିକାଶ ପାଇଁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି । ପକ୍ଷ ପାଳନରେ ୫ ଗୋଟି ମୁଖ୍ୟ ଉଦ୍ଦେଶ୍ୟ ରଖାଯାଇଛି । ତାହା ହେଲା ମା’ ଓ ଶିଶୁର ପୋଷଣ, ମସ୍ତିଷ୍କର ବିକାଶ ପାଇଁ ପ୍ରାରମ୍ଭିକ ପ୍ରୋତ୍ସାହନ, ପ୍ରାରମ୍ଭିକ ବୟସରେ ଖେଳ ଆଧାରିତ ଶିକ୍ଷା, ଶିଶୁଙ୍କ ସ୍କ୍ରିନ ଟାଇମ କମ କରିବାରେ ମାତାପିତା ଓ ସମୁଦାୟର ଭୂମିକା ଏବଂ ଅଙ୍ଗନବାଡି କେନ୍ଦ୍ରର ସଶକ୍ତିକରଣ ପାଇଁ ସାମୂହିକ ସମର୍ଥନ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି କର୍ମୀ, ପରିଦର୍ଶିକା, ସ୍ୱୟଂ ସହାୟକ ଗୋଷ୍ଠୀ, କିଶୋରୀ ବାଳିକା ଓ ପୋଷଣ ଗୋଷ୍ଠୀ ସଂଯୋଜକମାନେ ଭାଗ ନେଇଥିଲେ । ଜିଲ୍ଲା ସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜନ ଆନ୍ଦୋଳନ ପୋର୍ଟାଲରେ ଭଲ ପ୍ରଦର୍ଶନ ପାଇଁ ସମନ୍ୱିତ ଶିଶୁ ବିକାଶ ସେବା ବିନିକା ଏବଂ ବୀରମହାରାଜପୁରର ପୋଷଣ ଗୋଷ୍ଠୀ ସଂଯୋଜକମାନଙ୍କୁ ସମ୍ମାନିତ କରାଯାଇଥିଲା । ପରିଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ପ୍ରଧାନ ଏବଂ ଅନ୍ୟ ସମସ୍ତ ଅଧିକାରୀବୃନ୍ଦ ଅଙ୍ଗନବାଡି କର୍ମୀ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ପୋଷଣ ଗୋଷ୍ଠୀ ସଂଯୋଜକମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ପୋଷ୍ଟିକ ଖାଦ୍ୟ ପରିଦର୍ଶନ କରି ସେଗୁଡ଼ିକର ସ୍ୱାଦ ପରଖିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗର ସମସ୍ତ କର୍ମଚାରୀ ପ୍ରମୁଖ ସହଯୋଗ କରିଥିଲେ ।