ଜିଓ ଟାୱାର୍ ନିର୍ମାଣ ନାଁରେ ଲାଞ୍ଜିଗଡ଼ ଚାଷୀଙ୍କୁ ଲୁଟିଲେ ଅନ୍‌ଲାଇନ୍ ଠକ

କଳାହାଣ୍ଡି, (କେପିଏନ୍‌ଏସ୍‌) : ବର୍ତ୍ତମାନ ସୋସିଆଲ ମିଡିଆରେ ଓ ଫୋନକଲ୍‌ରେ ଅନେକ ଲୋଭନୀୟ ଲଟେରୀ ସ୍କିମ ଭାଇରାଲ ହେଉଥିବା ବେଳେ ଅନେକ ଲୋକ ଅଧିକ ଟଙ୍କା ପାଇବା ଆଶାରେ ଜମିବାଡି, ସୁନାଗହଣା ବିକ୍ରି କରି ହରଡ ଘଣାରେ ପଡୁଛନ୍ତି । ଏମିତିକି ଲୋକଙ୍କ ପାଖକୁ ଫୋନକଲ୍ ମଧ୍ୟ ଆସୁଛି । ଏଭଳି ଏକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଜେପୁର ଥାନା ଅନ୍ତର୍ଗତ ତ୍ରିଲୋଚନପୁର ପଞ୍ଚାୟତର ତାଡିଝୁଲା ଗାଁରେ ।
ସୂଚନା ଅନୁସାରେ ତାଡିଝୁଲା ଗାଁର ଜଣେ ଚାଷୀ ଗଜିନ୍ଦ୍ର ଗଉଡ଼ଙ୍କ ନିକଟକୁ ଗତ ଅଗଷ୍ଟ ମାସ ୨୪ ତାରିଖ ଦିନ ରିଲାଇନ୍ସ ଜିଓ ଟାୱାର ନିର୍ମାଣକୁ ନେଇ ୯୪୩୨୫୨୮୫୭୫ ନଂରୁ ଏକ ଫୋନକଲ୍ ଆସିଥିଲା ଏବଂ ଗଜିନ୍ଦ୍ରଙ୍କ ଜମିରେ ୪ ଡିସମିଲ ଜାଗାରେ ଜିଓ ଟାୱାର ନିର୍ମାଣ କଲେ ୧୫ ବର୍ଷ ପାଇଁ ଜମି ଲିଜ ବାବଦକୁ ୧୫ଲକ୍ଷ ଟଙ୍କା, ପରିବାରର ୨ ଜଣଙ୍କୁ ଚାକିରୀ ବାବଦକୁ ମାସକୁ ୧୦ ହଜାର ଟଙ୍କା ଓ ଜମିର ଲିଜ ବାବଦକୁ ମାସକୁ ୧୦ ହଜାର ଦିଆଯିବ କହି ଜମିର ମାଲଗୁଜାରୀ ରସିଦ ମାଗିଥିଲା । ଏହା ଶୁଣି ଗଜିନ୍ଦ୍ର ଖୁସି ହୋଇ ଯାଇଥିଲା ଓ ତାଙ୍କ ନାମରେ ଥିବା ତ୍ରିଲୋଚନପୁର ସ୍ଥିତ ଶ୍ୟାମସୁନ୍ଦରପୁର ଠାରେ ଥିବା ଜମିର ମାଲଗୁଜାରୀ ରସିଦ ସେ ଦେଇଥିବା ମୋବାଇଲ ୱାର୍ଡ୍ସଆପ୍ ନଂ ୯୧୬୩୭୩୫୫୦୫ ରେ ପଠାଇ ଦେଇଥିଲେ । ପୁଣିଥରେ ସେ ଫୋନ କରି ତମ ଜମିରେ ଜିଓ ଟାୱାର ପାଇଁ ସିଲେକ୍ସନ କରାଗଲା କହି ପ୍ରଥମେ ରେଜିଷ୍ଟ୍ରେସନ ପାଇଁ ୬ ହଜାର ଟଙ୍କା ପଠେଇବା ପାଇଁ କହିଥିଲେ । ଗଜିନ୍ଦ୍ର ତାଙ୍କ କଥାରେ ବିଶ୍ୱାସ କରି ସେ ଦେଇଥିବା ଇଣ୍ଡିଆନ ବ୍ୟାଙ୍କର ପୃଥ୍ୱୀରାଜ ପୂଜାରୀ ନାଁରେ ଥିବା ଆକାଉଣ୍ଟ ନଂ ୬୭୫୪୮୪୯୨୯୩ ରେ ପ୍ରଥମେ ୨୬ ଅଗଷ୍ଟରେ ୬ ହଜାର ଟଙ୍କା ପଠାଇ ଦେଇଥିଲେ । ପୁଣି ଫୋନ୍‌ କରି ୨୫ ହଜାର ପଠାଇଲେ ପ୍ରଥମେ ୧୫ ଲକ୍ଷ ତମ ଏକାଣ୍ଟରେ ଡିପୋଜିଟ ହୋଇ ଯିବ ବୋଲି ଲୋଭ ଦେଖାଇ ଥିଲେ।ଲୋଭରେ ପଡି ଗଜିନ୍ଦ୍ର ୨୮ ଅଗଷ୍ଟରେ ୨୫ ହଜାର, ୩୧ ଅଗଷ୍ଟରେ ୧୫ ହଜାର, ୧୮ ସେପ୍ଟେମ୍ବରରେ ୧୫ ହଜାର ଓ ୨୧ ସେପ୍ଟେମ୍ବରରେ ୧୦ ହଜାର ଟଙ୍କା ଡିପୋଜିଟ କରିଥିଲେ । ଗଜିନ୍ଦ୍ର ୬୫ ହଜାର ନିଜ ଭାଇ, ବନ୍ଧୁବାନ୍ଧବଙ୍କ ଠାରୁ ଧାର ଆଣି ପଠାଇବା ପରେ ଅକ୍ଟୋବର ୫ ତାରିଖରେ ପୁଣି ସେମାନଙ୍କ ଠାରୁ ଫୋନ ଆସିଥିଲା । ସେମାନେ କହିଲେ ବର୍ତ୍ତମାନ ମୁମ୍ବାଇ ଠାରୁ ଟାୱାର ସାମଗ୍ରୀ ନେଇ ଟ୍ରକ ବାହାରି ଅଧରାସ୍ତାରେ ଗାଡି ଖରାପ ହୋଇ ଯାଇଛି । ପୁଣି ୭ ହଜାର ଟଙ୍କା ନ ପଠାଇଲେ ଗାଡି ଅଧାରାସ୍ତାରୁ ଫେରିଯିବ କହିଥିବା ଗଜିନ୍ଦ୍ର ପ୍ରକାଶ କରିଛନ୍ତି ।‌ ପରେ ଗଜିନ୍ଦ୍ର କିଛି ଭଦ୍ର ଲୋକଙ୍କୁ ପଚାରି ସେମାନେ ଏହା ଏକ ଅନଲାଇନ ଠକେଇ କହିବାରୁ ବିଜେପୁର ଥାନାରେ ଜଣାଇ ଥିବା ପ୍ରକାଶ କରିଛନ୍ତି ।
ସୂଚନା ଥାଉ କି ଗତ ଏପ୍ରିଲ ମାସ ୨୯ ତାରିଖରେ ଲାଞ୍ଜିଗଡ଼ ସହର ଡମ୍ବବିଶିପଡାର ଗଜେନ୍ଦ୍ର ପରାଭୋଇର ନାବାଳକ ପୁଅ ଉମାକାନ୍ତ ପରାଭୋଇଙ୍କୁ ୨୫ ଲକ୍ଷ ଲାଟେରୀ ଫିଟିଥିବା କହି ୨୫ ହଜାର ଟଙ୍କା ଡିପୋଜିଟ କରି ଅନଲାଇନ ଠକେଇରେ ପଡିଥିବା ବେଳେ ଜାନୁଆରୀ ମାସ ୧୭ ତାରିଖରେ ଲାଞ୍ଜିଗଡ ବଜାରପଡାର ପ୍ରତାପ ବାରିକ ଏହି ଅନଲାଇନ୍ ଠକେଇର ଶିକାର ହୋଇ ଟିଟଲାଗଡ ରେଲଲାଇନରେ ଆତ୍ମହତ୍ୟା କରିଥିଲା । ଏହି ଅନଲାଇନ୍ ଠକେଇ ଦିନକୁ ଦିନ କାୟା ବିସ୍ତାର କରି ଚାଲିଥିବା ବେଳେ ନିରିହ ଜନସାଧାରଣ ଏହାର ଶିକାର ହେଉଛନ୍ତି । ବର୍ତ୍ତମାନ ଗଜିନ୍ଦ୍ର ଚିନ୍ତାରେ ଭାଙ୍ଗି ପଡିଛନ୍ତି । କିପରି ଲୋକଙ୍କ ପଇସା ସୁଝିବା ସହ ପରିବାର ପ୍ରତିପୋଷଣ କେମିତି କରିବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି । ଏ ସଂପର୍କରେ ପୋଲିସ ଜନସାଧାରଣଙ୍କୁ ବାରମ୍ବାର ସଚେତନ କରିଆସୁ ଥିଲେ ମଧ୍ୟ ଲୋକ ଅନଲାଇନ ଠକାମୀରେ ପଡୁଛନ୍ତି । ବର୍ତ୍ତମାନ ଆହୁରି ସଚେତନତାର ଆବଶ୍ୟକତା ରହିଛି ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.