ଗ୍ରାମାଞ୍ଚଳରେ ଅନଲାଇନ୍ ପାଠପଢ଼ା ବ୍ୟବସ୍ଥା ଫେଲ୍ : ଗାଁରେ ନେଟୱର୍କ ଅସୁବିଧା : କ୍ଷେତରେ ପଢୁଛନ୍ତି ଛାତ୍ରଛାତ୍ରୀ

ଦେଓଗାଁ, (ମନିଷ କୁମାର ସାହୁ) : କରୋନା ସଂକ୍ରମଣ ଯୋଗୁଁ ୪ମାସରୁ ଅଧିକ ସମୟ ହେଲା ଦେଶର ସମସ୍ତ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିଛି । ଯାହାଫଳରେ ଘରେ ରହି ପାଠ ପଢ଼ିବାକୁ ଓ ପଢ଼ାଇବାକୁ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କୁ ସରକାର ପରାମର୍ଶ ଦେଇଛନ୍ତି । ସେ ଅନୁସାରେ ଛାତ୍ରଛାତ୍ରୀଙ୍କୁ ହ୍ଵାଟସ୍‌ଆପ୍ ଗ୍ରୁପ୍‌ ଜରିଆରେ ଅନ୍‌ଲାଇନ୍ ପାଠପଢ଼ା ଚାଲିଛି । ସବୁଆଡେ ପ୍ରାୟ ୫ମାସ ହେଲା ଗୁଗୁଲ ମିଟ୍, ଜୁମ୍ ଭଳି ବିଭିନ୍ନ ଆପରେ ଅନଲାଇନ ଶିକ୍ଷା ଗ୍ରହଣ କରୁଛନ୍ତି । ହେଲେ ଏଥିରେ ଅନ୍ତରାୟ ସାଜୁଛି ଅର୍ଥାଭାବ । ସମସ୍ତଙ୍କ ପାଖରେ ସ୍ମାର୍ଟ୍ ଫୋନ୍‌ର ସୁବିଧା ନ ଥିବାରୁ ଏ ମହାମାରୀ ସମୟରେ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ଦେଓଗାଁ ବ୍ଲକ୍‌ର ୬୦ପ୍ରତିଶତ ଲୋକେ ଦାରିଦ୍ର୍ୟ ସୀମାରେଖା ତଳେ ବସବାସ କରନ୍ତି । ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ବିଦ୍ୟାର୍ଥୀଙ୍କ ପାଇଁ ଅଭିଭାବକମାନେ ଦାମୀ ସ୍ମାର୍ଟ ମୋବାଇଲ ଫୋନ୍ ଯୋଗାଇବାକୁ କଷ୍ଟକର ହେଉଥିଲେ ମଧ୍ୟ ପିଲାଙ୍କ ପାଠପଢ଼ାକୁ ଦୃଷ୍ଟିରେ ରଖି ବାଧ୍ୟ ହେଉଛନ୍ତି ମୋବାଇଲ ଦେବାକୁ । ମାତ୍ର ଅନ୍‌ଲାଇନ୍‌ରେ ବିଦ୍ୟାର୍ଥୀ ଶିକ୍ଷାଗ୍ରହଣ କରୁଥିବା ସମୟରେ ନେଟୱର୍କ ଠିକ୍ ଭାବେ ଆସୁ ନଥିବା ଭଳି ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ମଧ୍ୟ ଦେଓଗାଁ ବ୍ଲକର ବିଭିନ୍ନ ଗାଁକୁ ମୋବାଇଲ ନେଟୱାର୍କ ସୁବିଧା ସଠିକ ଭାବେ ନ ଥିବାରୁ ଏହି ଅଞ୍ଚଳର ବିଦ୍ୟାର୍ଥୀମାନେ ମଧ୍ୟ ଉକ୍ତ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ସେହିପରି ଟେଲିଭିଜନର ଜାତୀୟ ଦୂରଦର୍ଶନ ଚ୍ୟାନେଲରେ ପ୍ରତିଦିନ ପଢ଼ା ଯାଉଥିଲେ ମଧ୍ୟ ସମସ୍ତଙ୍କ ଘରେ ଟିଭି ନ ଥିବାରୁ ସେମାନେ ମଧ୍ୟ ପାଠ ପଢ଼ିବାରୁ ବଞ୍ଚିତ ହେଉଥିବା ନେଇ ଛାତ୍ରଛାତ୍ରୀ ଓ ଅବିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।


ଦେଓଗାଁ ବ୍ଲକ୍ ସଦର ଦେଓଗାଁ ପଞ୍ଚାୟତ ସମିତି ହାଇସ୍କୁଲରେ ୮୬ଜଣ ବିଦ୍ୟାର୍ଥୀ ଦଶମ ଶ୍ରେଣୀରେ ଅଛନ୍ତି । ଅନ୍‌ଲାଇନ୍‌ରେ ପଢ଼ାଇବାକୁ ଖୋଲା ଯାଇଥିବା ହ୍ଵାଟସ୍‌ଆପ୍ ଗ୍ରୁପ୍‌ରେ ଶିକ୍ଷକମାନଙ୍କୁ ମିଶାଇ ୫୦ରୁ ବି କମ୍ ଜଣ ରହିଛନ୍ତି । ସେହିଭଳି ଜରାସିଂହା ନେତ୍ରଭାନୁ ହାଇସ୍କୁଲରେ ଦଶମରେ ୧୫୪ ଜଣ ଅଛନ୍ତି । ଶିକ୍ଷା ସଂଯୋଗ ଗ୍ରୁପ୍‌ରେ ୬୨ ଜଣ ରହିଛନ୍ତି । କୁତୁର୍ଲା ସୁରଧନୁ ହାଇସ୍କୁଲରେ ୬୭ ଜଣ ଛାତ୍ରଛାତ୍ରୀ ଦଶମ ଶ୍ରେଣୀରେ ଥିବା ବେଳେ ଗ୍ରୁପ୍‌ରେ ୩୧ଜଣ ଅଛନ୍ତି । ଉପରଝର ହାଇସ୍କୁଲରେ ମ୍ୟାଟ୍ରିକ ପଢୁଥିବା ୯୪ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ହ୍ଵାଟସ୍‌ଆପ୍ ଗ୍ରୁପ୍‌ରେ ମାତ୍ର ୧୩ ଜଣ ରହିଛନ୍ତି । ଏହି ତଥ୍ୟକୁ ଅନୁମାନ କଲେ ବ୍ଳକ୍ ଭିତରେ କିଭଳି ଭାବେ ଅନ୍‌ଲାଇନ୍ ପାଠପଢ଼ା ଚାଲିଛି, ତାହା ସହଜେ ଅନୁମେୟ । ଏହାକୁ ନେଇ ଏବେ ଦେଓଗାଁ ବ୍ଲକ୍‌ରେ ଅନ୍‌ଲାଇନ୍ ପାଠପଢ଼ା ଫେଲ୍ ବୋଲି ଆଲୋଚନା ହେଉଛି । ଦଶମ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀଙ୍କ ପାଖରେ ଦାମୀ ସ୍ମାର୍ଟ ଫୋନ ନଥିବାରୁ ଗ୍ରୁପ୍‌ରେ ପାଠପଢ଼ା ମଧ୍ୟ ସଠିକ୍ ଭାବେ ହୋଇପାରୁ ନଥିବା ଶିକ୍ଷକମାନେ ପ୍ରକାଶ କରୁଛନ୍ତି । ଦେଓଗାଁ ବ୍ଲକର ବି ସେହି ବିଭିନ୍ନ କଲେଜରେ ଅନଲାଇନ ପାଠପଢ଼ା ବିଷୟରେ ଅନୁସନ୍ଧାନ କରାଯିବାରୁ ଜଣାପଡିଛି ଯେ, ହାଇସ୍କୁଲ ଭଳି କଲେଜ୍ ସ୍ତରରେ ମଧ୍ୟ ସମାନ ସ୍ଥିତି । ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ କଲେଜର ସମସ୍ତ ଶ୍ରେଣୀରେ ଅନ୍‌ଲାଇନ୍ ପାଠପଢ଼ା ବ୍ୟବସ୍ଥାକୁ ଅନୁମାନ କଲେ, ଶ୍ରେଣୀରେ ପଢୁଥିବା ହାରାହାରି ୫୦ ଜଣଙ୍କ ମଧ୍ୟରୁ ଗୁରେ ୩୫ଜଣ ଥିବା ବେଳେ ତାଙ୍କ ଭିତରୁ ମାତ୍ର ୮ରୁ ୧୦ଜଣ ଅନ୍‌ଲାଇନ୍ ଭିଡିଓ କଲିଂ ଆପ୍ ମାଧ୍ୟମରେ କ୍ଳ୍ଲାସରେ ଉପସ୍ଥିତ ରହୁଥିବା ଜଣାପଡ଼ିଛି । ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ନେଟୱର୍କ ଅସୁବିଧା ଯୋଗୁଁ କ୍ଲାସ୍ କରିପାରୁ ନଥିବା ବେଳେ ପାଠପଢ଼ା ପାଇଁ ଇଚ୍ଛୁକ ଥିବା ଛାତ୍ରଛାତ୍ରୀମାନେ କ୍ଷେତ, ବିଲ, ପୋଖରୀ କୂଳକୁ ଯାଇ ଘଣ୍ଟା ଘଣ୍ଟା ବସି ଭିଡିଓ କଲିଂରେ କ୍ଲାସ୍ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଫଳରେ ସେମାନଙ୍କୁ ହିଂସ୍ର ଜନ୍ତୁ, ବର୍ଷା ପାଣି ଆଦିର ଭୟ ରହିଥିବା ଛାତ୍ରଛାତ୍ରୀଙ୍କ ସହ ଅଭିଭାବକମାନେ କହୁଛନ୍ତି । କମ୍ ପିଲା ପାଠ ପଢୁଥିବାରୁ ଅଧ୍ୟାପକ, ଅଧ୍ୟାପିକାମାନେ ମଧ୍ୟ ପଢ଼ାଇବାକୁ ଗୁରୁତ୍ବ ଦେଉନଥିବା ମଧ୍ୟ ଜଣାପଡ଼ୁଛି । ପ୍ରତିଦିନ ଅନ୍‌ଲାଇନ୍‌ କ୍ଲାସ ମଧ୍ୟ ହୋଇ ପାରୁ ନଥିବାରୁ ପଢ଼ିବାକୁ ଇଛୁକ ବିଦ୍ୟାର୍ଥୀମାନେ ମଧ୍ୟ ଅନ୍‌ଲାଇନ୍‌ରେ ପାଠପଢ଼ା ବ୍ୟବସ୍ଥା ସଫଳ ନୁହେଁ ବୋଲି ପ୍ରକାଶ ପାଉଛି । ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢ଼ାର ଉପାୟ ସହ ଠିକଣା ଏକ ପ୍ରକାରର ବଦଳି ଯାଇଥିବା ବେଳେ କରୋନା ବିଭୀଷିକା କେବେ ଦୂର ହେବ ତାକୁ ନେଇ ବିଦ୍ୟାର୍ଥୀମାନେ ଅନିଶ୍ଚିତତା ମଧ୍ୟରେ ରହିଛନ୍ତି । ଆଦିବାସୀ ଅଧୁଷିତ ବ୍ଲକ ହୋଇଥିବା ବେଳେ ବ୍ଲକର ୬୦ ପ୍ରତିଶତ ଲୋକେ ଦାରିଦ୍ର୍ୟ ସୀମା ରେଖା ତଳେ ବସବାସ କରନ୍ତି । ସମସ୍ତଙ୍କ ନିକଟରେ ମୋବାଇଲ ଫୋନ ନଥିବାରୁ ଏବଂ ନେଟୱାର୍କ ସେବାରେ ବାଧା ଉପୁଜିଥିବାରୁ ଅନ୍‌ଲାଇନ୍‌ ମାଧ୍ୟମରେ ହେଉଥିବା ପାଠପଢ଼ାରୁ ବଞ୍ଚିତ ରହୁଛନ୍ତି ଛାତ୍ରଛାତ୍ରୀ । ତେଣୁ ଗ୍ରାମାଞ୍ଚଳରେ ପିଲାମାନେ କେତେବେଳେ ଘରର ଗାଈ, ଛେଳି, ମେଣ୍ଢା, ମଇଁଷିଗୁଡିକୁ ନେଇ ବାହାରେ ଚରାଉଛନ୍ତି ତ କେତେବେଳେ ଛତୁ,ବାଉଁଶ ଗଜା ସଂଗ୍ରହ କରୁଛନ୍ତି ଆଉ କେତେବେଳେ ଚାଷ ଜମିରେ ଚାଷ କାର୍ୟ୍ୟ କରି ଘର ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ଏହିପରି ଦୃଶ୍ୟ ଦେଓଗାଁ ବ୍ଲକର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଗାଁଗୁଡିକରେ ଦେଖିବାକୁ ମିଲିଛି । ତେବେ ଏନେଇ ଆମେ କିଛି କାମ କରୁଥିବା ପିଲାମାନଙ୍କୁ ପଚାରିବାରୁ ଯେହେତୁ ସେମାନଙ୍କ ସ୍କୁଲ ଖୋଲି ନାହିଁ, ଘରେ ରହି ଦିନ ସାରା କଣ କରିବେ ତେଣୁ ସେମାନେ ବାପା ମା’ଙ୍କୁ କାମରେ ସାହାଯ୍ୟ କରୁଥିବା କହିଛନ୍ତି । ଏବେ କରୋନା ଯୋଗୁଁ ଅନଲାଇନରେ ପାଠ ପଢ଼ା ଗାଁ ମାନଙ୍କରେ ସମ୍ଭବପର ହୋଇପାରୁ ନ ଥିବାରୁ ବିଦ୍ୟାଳୟ ଖୋଲିବା ପରେ ସେମାନେ ନିଜର ଅଧୟନକୁ ପୂର୍ବ ପରି ଜାରି ରଖିବେ ବୋଲି କହିଥିଲେ । ତେବେ ଲକଡାଉନ ହେତୁ ନିଜକୁ ଖାଇବାକୁ ନ ମିଳୁଥିବା ବେଳେ କିପରି ଅନ୍ୟକୁ ପାରିଶ୍ରମିକ ଦେବେ, ତେଣୁ ନିଜ ପିଲା ଯଦି ସେହି କାମଟି କରିବ ତାହେଲେ ନିଜର କିଛି ଅର୍ଥ ବଞ୍ଚିଯିବ ବୋଲି ପିଲାମାନଙ୍କ ପିତାମାତାମାନେ ପ୍ରକାଶ କରିଛନ୍ତି । କିନ୍ତୁ ପିଲାମାନେ ଯେତେ ଶୀଘ୍ର ବିଦ୍ୟାଳୟ ଖୋଲିଲେ ଆମେ ପାଠ ପଢିବାକୁ ଯିବୁ, ଘରେ ରହି ବିରକ୍ତି ହେଉଥିବା ପ୍ରକାଶ କରିଥିଲେ । ଆଗକୁ କରୋନାର ପ୍ରକୋପ ହ୍ରାସ ନ ପାଇଲେ ସ୍କୁଲ୍, କଲେଜ୍ ଖୋଲିବା ଦିଗରେ ସରକାର ମୁଁହ ଖୋଲିବେ ନାହିଁ । ହେଲେ ବିନା ପାଠରେ କିଭଳି ଭାବେ ଆଗକୁ ପରୀକ୍ଷା ଦେବେ ତାକୁ ନେଇ ମଧ୍ୟ ଚିନ୍ତା କରିବା କଥା ବୋଲିଛାତ୍ରଛାତ୍ରୀ ମହଲରେ ଦାବି ହେଉଛି । ଏହାସହ ଯେଭଳି ମ୍ୟାଟ୍ରିକ ପାଠ୍ୟଖସଡା କମାଗଲା ସେହି ଭଳି କଲେଜ୍ ସ୍ତରରେ ମଧ୍ୟ ଶିଲାବସ୍ କମାଇ ଦେବାକୁ ଦାବି କରୁଛନ୍ତି । ଏବେ କରୋନା ମହାମାରୀର ପ୍ରକୋପ କମିବାର ନାଁ ନେଉ ନ ଥିବାରୁ ଅନଲାଇନ ପାଠପଢ଼ା ବ୍ୟବସ୍ଥାର ସୁବିଧା କିଭଳି ଅଧିକ ବିଦ୍ୟାର୍ଥୀ ପାଇ ପାରିବେ ତାହା ସହ ଗ୍ରାମାଞ୍ଚଳରେ ଟାୱାର ଲଗାଇ ନେଟୱାର୍କ ଅସୁବିଧାକୁ ଦୂର କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।

Leave A Reply

Your email address will not be published.