
ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକ ଅନ୍ତର୍ଗତ ବଡବନ୍ଧ ପଂଚାୟତର କରୁଆଁଝର ଠାରେ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ସେଠାକାର ଲୋକମାନଙ୍କୁ ଭେଟି ସ୍ଥାନୀୟ ସମସ୍ୟା ଉପରେ ଅଭିଯୋଗ ଶୁଣିଥିଲେ । ବିଶେଷ କରି ଅଂଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ଗାଁ ଲୋକମାନେ ବହୁ ସମସ୍ୟା ଦେଇ ଗତି କରୁଛନ୍ତି । ଭୂତଳ ଜଳ ଗ୍ରୀଷ୍ମ ପ୍ରବାହରେ ବହୁ ତଳକୁ ଚାଲିଯାଇଥିବାରୁ ପିଇବା ପାଣି ସମସ୍ୟା ଦେଖାଦେଇଛି । ଚାଷ ଜମି ଗୁଡିକ ମଧ୍ୟ ପାଣି ଅଭାବରୁ ମାଟି ଫାଟି ଗଲାଣି । ସାଧାରଣ ଗାଈଗୋରୁ ଓ ଅନ୍ୟାନ୍ୟ ଗୃହ ପାଳିତ ପଶୁ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଲୋକେ ଅଭିଯୋଗ କରିଛନ୍ତି । ଖରା ଦିନରେ ପ୍ରଶାସନ ତରଫରୁ ଟେଙ୍କର ଯୋଗେ ପିଇବା ପାଣି ଯୋଗେଇ ଦିଆଯାଉ ବୋଲି ଲୋକେ ଶ୍ରୀ ମିଶ୍ରଙ୍କ ଆଗରେ ଦାବି ଜଣାଇଥିଲେ । ଶ୍ରୀ ମିଶ୍ର ଏସବୁ ସମାଧାନ ପାଇଁ ବ୍ଲକ ପ୍ରଶାସନ ସହିତ କଥା ହୋଇ ସମସ୍ତ ଲୋକେ ଯେମିତି ପିଇବା ପାଣି ପାଇ ପାରିବେ ସେ ଦିଗରେ ଶୀଘ୍ର ପଦକ୍ଷେପ ନେବେ ବୋଲି କହିଥିଲେ । ଏହା ସହିତ କରୁଆଁଝର ସ୍କୁଲର ଅତିରିକ୍ତ କ୍ଲାସ ରୁମ ପାଇଁ ଶ୍ରୀ ମିଶ୍ର ବିଧାୟକ ଥିବା ବେଳେ ଅନୁଦାନ ଯୋଗାଇ ଦେଇଥିବାରୁ ଗାଁ ବାସୀଙ୍କ ତରଫରୁ ଶ୍ରୀ ମିଶ୍ରଙ୍କୁ ଧନ୍ୟବାଦ ତଥା କୃତଜ୍ଞତା ଜଣାଇଥିଲେ । ଆଲୋଚନା ବେଳେ ଅନ୍ୟାନ୍ୟ ସମସ୍ୟା ଯଥା ବିକଳାଙ୍ଗ ଭତ୍ତା, ପ୍ରଧାନ ମନ୍ତ୍ରୀ ଆବାସ ପ୍ରଦାନ କ୍ଷେତ୍ରରେ ଯେପରି ଚଂଚକତା ନ ହୋଇ ଉପଯୁକ୍ତ ହିତାଧିକାରୀମାନେ ତାର ଲାଭ ଉଠାଇ ପାରିବେ ସେ ଦିଗରେ ଶ୍ରୀ ମିଶ୍ର ବ୍ଲକ ପ୍ରଶାସନଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଆଜିର ଏହି ଆଲୋଚନା ବେଳେ ଶ୍ରୀ ମିଶ୍ରଙ୍କ ସହ ସ୍ଥାନୀୟ ସରପଂଚ ଜଗବନ୍ଧୁ ମେହେର, ପ୍ରଦୀପ ପ୍ରଧାନ, ଅନ୍ତ ପ୍ରଧାନ, ସମିତି ସଭ୍ୟ କାନ୍ତେଶ୍ୱର ପ୍ରଧାନ, ମଦନ ପ୍ରଧାନ, ଟୁନୁ ପ୍ରଧାନ, କଂଗ୍ରେସ ନେତା ଅସୀତ କୁମାର ମିଶ୍ରଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ ।