
ବୀରମିତ୍ରପୁର, (କେପିଏନ୍ଏସ୍) : ବିଜୁ ଜନତା ଦଳ ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକର ଦୁଲହପୁର ଓ ଅନ୍ଧାରି ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଆୟୋଜିତ ହୋଇଯାଇଛି । ଏଥିରେ ବୀରମିତ୍ରପୁର ବିଧାୟକ ରୋହିତ ଜୋସେଫ ତିର୍କୀ ଦଳୀୟ ନେତା, କର୍ମୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ସାମିଲ ହୋଇଥିଲେ । ଏହି ପଦଯାତ୍ରା ମାଧ୍ୟମରେ ବିଧାୟକ ଶ୍ରୀ ତିର୍କୀ ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟକଳାପକୁ ସମାଲୋଚନା କରିବା ସହ ଲୋକଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅବହେଳା ଓ ଦୁର୍ନୀତି ସମ୍ପର୍କରେ ଦଳର ମତାମତ ଜନସାଧାରଣଙ୍କ ସମ୍ମୁଖରେ ରଖିଥିଲେ । ଏଥିସହ ଗ୍ରାମାଞ୍ଚଳର ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭାବ ଅସୁବିଧା ସମ୍ପର୍କରେ ଅବଗତ ହୋଇଥିଲେ । ପଦଯାତ୍ରା ଅବସରରେ ଗ୍ରାମବାସୀଙ୍କ ସହ ମିଶିବା ଏବଂ ସେମାନଙ୍କ ସହ ମତ ବିନିମୟ କରିବାର ସୁଯୋଗ ମିଳିଥିବାରୁ ବିଧାୟକ ଆନନ୍ଦ ପ୍ରକାଶ କରିଥିଲେ । ଏହା ସହ ଗ୍ରାମବାସୀଙ୍କ ସହ କିଛି ସ୍ମରଣୀୟ ମୁହୂର୍ତ୍ତ ମଧ୍ୟ ବିତାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ପ୍ରତିନିଧି ମହେଶ ସାହୁ, ଆଇନ ପରାମର୍ଶଦାତା ଏମ୍.ଡି. ଏଜାଜ ଆଲମ, ଅନ୍ଧାରି ସରପଞ୍ଚ ସୀମା ବଖଳୀ, ପ୍ରତାପପୁର ସରପଞ୍ଚ, ସଞ୍ଜୟ ଜୈସ୍ୱାଲ, ଗୁଡ୍ଡୁ ସାହୁ, ସଂଯୁକ୍ତା, ମିନାକ୍ଷୀ ବାରିକ, ସାକିବ ଓ ଜାନୁଙ୍କ ସମେତ ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳର ବହୁ କର୍ମୀ ଓ ସମର୍ଥକ ଉପସ୍ଥିତ ଥିଲେ ।