ଭୁବନେଶ୍ୱର, (କେପିଏନ୍ଏସ୍) : ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରିଚାଳିତ ବି.ଟେକ ସମେତ ଅନ୍ୟାନ୍ୟ ବୈଷୟିକ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଦ୍ୱିତୀୟ ଓଜେଇଇ ପରୀକ୍ଷା ଅନୁଷ୍ଠିତ ହେବ । ଏଥିନିମନ୍ତେ ଆସନ୍ତାକାଲି(ସୋମବାର)ଠାରୁ ଅନଲାଇନରେ ପଞ୍ଜିକରଣ ଆରମ୍ଭ ହେବ । ଆଗ୍ରହୀ ବିଦ୍ୟାର୍ଥୀ ୱେବସାଇଟ (www.ojee.nic.in)କୁ ଲଗଇନ କରି ନାମ ପଞ୍ଜିକରଣ କରିପାରିବେ । ଫର୍ମ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୭ ରାତି ୧୧ଟା ପର୍ଯ୍ୟନ୍ତ ରହିଛି । ଏ ସଂକ୍ରାନ୍ତରେ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବି.ଟେକ, ଲାଟେରାଲ ଟେକ (ଡିପ୍ଲୋମା), ଲାଟେରାଲ ଟେକ (ବି.ଏସସି), ଏମବିଏ, ଏମସିଏ, ବି.ଫାର୍ମା ଏବଂ ଏମ.ଫାର୍ମା ପାଠ୍ୟକ୍ରମରେ ନାମ ଲେଖାଇବା ନିମନ୍ତେ କମ୍ପ୍ୟୁଟର ବେସଡ ଟେଷ୍ଟ (ସିବିଟି)ମୋଡରେ ପରୀକ୍ଷା କରାଯିବ । ଜେଇଇ ମୁଖ୍ୟ ଏବଂ ପ୍ରଥମ ଓଜେଇଇରେ ରାଙ୍କ ପାଇଥିବା ବିଦ୍ୟାର୍ଥୀ ନାମଲେଖାଇ ସାରିବା ପରେ ବଳକା ସିଟ୍ରେ ନାମ ଲେଖାଇବା ନିମନ୍ତେ ଦ୍ୱିତୀୟ ଓଜେଇଇରେ ରାଙ୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ଅଗ୍ରାଧିକାର ଦିଆଯିବ ।